ଜଗତସିଂହପୁର, ୧୬/୦୫/୨୦୨୪ (ଓଡ଼ିଶା ସମାଚାର)-ଆଜି ସାଧାରଣ ପର୍ୟ୍ୟବେକ୍ଷକ ଡ ଏଚ ପି ତୁମୋଡ (ଭା .ପ୍ର .ସେ) ଙ୍କ ଅଧ୍ୟକ୍ଷତାରେ, ଜିଲ୍ଲାପାଳ ଙ୍କ କାର୍ୟ୍ୟଳୟର ସଦ୍ଭାବନା ସଭାଗୃହରେ ସାଧାରଣ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଡ ତୁମୋଡ ନିର୍ବାଚନ ରେ ନିୟୋଜିତ ସମସ୍ତ ୪ ଜଣ ଆର୍ ଓ ,ଏ. ଆର୍.ଓ ମାନଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ର ପ୍ରାରମ୍ଭରେ ଡ ତୁମୋଡ ନିର୍ବାଚନ ମଣ୍ଡଳୀ ରେ ଆଦର୍ଶ ଆଚରଣ ବିଧି ର କଡାକଡି ପାଳନ, ନିର୍ବାଚନ ଶାନ୍ତି ଓ ଶୃଙ୍ଖଳାର ସହ ପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥି ସହିତ ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ବିଭିନ୍ନ ସମ୍ବେଦନଶିଳ ପୋଲିଙ୍ଗ ଷ୍ଟେସନ ମାନଙ୍କରେ ଶାନ୍ତି ଓ ଶୃଙ୍ଖଳା ର ସହ ଅବାଧ, ନିର୍ଭୁଲ ଓ ନିରପେକ୍ଷ ଭାବେ ଯେପରି ନିର୍ବାଚନ ପରିଚାଳନା ହୋଇପାରିବ ସେହି ବିଷୟରେ ସେ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ଏହା ସହିତ ସାଧାରଣ ନିର୍ବାଚନ କୁ ଦୃଷ୍ଟିରେ ରଖି ପୋଲିସ ଏବଂ ଅବକାରୀ ବିଭାଗକୁ ସେନସିଟିଭ ଜୋନ ମାନଙ୍କରେ ସରଭେଲାନ୍ସ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହା ପରେ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ଜିଲ୍ଲା ରେ ଭୋଟିଙ୍ଗ ପ୍ରକ୍ରିୟା ଓ ଏଥିନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ବ୍ୟାପକ ପ୍ରସ୍ତୁତି ସମ୍ବନ୍ଧରେ ସବିଶେଷ ଆଲୋଚନା କରିଥିଲେ। ନିର୍ବାଚନ ପ୍ରକ୍ରିୟା ରେ ଇଲେକ୍ଟୋରାଲ ରୋଲ ,ପୋଷ୍ଟାଲ ବ୍ୟାଲଟ ପ୍ରକିୟା , ଇଭିଏମ ଭିଭିପ୍ୟାଟ ମେସିନ ର ପରିଚାଳନା,ଏମ୍ ସି ଏମ୍ ସି, ମଡେଲ ପୋଲିଙ୍ଗ ଷ୍ଟେସନ, ସଖୀବୁଥ୍, ୟୁଥ ଏବଂ ଇକୋଫ୍ରେଣ୍ଡଲି ବୁଥ୍,ବୁଥ ଗୁଡିକ ରେ ଆବଶ୍ୟକୀୟ ସୁବିଧାସୁଯୋଗ, କାଉଣ୍ଟିଙ୍ଗ ସେଣ୍ଟର ରେ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ଏ. ସି, ପାନୀୟଜଳ ଆଦିର ବ୍ୟବସ୍ଥା ର ତଦାରଖ କରିଥିଲେ ଡ ତୁମୋଡ। ଭୋଟର ସଚେତନତା ନିମନ୍ତେ ହୋଇଥିବା sveep (ସ୍ୱିପ)କାର୍ୟ୍ୟକ୍ରମ ବିଷୟରେ ମଧ୍ୟ ନୋଡାଲ ଅଧିକାରୀ ଙ୍କୁ ପଚାରି ବୁଝିଥିଲେ। ନିର୍ବାଚନ କୁ ସଫଳ କରିବା ଦିଗରେ ପୋଲିଂ ଓ ପ୍ରିଜାଇଡିଂ ଅଧିକାରୀ ମାନଙ୍କ ପ୍ରଶିକ୍ଷଣ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ। ତେଣୁ ଏହି ପ୍ରଶିକ୍ଷଣ ପ୍ରକ୍ରିୟା ରେ ପ୍ରଶିକ୍ଷିତ ଡି ଏଲ୍ ଏମ୍ ଟି ମାନଙ୍କ ଭୂମିକା