ଜଗତସିଂହପୁର, ୦୨/୦୫/୨୦୨୪ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନରେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଶ୍ରୀ ରଞ୍ଜନ କୁମାର ଦାସ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସ୍ଥିତ ସଦ୍ଭାବନା ସଭାଗୃହରେ ଆଗାମୀ ସାଧାରଣ ନିର୍ବାଚନ ୨୦୨୪ କୁ ଅବାଧ, ଶାନ୍ତିପୂର୍ଣ୍ଣ ଓ ମୁକ୍ତ ଭାବେ ସମ୍ପାଦନ କରିବା ନିମନ୍ତେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ବରିଷ୍ଠ ଅଧିକାରୀ ମାନଙ୍କ ସହିତ ସମୀକ୍ଷା କରିଥିଲେ। ବୈଠକର ପ୍ରାରମ୍ଭ ରେ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ଜିଲ୍ଲା ର ନିର୍ବାଚନ ପ୍ରସ୍ତୁତି, ବିଭିନ୍ନ ବୁଥ୍ ଗୁଡିକ ରେ ଆବଶ୍ୟକୀୟ ସୁବିଧାସୁଯୋଗ ତଥା ନିର୍ବାଚନ ସମୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ର ମୁକାବିଲା ସହ ଅବାଧ ନିର୍ବାଚନ ସମ୍ପାଦନ ନିମନ୍ତେ ଜିଲ୍ଲା ପ୍ରଶାସନ ର ବ୍ୟାପକ ପ୍ରସ୍ତୁତି ସମ୍ପର୍କରେ ରାଜସ୍ବ ଆଯୁକ୍ତଙ୍କୁ ଅବଗତ କରିଥିଲେ । କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଶ୍ରୀ ଦାସ ଜଗତସିଂହପୁର ଜିଲ୍ଲା କୁ ଏକ ଶିକ୍ଷିତ ତଥା ସଚେତନ ଜିଲ୍ଲା ଭାବେ ଅଭିହିତ କରିଥିଲେ । କୌଣସି ବୃହତ କାମରେ ସଫଳତା ସର୍ବଦା ମିଳିତ ଉଦ୍ୟମରେ ମିଳିଥାଏ ବୋଲି ସେ କହିଥିଲେ। ଏହି ଜିଲ୍ଲା ରେ ନିର୍ବାଚନ କୁ ସଫଳତା ର ସହ ସମ୍ପାଦନ କରିବା ନିଶ୍ଚିତ ଭାବେ ଏକ ଗର୍ବର ବିଷୟ। ଏହାପରେ କମିଶନର ଶ୍ରୀ ଦାସ ନିର୍ବାଚନ ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଜିଲ୍ଲା ରେ ୧୦୫୧ ବୁଥ ରେ ଆବଶ୍ୟକୀୟ ସୁବିଧାସୁଯୋଗ ଉପଲବ୍ଧ ନେଇ ସେ ଜିଲ୍ଲାପାଳ ଙ୍କୁ ପଚାରି ବୁଝିଥିଲେ ଓ ସମସ୍ତ ବୁଥ ରେ ବିଦ୍ୟୁତିକରଣ, ପାନୀୟଜଳ, ପୁରୁଷ ଓ ମହିଳା ଙ୍କ ନିମନ୍ତେ ପୃଥକ ଶୌଚାଳୟ, ଖରା ରୁ ରକ୍ଷା ପାଇବା ପାଇଁ ଶେଡ଼,ଭିନ୍ନକ୍ଷମ ଭୋଟର ମାନଙ୍କ ପାଇଁ ରାମ୍ପ, ହୁଇଲ ଚେୟାର, ବି ଏଲ୍ ଓ ହେଲପ ଡେସ୍କ ସହ ଗ୍ରୀଷ୍ମ ପ୍ରବାହ ର ମୁକାବିଲା ନିମନ୍ତେ ଆମ୍ବୁଲାନ୍ସ, ଓ ଆର୍ ଏସ୍, ଫାଷ୍ଟ ଏଡ ଆଦିର ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ।