କେନ୍ଦ୍ରାପଡ଼ା, ୧୯/୦୫/୨୦୨୪(ଓଡ଼ିଶା ସମାଚାର)- ଭାରତର ନିର୍ବାଚନ କମିଶନ୍ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଧେଶକ୍ରମେ ପର୍ଯ୍ୟବେକ୍ଷକ, ସମସ୍ତ ରାଜନୈତିକ ଦଳ ଓ ସାଧାରଣ ନିର୍ବାଚନ-୨୦୨୪ରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ଉପସ୍ଥିତିରେ ବାଲାଟ୍ ୟୁନିଟ୍ (ବିୟୁ), କଂଟ୍ରୋଲ ୟୁନିଟ୍(ସିୟୁ) ଓ ଭିଭିପାଟ୍ ର ଦ୍ୱିତୀୟ ପର୍ଯ୍ୟାୟ ରାଣ୍ଡମାଇଜେସନ୍ ଆଜି ଶେଷ ହୋଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଜିଲା ନିର୍ବାଚନ ଅଧିକାରୀ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରାଣ୍ଡମାଇଜେସନ୍ ପ୍ରକ୍ରିୟାରେ ସାଧାରଣ ପର୍ଯ୍ୟବେକ୍ଷକ ଭରତ କୁମାର ଭାସବା ଓ ସାକେତ ମାଲବିୟ, ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭୁବନେଶ୍ୱରୀ ଏସ୍, ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଓ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ଉପସ୍ଥିତିରେ ଏହା ସମ୍ପାଦନ କରାଯାଇଥିଲା । ପ୍ରତିଟି ବାଲାଟ୍ ୟୁନିଟ୍, କଂଟ୍ରୋଲ ୟୁନିଟ୍ ଓ ଭିଭିପାଟର କ୍ରମିକ ନମ୍ବରକୁ ର୍ୟାଣ୍ଡମଲି ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର ଓ ମହାକାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ୍ ସହ ଅନଲାଇନ୍ ମାଧ୍ୟମରେ ସ୍ୱଚ୍ଛ ଓ ନିରପେକ୍ଷ ଭାବରେ ସଂଯୋଗ କରାଯାଇଥିଲା । ସୂଚନାଯୋଗ୍ୟ ଗୋଟିଏ ବୁଥ୍ ପାଇଁ ବାଲାଟ୍ ୟୁନିଟ୍, କଂଟ୍ରୋଲ ୟୁନିଟ୍ ଓ ଭିଭିପାଟ୍ର ଆବଶ୍ୟକତା ରହିଥାଏ । ମାତ୍ର ବିୟୁ/ସିୟୁ/ଭିଭିପାଟ୍ କେଉଁ କ୍ରମିକ ନମ୍ବର କେଉଁ ବୁଥ୍କୁ ଯିବ ତାହା ମନୁଷ୍ୟକୃତ ହେଲେ ନିରପେକ୍ଷ ହୋଇନପାରିବାର ସମ୍ଭାବନା ଥିବାରୁ ତାହାକୁ ଅନଲାଇନ୍ ଯୋଗେ କମ୍ପୁଟରରେ କରିବାକୁ ନିର୍ଦ୍ଧେଶ ରହିଛି । ପ୍ରଥମ ରାଉଣ୍ଡରେ ବିୟୁ/ସିୟୁ/ଭିଭିପାଟ୍ କ୍ରମିକ ନମ୍ବର ଗୋଟିଏ ବୁଥ୍ ପାଇଁ ଯାହା ରହିଥିବ ପରବର୍ତି ରାଉଣ୍ଡରେ ତାହା ଅନ୍ୟତ୍ର ପରିବର୍ତନ ହୋଇଥାଏ । ଅର୍ଥାତ୍ କେଉଁ କ୍ରମିକ ନମ୍ବର କେଉଁ ବୁଥ୍ କୁ ଯିବ ତାହା କେହି କହିପାରିବେ ନାହିଁ । ରାଣ୍ଡମ୍ ଲି ଏହି କ୍ରମିକ ନମ୍ବର ସ୍ୱଚ୍ଛ ଓ ନିରପେକ୍ଷ ଭାବରେ ସଂଯୋଗ ହେଉଥିବାରୁ ଏହାର ନାମ ରାଣ୍ଡମାଇଜେସନ୍ । ନିୟମାନୁସାରେ ମୋଟ୍ ୫ଟି ରାଉଣ୍ଡ ରାଣ୍ଡମାଇଜେସନ୍ ହୋଇପାରିବ । ମାତ୍ର ଯେଉଁ ରାଉଣ୍ଡରେ ସମସ୍ତ ରାଜନୈତିକ ଦଳ ସହମତି ପ୍ରକାଶ କରିବେ ସେହି ରାଉଣ୍ଡର ତଥ୍ୟ ଅନୁସାରେ ବିୟୁ/ସିୟୁ/ଭିଭିପାଟ୍ ର ନମ୍ବରିଙ୍ଗ୍ କରାଯାଇ ସେହି