କେନ୍ଦ୍ରାପଡ଼ା, ୦୧/୦୪/୨୦୨୪ (ଓଡ଼ିଶା ସମାଚାର)-ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ଲୋକସଭା ସଂସଦୀୟ କ୍ଷେତ୍ରର ବିଜେପି ସଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଆଜି ସନ୍ଦ୍ୟାରେ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିଛନ୍ତି । ବିଜେପି ସଂସଦ ପ୍ରାର୍ଥୀ ଶ୍ରୀ ପଣ୍ଡା ଆଜି ଅପରାହ୍ନ ପ୍ରାୟ ୫ଟା ବେଳେ ଦୁହୁରିଆସ୍ଥିତ ପାର୍ଟି କାର୍ଯ୍ୟାଳୟରେ ପହଂଚିବା ପରେ ସେଠାରୁ ଏକ ଖୋଲା ଜିପରେ ଛିଡା ହୋଇ ଶୋଭାଯାତ୍ରାରେ ତିନିମୁହାଣି ଛକ ଓ ସହର ମଧ୍ୟ ଦେଇ ରାତି ପ୍ରାୟ ୮ଟାରେ ପହଂଚିଥିଲେ । ଇଛାପୁର ଠାରେ ପହଂଚିବା ପରେ ଶ୍ରୀବଳଦେବଜୀଉଙ୍କ ମନ୍ଦିରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହ ଆଶିର୍ବାଦ ଭିକ୍ଷା କରିଥିଲେ । ଏଥିସହିତ ଶ୍ରୀ ପଣ୍ଡା ଗଣମାଧ୍ୟମକୁ କହିଥିଲେ ଯେ ତାଙ୍କରି ପ୍ରଚେଷ୍ଟାରେ କେନ୍ଦ୍ରାପଡାକୁ ପ୍ରଥମେ ମାଲବାହୀ ରେଳ ଚାଲିଥିବା ବେଳେ ପରେ ଯାତ୍ରୀବାହୀ ରେଳ ଚଳାଚଳ ହୋଇଛି । ଆଗାମୀ ୫ବର୍ଷରେ କେନ୍ଦ୍ରାପଡାରେ ଶିଳ୍ପ ପ୍ରତିଷ୍ଠା କରାଯିବ ବୋଲି ଶ୍ରୀ ପଣ୍ଡା କେନ୍ଦ୍ରାପଡାବାସୀଙ୍କୁ ପ୍ରତିଶୃତି ଦେଇଥିଲେ । ଏହି ଶୋଭାଯାତ୍ରାରେ ବିଜେପି ସାଂସଦ ପ୍ରାର୍ଥୀ ଶ୍ରୀ ପଣ୍ଡାଙ୍କ ସହ ପୂର୍ବତନ ବିଧାୟକ ଅଲେଖ କୁମାର ଜେନା, ଡ. କଳ୍ପନା ମଳିକ, ତେଜେଶ୍ୱର ପରିଡା, ଆଇନଜୀବୀ ପ୍ରତାପ ଚନ୍ଦ୍ର ଦାସ, ଦୁର୍ଗାଶିଷ ନାୟକ, ଜାନକି ପ୍ରଧାନ, ସଞ୍ଜୟ ରଥ, ସୁନାକର ବେହେରା, ବ୍ରଜସୁନ୍ଦର ଭୂୟାଁ, କୃଷ୍ଣଚନ୍ଦ୍ର ପଣ୍ଡା, ଇଂ ଜ୍ଞାନଦେବ ବେହୁରା, ଜିଲା ସଭାପତି କିଶୋର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।