ନିର୍ବାଚନ ର ଏହି ମହାନ ପର୍ବ ରେ ସାମିଲ ହୋଇଥିବା ପ୍ରିଜାଇଡିଂ ଓ ପୋଲିଂ ଅଧତ୍କାରୀ ମାନଙ୍କ ନିମନ୍ତେ ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ କରାଇବାକୁ ସେ ଜିଲ୍ଲାପାଳ ଙ୍କୁ ପରାମର୍ଶ ଦେଇଥିଲେ।ଗ୍ରୀଷ୍ମ ପ୍ରବାହ ରୁ ଆଶ୍ୱସ୍ତି ନିମନ୍ତେ ଭୋଟ ସାମଗ୍ରୀ ବିତରଣ କେନ୍ଦ୍ର ନିକଟରେ ଥଣ୍ଡା ପାନୀୟ , ଚା ଜଳଖିଆ ଦୋକାନ ଆଦି ବ୍ୟବସ୍ଥା କରିବାକୁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ସଖୀ ବୁଥ ଗୁଡିକ ରେ ନିୟୋଜିତ ମହିଳା ଅଧିକାରୀ ମାନଙ୍କ ସୁବିଧାସୁଯୋଗ ସହ ସୁରକ୍ଷା ନିମନ୍ତେ ମହିଳା ପୋଲିସ ଅଧିକାରୀ ମୁତୟନ କରିବା ଦିଗରେ ଗୁରୁତ୍ଵ ଆରୋପ କରିବା ସହ ଆରକ୍ଷୀ ଅଧୀକ୍ଷକ ଙ୍କୁ ଏ ଦିଗରେ ପଦକ୍ଷେପ ନେବା ପାଇଁ କହିଥିଲେ। ଜିଲ୍ଲା ରେ ଭୋଟର ମାନଙ୍କ ସଂଖ୍ୟା କୁ ସମୀକ୍ଷା କରିବା ସହ sveep (ସ୍ୱିପ )ଅନ୍ତର୍ଗତ ଭୋଟର ସଚେତନତା କାର୍ୟ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ।ପୋଷ୍ଟାଲ ବ୍ୟାଲଟ,ହୋମ ଭୋଟିଂ, ପୋଲିସ ଫ୍ଳାଗ୍ ମାର୍ଚ୍ଚ, ଭେଇକିଲ ରିକ୍ବିଜିସନ, ଶାନ୍ତି ଶୃଙ୍ଖଳା ରକ୍ଷା ଆଦି ବିଷୟରେ ବୈଠକରେ ଆଲୋଚନା କରାଯାଇଥିଲା। ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ମାନେ ନିର୍ବାଚନ ର ସୁପରିଚାଳନା ନିମନ୍ତେ କର୍ତ୍ତବ୍ୟ ରତ ଭାବେ କାର୍ୟ୍ୟ ସମ୍ପାଦନ କରୁଛନ୍ତି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ଶେଷରେ ସମସ୍ତ ରିଟର୍ଣ୍ଣିଙ୍ଗ ଅଫିସର ଓ ସହକାରୀ ରିଟର୍ନିଙ୍ଗ ଅଫିସର ମାନଙ୍କୁ ନିର୍ବାଚନ କମିଶନ ଙ୍କ ନିର୍ଦ୍ଦେଶ ନାମା କୁ ଭଲଭାବେ ପଢି ସେହି ଅନୁଯାୟୀ କାର୍ୟ୍ୟ କରି ସ୍ଵଚ୍ଛ ,ଅବାଧ ଓ ସଫଳତା ର ସହ ଏହାକୁ ସମ୍ପାଦନ କରିବା ପାଇଁ ପରାମର୍ଶ କରିଥିଲେ।ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ପି ଆର୍ ଜିଲ୍ଲା ରେ ନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ବିଭାଗର ବ୍ୟାପକ ପ୍ରସ୍ତୁତି ବିଷୟ ରେ ସୂଚନା ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା ପାୱାର ପଏଣ୍ଟ ମାଧ୍ୟମରେ ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ଉପସ୍ଥାପନ କରିଥିଲେ। ଏହି ବୈଠକରେ କମିଶନର ଶ୍ରୀ ଦାସ ଜିଲ୍ଲା