ଆନ୍ତର୍ଜାତୀୟ ରେଡକ୍ରସ ଗଠନର କର୍ଣ୍ଣଧାର ହେନେରୀ ଡୁନାଣ୍ଟଙ୍କୁ ଆଜି ବିଶ୍ୱ ରେଡକ୍ରସ ଦିବସ ପାଳନରେ ଗଭୀର ଶ୍ରଦ୍ଧାଂଜଳି ।

ଯାଜପୁର, ୦୮/୦୫/୨୦୨୪ (ଓଡ଼ିଶା ସମାଚାର)- ଆନ୍ତର୍ଜାତୀୟ ରେଡକ୍ରସ ଗଠନର କର୍ଣ୍ଣଧାର ହେନେରୀ ଡୁନାଣ୍ଟଙ୍କୁ ଆଜି ବିଶ୍ୱ ରେଡକ୍ରସ ଦିବସ ପାଳନରେ ଗଭୀର ଶ୍ରଦ୍ଧାଂଜଳି ଜ୍ଞାପନ କରାଯାଇଛି । ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲା ରେଡକ୍ରସ୍ ସଂଘ ସାଧାରଣ ସଂପାଦକ ଶ୍ରୀ କୂଳମଣି ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ଦିବସ ପାଳନରେ ଜିଲାପାଳ ଏବଂ ଜିଲା ମାଜିଷ୍ଟ୍ରେଟ୍ ଶ୍ରୀ ନିଖିଲ ପବନ କଲ୍ୟାଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶ୍ୱରେ ରେଡକ୍ରସର ପ୍ରାଣ ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟଙ୍କୁ ପୁଷ୍ପାର୍ଘ୍ୟ ଓ ଧୂପାର୍ଘ୍ୟ ସୁମନ ପୂର୍ବକ ଶ୍ରଦ୍ଧାଂଜଳି ପ୍ରଦାନ କରି ହେନେରୀ ଡୁନାଣ୍ଟ ମାନବିକତାର ଜଣେ ଅଦ୍ୱିତୀୟ ବ୍ୟକ୍ତିତ୍ୱ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲାପାଳ, ପ୍ରଶାସନ, ଯାଜପୁର ଶ୍ରୀ ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲାପାଳ, କଳିଙ୍ଗନଗର ଶ୍ରୀ ଲେଙ୍କଶ୍ୱର ଅମାତ, ଅତିରିକ୍ତ ଜିଲାପାଳ, ରାଜସ୍ୱ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ, ଜିଲାପାଳଙ୍କ ସ୍ୱତନ୍ତ୍ର ଅଧିକାରୀ ଏବଂ ଜିଲା ରେଡକ୍ରସ ସଂସ୍ଥାର ସାଧାରଣ ସଂପାଦକ ଶ୍ରୀ କୂଳମଣି ନାୟକ ହେନେରୀ ଡୁନାଣ୍ଟଙ୍କ ପଂଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ ।
ଏଠାରେ ଉଲ୍ଳେଖଯୋଗ୍ୟ ଯେ, ପ୍ରତି ବର୍ଷ ମଇଁ ୮ ତାରିଖରେ ବିଶ୍ୱ ରେଡକ୍ରସ୍ ଦିବସ ପାଳନ କରାଯାଇ ହେନେରୀ ଡୁନାଣ୍ଟଙ୍କ ମାନବବାଦର ମାନବିକତାକୁ ସ୍ମୃତିଚାରଣ କରିବା ସହ ଦୁଃଖୀରଙ୍କି, ଯେ କୌଣସି ଦୁର୍ବିିପାକ ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତଥା ଯୁଦ୍ଧ ସମୟରେ ରେଡକ୍ରସ ମାନବଧର୍ମ , ମାନବବାଦ ଓ ମାନବିକତାକୁ ଜାଗ୍ରତ କରାଇ ରେଡକ୍ରସ କର୍ମୀ ମାନଙ୍କୁ ପ୍ରୋତ୍ସାହିତ କରିବା ଏହି ଦିବସ ପାଳନର ଲକ୍ଷ୍ୟ ଅଟେ ।
ପ୍ରକାଶ ଥାଉ କି, ଏହି ବିଶ୍ୱ ରେଡକ୍ରସ ଦିବସ ଚଳିତ ନିର୍ବାଚନ ଆଚରଣବିଧି କଟକଣା ଜାରି ଥିବାରୁ ଏବଂ ପ୍ରାର୍ଥୀ ମାନଙ୍କ ନାମାଙ୍କନପତ୍ର ଦାଖଲ କରିବା ପ୍ରକ୍ରିୟା ଚାଲିଥିବାରୁ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନିରାଡମ୍ୱର ଭାବେ ପାଳନ କରାଯାଇଥିଲା ।
ଦିବସରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲା କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଊପସ୍ଥିତ ଥିଲେ । ୨୦୨୪ ବିଶ୍ୱ ରେଡକ୍ରସ ଦିବସର ବାର୍ତା “ମୁଁ ଖୁସି ସମସ୍ତଙ୍କୁ ଦେବି ଏବଂ ଖୁସି ଦେବା ହିଁ ମୋର ପୁରସ୍କାର” ।

Leave a Reply

Your email address will not be published. Required fields are marked *