ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ଉନ୍ମୋଚିତ

ଭୁବନେଶ୍ୱର, ୦୫/୦୫/୨୦୨୪ (ଓଡ଼ିଶା ସମାଚାର)-  ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଛି। ନିର୍ବାଚନୀ ଇସ୍ତାହାରରେ ମହିଳାଙ୍କ ପାଇଁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି, ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା କାର୍ୟ୍ୟକାରୀ କରାଯିବ। ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କାର କ୍ୟାସ ଭାଉଚର ମିଳିବ। ୨ ବର୍ଷ ମଧ୍ୟରେ ଏହାକୁ ସେମାନେ ଖର୍ଚ୍ଚ କରିପାରିବେ। ସେହିପରି ଆଗାମୀ ୩ ବର୍ଷ ମଧ୍ୟରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବୁ। ସାରା ରାଜ୍ୟରେ ବିଶ୍ୱସ୍ତରୀୟ ରାସ୍ତା ନିର୍ମାଣ କରାଯିବ। ରାଜଧାନୀରୁ ଗାଁ ପର୍ୟ୍ୟନ୍ତ ୭୫ ହଜାର କିମି ରାସ୍ତା ନିର୍ମାଣ ହେବ। ୨୦୨୯ ମଧ୍ୟରେ ୩.୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ବୋଲି ନଡ୍ଡା କହିଛନ୍ତି।

ଶ୍ରୀ ନଡ୍ଡା ଆହୁରି କହିଛନ୍ତି, ଭାଜପା କ୍ଷମତାକୁ ଆସିଲେ ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ ଓ ବିଧବା ଭତ୍ତା ୩ ହଜାର ଟଙ୍କା କରିବୁ। ଭୁବନେଶ୍ୱର, ରାଉରକେଲା, ବାଲେଶ୍ୱର ଓ ବ୍ରହ୍ମପୁରରେ ହେବ ଆଇଟି ପାର୍କ ନିର୍ମାଣ ହେବ। ଖାଲି ପଡିଥିବା ଦେଢ଼ ଲକ୍ଷ ସରକାରୀ ପଦବୀ ପୂରଣ ହେବ। ସେହିପରି ପିଏମଏୱାଇ ଯୋଜନାରେ ୧୫ ଲକ୍ଷ ଘର ନିର୍ମାଣ କରାଯିବ।

ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାରରେ ଆଉ ଏକ ବଡ଼ ପ୍ରତିଶ୍ରୁତି ଦିଆଯାଇଛି। ଭାଜପା ସରକାରକୁ ଆସିଲେ ରତ୍ନ ଭଣ୍ଡାର ଖୋଲାଯିବ ବୋଲି ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଘୋଷଣା କରିଛନ୍ତି। ସେ କହିଛନ୍ତି, ହଜିଥିବା ରତ୍ନଭଣ୍ଡାର ଚାବିର ତଦନ୍ତ ହେବ ଏବଂ ରତ୍ନଭଣ୍ଡାର ଖୋଲାଯିବ। ରତ୍ନ ଗଣତି, ମଣତି କରାଯାଇ ତଥ୍ୟ ସାର୍ବଜନୀନ ହେବ। କ୍ଷତିଗ୍ରସ୍ତ ହୋଇଥିବା ମଠ ଗୁଡ଼ିକର ପୁନରୁଦ୍ଧାର କରାଯିବ। କେବଳ ଏତିକି ନୁହେଁ, ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲି ଦିଆଯିବ। ଶ୍ରୀମନ୍ଦିର ପ୍ରଶାସନରେ ଚାଲିଥିବା ଅବ୍ୟବସ୍ଥା ଦୂର କରାଯିବ। ଶ୍ରୀମନ୍ଦିର ପ୍ରଶାସନକୁ ସଂପୂର୍ଣ୍ଣ ସ୍ବଚ୍ଛତାର ସହ ପରିଚାଳନା କରାଯିବ।