ବୁଥ୍ କୁ ପଠାଯିବ । ପୁନଶ୍ଚ ସେହି ନମ୍ବରର ବିୟୁ/ସିୟୁ/ଭିଭିପାଟ୍ ବାସ୍ତବରେ ସେହି ବୁଥ୍ କୁ ଯାଇଛି ନା ନାହିଁ ତାହାକୁ ଭୋଟ୍ ଗ୍ରହଣ ଦିନ ବୁଥ୍ ର ନିୟୋଜିତ ହୋଇଥିବା ପଲିଟିକାଲ୍ ଏଜେଂଟମାନେ ଚେକ୍ କରିପାରିବେ । ଏହି ରାଣ୍ଡମାଇଜେସନ୍ କାର୍ଯ୍ୟକ୍ରମରେ ଅତିରିକ୍ତି ଜିଲା ନିର୍ବାଚନ ଅଧିକାରୀ ତଥା ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ପୀତାମ୍ବର ସାମଲ, ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ନୀଲୁ ମହାପାତ୍ର, କେନ୍ଦ୍ରାପଡ଼ା ଓ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ରବିନ୍ଦ୍ର କୁମାର ପ୍ରଧାନ, ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ଅଶୋକ କୁମାର ଦାଶ, ଉପ-ଜିଲା ନିର୍ବାଚନ ଅଧିକାରୀ ରମେଶ ଚନ୍ଦ୍ର ପଣ୍ଡା, କେନ୍ଦ୍ରାପଡ଼ା ଜିଲାର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ଏଆରଓ, ଜିଲା ଇ-ଗଭର୍ଣ୍ଣାସ୍ ପରିଚାଳକ ଜ୍ଞାନରଞ୍ଜନ ସେଠୀ, ଡେପୁଟି କଲେକ୍ଟର ପଲ୍ଲବୀ ପାତ୍ର ଓ ପଲ୍ଲବୀ ପ୍ରିୟଦର୍ଶିନୀ ପ୍ରମୂଖ ଉପସ୍ଥିତ ଥିଲେ । ସେହିପରି ପଫୁଲ୍ଲ କୁମାର ଦାସ, ଜ୍ୟୋତି ପ୍ରକାଶ ଘୋଷ, ଶେଖ୍ ସାଦିକା ହୁସେନ୍, ସୁପ୍ରଭା ଦାସ, ସୌଭାଗ୍ୟ କେତନ ସାମଲ, ସନ୍ତୋଷ କୁମାର ପାତ୍ର, ନାରାୟଣ ଚନ୍ଦ୍ର ରାଉତ, ଧିରେନ୍ କୁମାର ସାହୁ, ପ୍ରଦୀପ କୁମାର ଦାସ, ପ୍ରଶାନ୍ତ କୁମାର ପାତ୍ର, ମନୋଜ କୁମାର ରାଉତ, ମହେନ୍ଦ୍ର ବାଇ ପ୍ରମୁଖ ସଦ୍ଭାବନା ସଭାକକ୍ଷରେ ଉପସ୍ଥିତ ଥିଲେ । ସେମାନେ ଜିଲା ପ୍ରଶାସନ ପକ୍ଷରୁ ରାଣ୍ଡମାଇଜେସନ୍ ପାଇଁ ନିଆଯାଇଥିବା ସମସ୍ତ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିବା ସହ ନିଜ ନିଜର ଆତ୍ମ ସନ୍ତୋଷ ପ୍ରକଟ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ ରାଣ୍ଡାମାଇଜେସନ ପରେ ଗରାପୁର କପାଳେଶ୍ୱରସ୍ଥିତ ୱେୟାରହାଉସରେ ଗଛିତ ଥିବା ସମସ୍ତ ଇଭିଏମ୍ ମେସିନ୍ କୁ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ପୂର୍ଣ୍ଣ ପ୍ରସ୍ତୁତ ଷ୍ଟ୍ରଙ୍ଗ୍ ରୁମ୍ କୁ ସ୍ଥାନାନ୍ତର କରାଯାଇଛି । ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଏହାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସମସ୍ତଙ୍କ ଉପସ୍ଥିତିରେ ମଧ୍ୟ ଏହାକୁ ଷ୍ଟ୍ରଙ୍ଗ୍ ରୁମ୍ ରେ ରଖି ତାଲା ଦିଆଯିବ । ସ୍ୱଚ୍ଛ, ଅବାଧ, ନିରପେକ୍ଷ ନିର୍ବାଚନ ପାଇଁ ୨୪ ଘଂଟିଆ ସଶସ୍ତ୍ର ପୋଲିସ ବାହିନୀର କଡ଼ା ସୁରକ୍ଷାବଳୟ ଏବଂ ସିସିଟିଭି ସୁପରିଭିଜନ ମଧ୍ୟରେ ଏହି ମେସିନ୍ ରହିବ ।