ଉପରେ ଆଲୋକପାତ କରିବାକୁ ଯାଇ ଆର୍. ଓ ମାନଙ୍କ ସହିତ ସେକ୍ଟର ଅଫିସର ମାନଙ୍କୁ ମଧ୍ୟ ଏହି କାର୍ୟ୍ୟରେ ସମ୍ପୃକ୍ତ କରିବାକୁ ଉପଦେଶ ଦେଇଥିଲେ । ଜିଲ୍ଲାର ୪ ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଜଗତସିଂହପୁର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ପାଇଁ ପି -୧ ଡିସପରସାଲ ଥିବା ବେଳେ ପାରାଦ୍ଵୀପ ଓ ବାଲିକୁଦା -ଏରସମା ନିମନ୍ତେ ଏହା ପି -୨ ରହିଛି ବୋଲି ସୂଚନା ଦେଇଥିଲେ ଜିଲ୍ଲାପାଳ। ଏହି ପି -୨ ଡିସପରସାଲ ସେଣ୍ଟର, ବୁଥ୍ ଗୁଡିକ ରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଅବଲମ୍ବନ କରିବା ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ପି ଆର୍ ଙ୍କ ସହ ଆଲୋଚନା କରିଥିଲେ । ଚଳିତ ନିର୍ବାଚନ ପ୍ରକ୍ରିୟା ରେ ୬୦ ପ୍ରତିଶତ ବୁଥ ରେ ୱେବ୍ କାଷ୍ଟିଂ ବ୍ୟବସ୍ଥା ଥିବାରୁ ୩୦,୩୧ ଓ ୧ ତାରିଖ ଦିନ ନେଟୱର୍କ ଓ ପାୱାର ବିଭ୍ରାଟ କୁ ଦୂର କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ପର୍ୟ୍ୟବେକ୍ଷକ। ଏଥି ସହିତ ସ୍ଵାମୀ ବିବେକାନନ୍ଦ ସ୍ମାରକୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଷ୍ଟ୍ରଙ୍ଗ ରୁମ ରେ ସମସ୍ତ ମେସିନ ସୁରକ୍ଷା ର ସହ ରଖା ଯିବାର ବ୍ୟବସ୍ଥା ସମ୍ବନ୍ଧରେ ଆଲୋଚନା କରିଥିଲେ। ଶେଷରେ ନିର୍ବାଚନ କୁ ସଠିକ ରୂପେ ପରିଚାଳନା କରିବା ନିମନ୍ତେ ନିୟୋଜିତ ସମସ୍ତ ୧୬ ଟି ଥିମ୍ ର ନୋଡାଲ ଅଧିକାରୀ ମାନଙ୍କ ସହ ଆଲୋଚନା କରିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ପ୍ରକାଶଯୋଗ୍ୟ ଯେ ଆସନ୍ତା ଜୁନ୍ ୧ତାରିଖରେ ଜଗତସିଂହପୁର ଲୋକସଭା ଓ ୪ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବାକୁ ଥିବା ବେଳେ ଜୁନ ମାସ ୪ ତାରିଖ ଦିନ ଭୋଟ ଗଣତି ପ୍ରକିୟା ଅନୁଷ୍ଠିତ ହେବ। ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ପି ଆର୍, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ୍ ରାଉତ, ଅତିରିକ୍ତ ଜିଲ୍ଲାପାଳ, ପାରାଦ୍ଵୀପ, ଶ୍ରୀ ଲଲିତ ମୋହନ ବେହେରା, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ଉନ୍ନୟନ ଅଧିକାରୀ ଶ୍ରୀ ରବିନାରାୟଣ ଜେଠୀ, ଉପ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଉପଜିଲ୍ଲାପାଳ,ଡେପୁଟି କଲେକ୍ଟର ନିର୍ବାଚନ, ଜଗତସିଂହପୁର ମୁନିସିପାଲିଟି ନିର୍ବାହୀ ଅଧିକାରୀ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।