ରେ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ। ଡେପୁଟି କଲେକ୍ଟର ଶ୍ରୀ ସୁଦର୍ଶନ ଗୁରୁ, ଡିପିଓ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ଜିଲ୍ଲା ରେ ଖୋଲାଯାଇଥିବା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍, ଯାହାର ଟୋଲ ଫ୍ରି ନମ୍ବର ୧୦୭୭ ରହିଛି ସେ ବିଷୟରେ ସୂଚନା ଦେଇଥିଲେ ।ସୂଚନା ଓ ପ୍ରସାରଣ ମାଧ୍ୟମ ରେ ଗ୍ରୀଷ୍ମ ପ୍ରବାହ ସମୟରେ କଣ କରିବା ଉଚିତ୍ ଓ ଅନୁଚିତ ସେ ବିଷୟରେ ଲିଫ ଲେଟ୍ ବଣ୍ଟନ,ଜନସାଧାରଣଙ୍କ ସଚେତନତା ନିମନ୍ତେ ନିର୍ବାହୀ ଅଧିକାରୀ ଙ୍କ ଦ୍ଵାରା ପଞ୍ଚାୟତ ତଥା ପୌର ପରିଷଦ ରେ ମାଇକ ଦ୍ଵାରା ପ୍ରଚାର,ପାନୀୟଜଳ ଅସୁବିଧା ଥିବା ବାଲିକୁଦା, କୁଜଙ୍ଗ, ଏରସମା ବ୍ଲକ ର ୬୨ ଟି ଗ୍ରାମ ରେ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ, ଟ୍ୟୁବ ୱେଲ ର କାର୍ୟ୍ୟକାରିତା, ୩୫୩ ଗ୍ରାମ ରେ ପାଇପ୍ ୱାଟର ମାଧ୍ୟମରେ ଜଳ ଯୋଗାଣ, କେନାଲ ମରାମତି,ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅଂଶୁଘାତ ର ମୁକାବିଲା ନିମନ୍ତେ ନିଆଯାଇଥିବା ପଦକ୍ଷେପ, ସମସ୍ତ ବି ଡି ଓ ତଥା ପୌର ପରିଷଦ ନିର୍ବାହୀ ଅଧିକାରୀ ମାନଙ୍କ ଦ୍ଵାରା ହାଟ,ବଜ଼ାର,ବସ ଷ୍ଟାଣ୍ଡ ମାନଙ୍କରେ ରେ ଜଳ ଛତ୍ର ,ଗ୍ରୀଷ୍ମ ପ୍ରବାହ ସମୟରେ ଜିଲ୍ଲାର ବିଦ୍ୟୁତ ବିଭ୍ରାଟ ର ସମାଧାନ , ଶ୍ରମିକ ମାନଙ୍କ ପାଇଁ ଦିନ ୧୧ ଟା ରୁ ୩ ଟା ପର୍ୟ୍ୟନ୍ତ କାମ ବନ୍ଦ କରିବାକୁ ଶ୍ରମ ବିଭାଗ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ,ବିଦ୍ୟାଳୟ ଗୁଡିକ ରେ ଗ୍ରୀଷ୍ମ ଅବକାଶ ଆଦି ସମ୍ଵନ୍ଧରେ ଆଲୋଚନା କରିଥିଲେ ।ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା, ଶ୍ରୀ ସମ୍ବିତ୍ ରାଉତ, ଅତିରିକ୍ତ ଜିଲ୍ଲାପାଳ, ପାରାଦ୍ୱୀପ ଶ୍ରୀ ଲଳିତ ମୋହନ ବେହେରା, ଉପ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଉପ ଜିଲ୍ଲାପାଳ ଶ୍ରୀ ବିବୁଧ ଗଡ଼ ନାୟକ, ଡେପୁଟି କଲେକ୍ଟର, ନିର୍ବାଚନ,ସନ୍ଧ୍ୟାଜଳି ମାଝୀ,ଡେପୁଟି କଲେକ୍ଟର ଜରୁରୀ ବିଭାଗ, ବିଭିନ୍ନ ବ୍ଲକ୍ ର ବିଡିଓ, ତହସିଲଦାର,ପୌର ନିର୍ବାହୀ ଅଧିକାରୀ,ସହକାରୀ ଜିଲ୍ଲାପାଳ ତଥା ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।