ଏହାସହ ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ ଅବସରରେ ଜେପି ନଡ୍ଡା ବିଜେଡି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ବିକାଶ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡି ପଡିଛି। ମହିଳା ନିର୍ୟାତନାରେ ଓଡ଼ିଶା ଦେଶରେ ନମ୍ବର-୧ ହୋଇଛି। ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ପଳାଉଛନ୍ତି, ଏଠାକାର ସରକାରଙ୍କୁ ସେ ବିଷୟରେ ଚିନ୍ତା ନାହିଁ। ଚାଷୀଙ୍କୁ ସେମାନଙ୍କ ଫସଲର ଉପଯୁକ୍ତ ମୂଲ୍ୟ ମିଳୁନାହିଁ। ବଳାତ୍କାର, ହତ୍ୟାରେ ବିଜେଡି ଦଳର ନେତା ସଂପୃକ୍ତ ଅଛନ୍ତି। ବିଜେଡିର ୪୫ରୁ ଅଧିକ ବିଧାୟକ ବିଭିନ୍ନ ଅପରାଧରେ ସଂପୃକ୍ତ ଅଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ଏଠାରେ ଆୟୁଷ୍ମାନ ଭାରତ ଲାଗୁ ହେଉନି। ସ୍ବାସ୍ଥ୍ୟ ବ୍ୟବସ୍ଥା, ହସ୍ପିଟାଲ କୋମାକୁ ଚାଲିଯାଇଛି। ଆଜି ଓଡ଼ିଶା କେବଳ ଜଗନ୍ନାଥଙ୍କ କୃପାରୁ ଚାଲିଛି।

ସରକାରକୁ ଆସିବାକୁ ଆମେ ନିର୍ବାଚନ ଲଢୁଛୁ। ବିରୋଧୀ ଦଳରେ ବସିବାକୁ ଆମେ ନିର୍ବାଚନ ଲଢୁନୁ ବୋଲି ନଡ୍ଡା ସ୍ପଷ୍ଟ କରିଛନ୍ତି।

ରାଜ୍ୟ ଭାଜପାର ଇସ୍ତାହାରରେ ବିଶେଷ କରି ୪ଟି ବର୍ଗକୁ ଫୋକସ କରାଯାଇଛି। ଏଥିରେ ଯୁବ, ମହିଳା ଓ କୃଷକଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଥିବା ସୂଚନା ମିଳୁଛି।

ଏହି ଅବସରରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ, ପୂର୍ବତନ ସଭାପତି ସମୀର ମହାନ୍ତି, ଭୁବନେଶ୍ୱର ଏମ୍ପି ଅପରାଜିତା ଷଡଙ୍ଗୀ, ଦଳର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ଇସ୍ତାହାରରେ ରହିଛି :

ବିଜେଡିର ସର୍ବବ୍ୟାପ୍ତ ଦୁର୍ନୀତିକୁ ଆମେ ସମାପ୍ତ କରିବୁ। ଦୁର୍ନୀତି ନେଇ ଶୂନ୍ୟ ସହନଶୀଳ ନୀତି ପ୍ରଣୟନ କରିବୁ। ଯାହାର ପଇସା ଯାଇଛି, ନିଶ୍ଚିତ ଆଦାୟ କରିବୁ। ଚିଟ୍‌ଫଣ୍ଡ ପଇସା ୧୮ ମାସ ମଧ୍ୟରେ ଆମେ ଫେରାଇବୁ। ଖଣିଜରୁ ମିଳୁଥିବା ଲାଭ ଓଡ଼ିଶାର ବିକାଶ ପାଇଁ ଲଗାଇବୁ।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧ଶହ ଟଙ୍କା କରିବୁ। ଚାଷୀଙ୍କୁ ଧାନ କ୍ରୟର ୪୮ ଘଣ୍ଟା ମଧ୍ୟରେ ପଇସା ମିଳିଯିବ। କଟନୀ ଛଟନୀ ସଂପୂର୍ଣ୍ଣ ଭାବେ ବନ୍ଦ କରାଯିବ।

ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା- ପ୍ରତି ମହିଳାଙ୍କୁ ୫୦ ହଜାର ମିଳିବ। କ୍ୟାସ୍‌ ଭାଉଚର ମିଳିବ, ୨ ବର୍ଷ ମଧ୍ୟରେ ଏନ୍‌କ୍ୟାସ କରିବେ।

