ହିନ୍ଦୋଳରେ ଶତକଡା ୭୭% ମତଦାନ

ହିନ୍ଦୋଳ ୨୬/୦୫/୨୦୨୪ (ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ସଂରକ୍ଷିତ (୫୬) ଆସନରେ ଗତ ୨୫ମେ ରେ ନିର୍ବାଚନ ଶାନ୍ତିଶୃଙ୍ଖଳାରେ ଅନୁଷ୍ଠିତ ହୋଇଯାଇଛି । ମୋଟ ୨୬୨୪୯୪ ଜଣ ଭୋଟରଙ୍କ ମଧ୍ୟରୁ  ୧୩୫୯୦୩ଜଣ ପୁରୁଷ ଓ ୧୨୬୫୮୩ ମହିଳା ଭୋଟର ଥିବାବେଳେ ମତଦାନ କରିଛନ୍ତି ୧୯୬୦୭୪ଜଣ ମତଦାତା । ସମୁଦାୟ ମାତଦାତାଙ୍କର ମତଦାନର  ପରିମାଣ ଶତକଡା ୭୭.୯୯% ଭାଗ ହିନ୍ଦୋଳ ବିଧାନସଭାରେ ମତଦାନ ହୋଇଛି ଯାହାକି ସୂଚାଇଦେଉଛି ହିନ୍ଦୋଳ ନାଗରିକ ଭୋଟଦାନ ପାଇଁ  ସଚେତନ ଅଛନ୍ତି ।ସେହିପରି ହିନ୍ଦୋଳ ଏନଏସି ରେ ଦଶ ହଜାରରୁ ୭୬୭୯ଜଣ ମତଦାତା ମତଦାନ କରିଛନ୍ତି  ଯାହାର ପରିମାଣ ମଧ୍ୟ ପ୍ରାୟ ଶତକଡା ୭୫% । ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ସମୁଦାୟ ଭୋଟରଙ୍କ ମଧ୍ୟରୁ ୯୮୯୨୫ଜଣ ପୁରୁଷ ମତଦାନ କରିଥିବାବେଳେ ୯୭୧୪୯ ମହିଳା ମତଦାତା ମତଦାନ କରିଛନ୍ତି । ଏଥର ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଲା ସଖି ମତଦାନ କେନ୍ଦ୍ର ଯେଉଁଥିରେ ମହିଳାମାନେ ଭୋଟ କେନ୍ଦ୍ର ସୁଚାରୁରୂପେ ପରିଚାଳନା କରିଥିଲେ ।ଏଥିସହ ଏନସିସି ଛାତ୍ରଛାତ୍ରୀ ମାନେ ପ୍ରତ୍ୟେକ କେନ୍ଦ୍ରରେ ସହଯୋଗ କରିଥିଲେ ଏବଂ ଅସୁସ୍ଥ, ଶାରୀରିକ ଅକ୍ଷମ ଓ ବୟୋଜ୍ୟଷ୍ଠ ମାନଙ୍କ ପାଇଁ ମତଦାନ କେନ୍ଦ୍ରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ  ଅକ୍ଷମ ଥିବା ଭୋଟରଙ୍କୁ ଘରୁ ଆଣିବା ବ୍ୟବସ୍ଥା କରାଯାଇଥିଲା । ଏପରିକି ଦେଖିବାକୁ ମିଳିଥିଲା ପ୍ରାୟ କେନ୍ଦ୍ରରେ ରାଜନୈତିକ ଦଳମାନେ ମହିଳା ଏଜେଣ୍ଟ ମଧ୍ୟ ଦେଇଥିଲେ । ସବୁଠାରୁ ଗୁରୁତ୍ବର୍ଣ୍ଣ କଥା ହେଲା ବହୁଳମାତ୍ରାରେ ମହିଳା ଭୋଟଦାନ କରିବା ଯାହାକି ପ୍ରମାଣିତ କରୁଛି ମହିଳାମାନେ ବହୁଳ ମାତ୍ରାରେ ସଚେତନ ଅଛନ୍ତି ଏବଂ ଏହା ଗଣତନ୍ତ୍ର ପାଇଁ ଏକ ବୃହତ ଗୁରୁତ୍ୱପୂର୍ଣ ଘଟଣା । ସମୁଦାୟ ମତଦାନ ଶାନ୍ତିଶୃଙ୍ଖଳାରେ ହୋଇଥିବାବେଳେ କାଁ ଭାଁ ଅଘଟଣ ହୋଇଥିବା ଜଣାପଡିଛି, ହିନ୍ଦୋଳ ବ୍ଲକ ନୂଆବଗ ପଂଚାୟତର ବାହାଲୁଣ୍ଡା କେନ୍ଦ୍ରରେ ଜଣେ ଏଜେଣ୍ଟଙ୍କର ଅସୁସ୍ଥତା ହେତୁ ମୃତ୍ୟୁ ହୋଇଥିବାବେଳେ କାଁଭାଁ ଉତ୍ତେଜନା ଲାଗି ରହିଥିଲା । ହିନ୍ଦୋଳ ପୋଲିସ ଓ ହିନ୍ଦୋଳ ପ୍ରଶାସନ ରିଟର୍ନିଙ୍ଗ ଅଫିସର ତଥା ଉପଜିଲ୍ଲାପାଳ ଶ୍ରୀ ଶିବାନନ୍ଦ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ପରିଚାଳନାରେ ନିର୍ବାଚନ ମଣ୍ଡଳୀରେ ମୋଟାମୋଟି ଶାନ୍ତିଶୃଙ୍ଖଳାର ସହକାରେ ମତଦାନ ସରିଯାଇଥିବାବେଳେ ଆସନ୍ତା ଜୁନ ୪ତାରିଖରେ ଗଣତି ହେବ ବୋଲି ଜଣାପଡିଛି ଏବଂ ସେହିଦିନ ହାତୀ କାହା ମୁଣ୍ଡରେ ସୁନାକଳସ ଢ଼ାଳିବ ଏବଂ ହିନ୍ଦୋଳବାସି ନୂତନ ବିଧାୟକ ଭାବେ କାହାକୁ ଦେଖିବାକୁ ପାଇବେ ଜଣାପଡିବ  ।

Leave a Reply

Your email address will not be published. Required fields are marked *