ଫୁଲବାଣୀ, ୦୭/୦୫/୨୦୨୪ (ଓଡ଼ିଶା ସମାଚାର)- କୁଖ୍ୟାତ ମାଓବାଦୀ ତଥା କେକେବିଏନ ସଙ୍ଗଠନର ଡିଭିଜନାଲ କମିଟି ମେମ୍ବର ସାମାୟା ମାଡକାମ ମଙ୍ଗଳବାର ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ସେ ଏହି ଡିଭିଜନର ଅଷ୍ଟମ କମ୍ପାନୀର ପ୍ରଥମ ପ୍ଲାଟୁନରେ କମାଣ୍ଡର ଭାବେ କାର୍ଯ୍ୟ କରୁଥିଲା ବୋଲି ସ୍ଥାନୀୟ ଜିଲା ପୁଲିସ ମୁଖ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣାଞ୍ଚଳ ଆଇଜି ଜୟ ନାରାୟଣ ପଙ୍କଜ ପ୍ରକାଶ କରିଛନ୍ତି । ଆଇଜିଙ୍କ ସୂଚନା ଅନୁଯାୟୀ, ସାମାୟାଙ୍କ ଘର ଛତିଶଗଡ଼ ରାଜ୍ୟର ସୁକମା ଜିଲା ଅନ୍ତର୍ଗତ କିସ୍ତାରାମ ଥାନାର ମଙ୍ଗଳଗୁଡା ଗ୍ରାମରେ। ସେ ୨୦୦୫ ମସିହାରେ ମାତ୍ର ୧୦ ବର୍ଷ ବୟସରେ ମାଓ ସଙ୍ଗଠନରେ ସାମିଲ ହୋଇଥିଲା। ଛତିଶଗଡ଼ର ବିଭିନ୍ନ ସଙ୍ଗଠନରେ କାର୍ଯ୍ୟ କରିବା ପରେ ସେ ଦୁଇ ବର୍ଷ ତଳେ କେକେବିଏନ ସଙ୍ଗଠନରେ ସାମିଲ ହୋଇ ଓଡ଼ିଶା ଆସିଥିଲା। ସେ ବିଭିନ୍ନ ହିଂସାତ୍ମକ କାର୍ଯ୍ୟକଳାପରେ ଲିପ୍ତ ଥିବାବେଳେ ତା’ ନାମରେ କନ୍ଧମାଳ, ବୌଦ୍ଧ ଓ ନୂଆପଡା ଜିଲାରେ ୧୭ରୁ ଅଧିକ ମାମଲା ରହିଥିବା ଆଇଜି ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ଥଇଥାନ ଯୋଜନା ଦ୍ବାରା ଆକୃଷ୍ଟ ହେବା ସହ ମାଓ ସଙ୍ଗଠନର ଜନବିରୋଧୀ କାର୍ଯ୍ୟକଳାପ ପ୍ରତି ବିତସ୍ପୃହ ହୋଇ ସାମାୟା ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛି ।ଆତ୍ମସମର୍ପଣ କରିଥିବା ସାମାୟାଙ୍କୁ ଆଇଜି ଏବଂ କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ଫୁଲତୋଡା ଦେଇ ସ୍ବାଗତ କରିଥିଲେ। ହିଂସା ତ୍ୟାଗକରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବାରୁ ସାମାୟା ଅତ୍ୟନ୍ତ ଖୁସି ଅନୁଭବ କରୁଥିବା ପ୍ରକାଶ କରିଛି । ତାକୁ ରାଜ୍ୟ ସରକାରଙ୍କ ଯୋଜନା ଅନୁସାରେ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କନ୍ଧମାଳ ଏସପି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।
କୁଖ୍ୟାତ ମାଓବାଦୀ ସାମାୟା ମାଡକାମଙ୍କ ଆତ୍ମସମର୍ପଣ