ରାଜ୍ୟ ବାହାରେ ରହୁଥିବା ଓଡ଼ିଆଙ୍କ ପାଇଁ ଦେଶର ସବୁ ମେଟ୍ରୋ ସହରରେ ନିର୍ମାଣ ହେବ ଓଡ଼ିଆ ସମୁଦାୟ ଭବନ ନିର୍ମାଣ କରାଯିବ।

ଆଗାମୀ ୩ ବର୍ଷ ମଧ୍ୟରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବୁ। ଏଥିପାଇଁ ଆମେ ୫୦୦ ସ୍ୱୟଂସହାୟକ ଗୋଷ୍ଠୀର ଏକ ଶିଳ୍ପ କ୍ଲଷ୍ଟର ସୃଷ୍ଟି କରି ଉତ୍ପାଦିତ ସାମଗ୍ରୀର ବିପଣନ ପାଇଁ ସୁବିଧା ପ୍ରଦାନ ଏବଂ ପ୍ରୋତ୍ସାହନ ସହ ପତ୍ପାଦିତ ସାମଗ୍ରୀର ବିକ୍ରି କରିବାର ସୁବିଧା ପ୍ରଦାନ କରିବୁ।

ପ୍ରତ୍ୟେକ ମତ୍ସଜୀବୀଙ୍କୁ ଅଣ ଉତ୍ପାଦନ ସମୟରେ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବୁ।

ସାରା ରାଜ୍ୟରେ ବିଶ୍ୱସ୍ତରୀୟ ରାସ୍ତା ନିର୍ମାଣ କରାଯିବ। ରାଜଧାନୀରୁ ଗାଁ ପର୍ଯ୍ୟନ୍ତ ୭୫ ହଜାର କିମି ରାସ୍ତା ନିର୍ମାଣ ହେବ।

ଓଡ଼ିଶାର ଅର୍ଥନୀତିକୁ ଶ୍ରେଷ୍ଠ କାର୍ଯ୍ୟକ୍ଷମ ଅର୍ଥନୀତିରେ ପରିଣତ କରିବା ସହ ୨୦୨୯ ମଧ୍ୟରେ ୩.୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ। ରାଜ୍ୟର ୪ଟି ଆଇଟି ପାର୍କ- ଭୁବନେଶ୍ୱର, ରାଉରକେଲା, ବାଲେଶ୍ବର, ବ୍ରହ୍ମପୁରରେ ହେବ।

ଓଡ଼ିଆରେ ଆଇନ୍‌, ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମର ପ୍ରଚଳନ କରିବୁ।

ଖାଲି ଥିବା ଦେଢ଼ ଲକ୍ଷ ସରକାରୀ ପଦବୀ ପୂରଣ କରିବୁ। ଏହି ପଦବୀ ପୂରଣରେ OBC ଓ EWS ବର୍ଗକୁ ଅଗ୍ରାଧିକାର ଦେବୁ।

କେନ୍ଦୁପତ୍ର ତୋଳାଳୀ କଲ୍ୟାଣ ଯୋଜନା ଆରମ୍ଭ କରି ଏହାରି ମାଧ୍ୟମରେ କେନ୍ଦୁପତ୍ର କ୍ୟାରୀ ପିଛା ୨ଟଙ୍କାରେ କିଣିବୁ ଏବଂ କେନ୍ଦୁପତ୍ର ତୋଳାଳୀଙ୍କୁ ୩୫ ପ୍ରତିଶତ ଓ କେନ୍ଦୁପତ୍ର ବନ୍ଧାଳୀଙ୍କୁ ୧୦ ପ୍ରତିଶତ ବୋନସ ଦେବୁ।

ପିଏମ୍‌ଏୱାଇ ଯୋଜନାରେ ୧୫ ଲକ୍ଷ ଘର ନିର୍ମାଣ କରିବୁ।

ବିଜେପି ସରକାରକୁ ଆସିଲେ ରତ୍ନ ଭଣ୍ଡାର ଖୋଲାଯିବ। ହଜିଥିବା ଚାବିର ତଦନ୍ତ ହେବ, ରତ୍ନଭଣ୍ଡାର ଖୋଲାଯିବ। ରତ୍ନ ଗଣତି, ମଣତି କରାଯାଇ ତଥ୍ୟ ସାର୍ବଜନୀନ ହେବ। କ୍ଷତିଗ୍ରସ୍ତ ହୋଇଥିବା ମଠ ଗୁଡ଼ିକର ପୁନରୁଦ୍ଧାର କରାଯିବ। ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲି ଦିଆଯିବ। ଶ୍ରୀମନ୍ଦିର ପ୍ରଶାସନରେ ଚାଲିଥିବା ଅବ୍ୟବସ୍ଥା ଦୂର କରାଯିବ। ଶ୍ରୀମନ୍ଦିର ପ୍ରଶାସନକୁ ସଂପୂର୍ଣ୍ଣ ସ୍ୱଚ୍ଛତାର ସହ ପରିଚାଳନା କରାଯିବ।

ବୁଣାକାରଙ୍କ ଜୀବୀକାର ଉନ୍ନତି ପାଇଁ ପଶ୍ଚିମ ଓଡ଼ିଶାରେ ୩ଟି ଇଣ୍ଟିଗ୍ରେଟେଡ୍ ଟେକ୍ସଟାଇଲ୍ ପାର୍କ ସ୍ଥାପନ କରି ୫୧ ହଜାରରୁ ଅଧିକ ଚାକିରି ସୃଷ୍ଟି। ବୁଣାକାର ସମ୍ମାନ ନିଧି ଜରିଆରେ ପ୍ରତ୍ୟକ ବୁଣାକାରଙ୍କୁ ମାସିକ ସାଢ଼େ ୩ ହଜାର ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯିବ।

ଅଣସଂଗଠିତ କ୍ଷେତ୍ରରେ ଶ୍ରମିକମାନଙ୍କୁ ୫ ଲକ୍ଷ ଟଙ୍କାର ବୀମା କଭରେଜ୍‌।

କ୍ଷମତାକୁ ଆସିଲେ ୧୦୦ ଦିନ ମଧ୍ୟରେ ଦେଶର ସବୁଠାରୁ ବଡ଼ ସ୍ୱାସ୍ଥ୍ୟବୀମା ଯୋଜନା ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଯ୍ୟକାରୀ କରିବୁ।

ବିଦ୍ୟାଳୟ ଗୁଡ଼ିକରେ ଡ୍ରପଆଉଟକୁ ରୋକିବା ପାଇଁ ପ୍ରତ୍ୟେକ ଜନଜାତି ଛାତ୍ରଛାତ୍ରୀଙ୍କୁ ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ମାଧ୍ୟମରେ ବାର୍ଷିକ ୫ ହଜାର ଟଙ୍କା ସହାୟତା ଦେବୁ।

ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ, ବିଧବା ଭତ୍ତା ୩ ହଜାର ଟଙ୍କା କରାଯିବ।

ମିଶନ ସ୍ୱାସ୍ଥ୍ୟ ଓଡ଼ିଶା ଯୋଜନାରେ ୧୦୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉପଖଣ୍ତସ୍ତରୀୟ ଡାକ୍ତରଖାନା କରିବୁ। ପ୍ରତ୍ୟେକ ଜିଲ୍ଲାରେ ନର୍ସିଂ କଲେଜ, ଏକ ମେଡିକାଲ କଲେଜ୍‌ ଓ ସୁପରସ୍ପେଶାଲିଷ୍ଟ ମେଡିକାଲ ନିର୍ମାଣ କରିବୁ।

ପର୍ଯ୍ୟଟନ ଅର୍ଥନୀତିକୁ ବଢ଼ାଇବା ସହ ନୂତନ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବୁ।

ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ମାଗଣାରେ ବିଜୁଳି ଯୋଗାଇବୁ।

Leave a Reply

Your email address will not be published. Required fields are marked *