ଜିଲା ପ୍ରଶାସନ ଶାସକଦଳର ହାତ ବାରିଶୀ ସାଜିଛି : ବିଜେପି

କେନ୍ଦ୍ରାପଡ଼ÿା, ୧୬/୦୫/୨୦୨୪ (ଓଡ଼ିଶା ସମାଚାର)- ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଗରାପୁର ସ୍ଥିତ ସ୍ୱୟଂସିଦ୍ଧା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ବିଜେପିର ପୂର୍ବତନ ଜିଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦୁର୍ଯୋଧନ ସାହୁ ଏଥିରେ ଯୋଗଦେଇ ସାମ୍ବାଦିକ ମାନଙ୍କୁ କହିଲେ ଯେ ବିଜେପି ସଦା ସର୍ବଦା ନିର୍ବାଚନ ଆଚରଣ ବିଧିକୁ ସମ୍ମାନ ଜଣାଇ ସୁସ୍ଥ, ନିରପେକ୍ଷ ତଥା ଶାନ୍ତିପୂର୍ଣ୍ଣ ନିର୍ବାଚନ ଚାହେଁ । କିନ୍ତୁ ରାଜ୍ୟରେ ଶାସନ କରୁଥିବା ଶାସକ ଦଳ ବର୍ତମାନ ଆଚରଣ ବିଧିକୁ ଖୋଲାଖୋଲି ଉଲ୍ଲଂଘନ କରୁଛି । ବର୍ତମାନ ଅଙ୍ଗନୱାର୍ଡି କର୍ମୀ, ଆଶା କର୍ମୀ, ମିଶନ ଶକ୍ତିର ଏମବିକେ, ସିଆରପି, ଶିକ୍ଷକ ଓ ଅଧ୍ୟାପକଙ୍କ ଠାରୁ ଆରମ୍ଭ କରି ଅନେକ ସରକାରୀ କର୍ମଚାରୀ ଶାସକ ଦଳରେ ଖୁଲମଖୁଲା ପ୍ରଚାରରେ ସାମିଲ ହେଉଛନ୍ତି । ନିକଟରେ ମାର୍ଶାଘାଇ ମିଶନ ଶକ୍ତି ଫେଡେରେସନର ଜନୈକ ସଭାନେତ୍ରୀ, ତାରିଣୀ କଲେଜର କ୍ରୀଡା ବିଭାଗର ଜନୈକ ଅଧ୍ୟାପକଙ୍କ ବିଜେଡି ରାଲିରେ ଯୋଗଦେବା ଓ ଏହାର ଭିଡିଓ ଭାଇରାଲ ହେବା ଘଟଣା ଏହାର ଅନ୍ୟତମ ଉଦାହରଣ । ସେହିପରି ସରକାରୀ ବେତନଭୋଗୀ ସରକାରୀ ଓକିଲ ମାନେ ଦଳୀୟ ପର୍ଯ୍ୟବେକ୍ଷକ ଭାବେ ଶାସକ ଦଳ ପ୍ରାର୍ଥୀମାନଙ୍କର ନିର୍ବାଚନର ସିଧାସଳଖ ଦାୟିତ୍ୱ ନେବା ନିର୍ବାଚନ ଆଚରଣ ବିଧିର ଉଲଂଘନ ନୁହେଁ କି ବୋଲି ଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି । ସେହିପରି ଜିଲାର ଅନେକ ସ୍ଥାନରେ ଶାସକ ଦଳର ବ୍ୟାନର ପୋଷ୍ଟର ଲାଗିଥିବା ବେଳେ ଶାସକ ଦଳର ଇଙ୍ଗିତରେ ପୋଲିସ ଉଦ୍ଧେଶ୍ୟମୂଳକ ଭାବରେ ବିଜେପିର ବ୍ୟାନର, ପତାକା ଓ ପୋଷ୍ଟରକୁ ଚିରିଦେବା, ନିର୍ବାଚନ ସାମଗ୍ରୀ ନେଉଥିବା ଗାଡ଼ିକୁ ବଳପୂର୍ବକ ଅଟକାଇବା, କେବଳ ବିଜେପି ନେତାଙ୍କ ଗାଡିରୁ ଦଳୀୟ ପତାକା ଖୋଲିଦେବା ଓ ଅନୁମତି ନାଁରେ ବିଭିନ୍ନ ସଭା ସମିତିକୁ ଭଣ୍ଡୁର କରିବା କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ଶ୍ରୀ ସାହୁ କହିଥିଲେ । ଏ ବାବଦରେ ଜିଲାପାଳ ତଥା ଜିଲା ମୁଖ୍ୟ ନିର୍ବାଚନ କମିଶନରଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ଏହା ବିରୁଦ୍ଧରେ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆ ଯାଇ ନାହିଁ ବୋଲି ଶ୍ରୀ ସାହୁ ଅଭିଯୋଗ କରିଥିଲେ । ଜିଲାର ସାଧାରଣ ଜନତା ବିଜେଡି ଦଳର ଏହି ଏକଛତ୍ରବାଦ କାର୍ଯ୍ୟକଳାପ ବିଷୟରେ ଅବଗତ ହେଲେଣି । ଯଦି କୌଣସି ସରକାରୀ କର୍ମଚାରୀ ଆଚରଣ ବିଧି ଉଲ୍ଲଂଘନ କରି କୌଣସି କାର୍ଯ୍ୟ କରନ୍ତି ତେବେ ସାଧାରଣ ଜନତା ଏହାର ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପଛାଇବେ ନାହିଁ ବୋଲି ଶ୍ରୀ ସାହୁ ଦୃଢୋକ୍ତି ପ୍ରକାଶ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲା ଉପସଭାପତି ଅଭିମନ୍ୟୁ ଗୋଛାୟତ, ବରିଷ୍ଠ ନେତା ଗଗନ ବିହାରୀ ସାହୁ, ଆଡଭୋକେଟ ସୁବ୍ରତ ପଟ୍ଟନାୟକ, ସୁବାସ ସାହୁ, ସୁଧୀର କୁମାର ପରିଡ଼ା ଓ ମିଡିଆ ସେଲ ପ୍ରମୁଖ ନେହେରୁ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *