କେନ୍ଦ୍ରାପଡ଼ା, ୨୯/୫/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡାକୁ ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ନିର୍ବାଚନୀ ଗସ୍ତରେ ଆସି ଆଜି ସନ୍ଧ୍ୟାରେ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରକୁ ଯାଇ ପ୍ରଭୁ ଶ୍ରୀଜୀଉଙ୍କୁ ଦର୍ଶନ କରି ଆଶ୍ରର୍ବାଦ ଭିକ୍ଷା କରିବା ପରେ ଶ୍ରୀଜୀଉଙ୍କ ରଥଦାଣ୍ଡରୁ ଏକ ମିନି ବସ ଯୋଗେ ରୋଡ ସୋ ଆରମ୍ଭ କରି ବିଜୁ ଜନତାଦଳର ସଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରାଙ୍କୁ ଦୁଇଟି ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଲୋକମାନଙ୍କୁ ନିବେଦନ କରିଥିଲେ । ପ୍ରଥମେ ଶ୍ରୀ ପାଣ୍ଡିଆନ ଜୟ ଜଗନ୍ନାଥ, ଜୟ ଶ୍ରୀବଳଦେବଜୀଉ ବୋଲି କହିବା ପରେ ବିଜେଡି ଲୋକସଭା ସାଂସଦ ଶ୍ରୀ ମହାନ୍ତି ଓ ବିଧାୟକ ପ୍ରାର୍ଥୀ ଶ୍ରୀ ବେହେରାଙ୍କ ପାଇଁ ଭୋଟ ପ୍ରଚାର କରିଥିଲେ । ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ସମସ୍ତେ ଦୁଇଟି ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ସେ ନିବେଦନ କରିଥିଲେ । ନବୀନବାବୁ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମେ ମାଗଣା ବିଦୁ୍ୟତ ବିଲ ରେ ସେ ସ୍ୱାକ୍ଷର କରିବେ ଓ ବାଦ ପଡିଥିବା ସମସ୍ତେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ସାମିଲ ହେବେ ବୋଲି ସେ କହିଥିଲେ । ଏହି ରୋଡ ସୋ ଇଛାପୁରସ୍ଥିତ ରଥଦାଣ୍ଡରୁ ଆରମ୍ଭ ହୋଇଥିବା ବେଳେ ତିନିମୁହାଣୀ ଛକରେ ଶେଷ ହୋଇଥିଲା । ସହରର ପ୍ରତ୍ୟେକ ଛକ ଓ ବଜାରରେ ଶ୍ରୀ ପାଣ୍ଡିଆନଙ୍କୁ କେନ୍ଦ୍ରାପଡାବାସୀ ବିପୁଳ ସ୍ୱାଗତ ଜଣାଇଥିଲେ । ରାସ୍ତାର ଉଭୟ ପାଶ୍ୱର୍ରେ ହଜାର ହଜାର ସଂଖ୍ୟାରେ ମହିଳା, ପୁରୁଷ, ଯୁବକ ଓ ଯୁବତୀମାନେ ଛିଡା ହୋଇ ଶ୍ରୀ ପାଣ୍ଡିଆନଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ହୂଳହୂଳି ପକାଇ ସ୍ୱାଗତ କରିଥିଲେ । ଏହି ରୋଡ ସୋରେ ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ କେନ୍ଦ୍ରାପଡା ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରା ଶ୍ରୀ ପାଣ୍ଡିଆନଙ୍କ ସହ ସେହି ଗାଡିରେ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କେନ୍ଦ୍ରାପଡା ଗସ୍ତ ଓ ନିର୍ବାଚନୀ ପ୍ରଚାର ପରେ କେନ୍ଦ୍ରାପଡାର ଲୋକମାନଙ୍କୁ ଦେଇଥିବା ପ୍ରତିଶୃତି କେବେବି ପୁରଣ ହୋଇପାରିବନି ଶ୍ରୀ ପାଣ୍ଡିଆନ କହିଥିଲେ । କାରଣ ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି କେନ୍ଦ୍ରାପଡାବାସୀଙ୍କୁ ଦେଇଥିବା ପ୍ରତିଶୃତି ଆଜିସୁଦ୍ଧା ପୁରଣ କରିପାରିନି ବୋଲି ସେ କହିଥିଲେ ।
