୫ ବର୍ଷ ପାଇଁ ବଢ଼ିଲା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା
‘ସେତୁ ବନ୍ଧ ଯୋଜନା’ର ଅବଧି ମଧ୍ୟ ୫ ବର୍ଷ ବୃଦ୍ଧି
ଗାଁକୁ ସଂଯୋଗ ହେବ ରାସ୍ତା, ପାନୀୟଜଳ ଓ ବିଜୁଳି
ଭୁବନେଶ୍ୱର,୧୪/୦୭/୨୦୨୬(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ରାଜ୍ୟ କ୍ୟାବିନେଟ୍ ଗୁରୁତ୍ୱପୂର୍ଣ୍ଣ ବୈଠକ ମଙ୍ଗଳବାର ଶେଷ ହୋଇଛି । ବୈଠକରେ ୭ଟି ବିଭାଗର ୧୩ଟି ପ୍ରସ୍ତାବ ଉପରେ ମୋହର ବାଜିଛି ।
ଜଳ ସମ୍ପଦ ବିଭାଗ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ , ସମବାୟ , କୃଷି ଓ କୃଷକ ସଶକ୍ତି କରଣ , ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ , ରାଜସ୍ୱ ବିଭାଗରୁ ଗୋଟିଏ ଲେଖାଏଁ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ୭ଟି ଏହିପରି ମୋଟ ୭ଟି ବିଭାଗର ମୋଟ ୧୩ ଟି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି । ବୈଠକ ଶେଷ ହେବା ପରେ ମୁଖ୍ୟ ସଚିବ ଅନୁ ଗର୍ଗ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏନେଇ ସୂଚନା ଦେଇଛନ୍ତି ।
କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଅନୁଯାୟୀ, ଗ୍ରାମ୍ୟ ଉନ୍ନୟନ ବିଭାଗର ‘ମୁଖ୍ୟମନ୍ତ୍ରୀ ସଡକ ଯୋଜନା’ର ଅବଧିକୁ ଆଉ ୫ ବର୍ଷ ପାଇଁ ବୃଦ୍ଧି କରାଯାଇଛି । ଏହା ଅଧୀନରେ ୪୬୦୦ କିଲୋମିଟର ନୂଆ ସଡ଼କ ନିର୍ମାଣ ପାଇଁ ଅନୁମୋଦନ ମିଳିଥିବା ବେଳେ ରାସ୍ତା ନ ଥିବା ଗାଁ ଗୁଡିକୁ ଏହାଦ୍ୱାରା ସଂଯୋଗ କରାଯିବ । ବିଶେଷ କରି ଦୁର୍ଗମ ଅଂଚଳରେ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ କରିବା ପାଇଁ ଏହି ପ୍ରୟାସ ଜାରି ରହିବ ବୋଲି କହିଛନ୍ତି ମୁଖ୍ୟ ସଚିବ । ରାଜ୍ୟର ‘ସେତୁ ବନ୍ଧ ଯୋଜନା’ର ଅବଧି ମଧ୍ୟ ୫ ବର୍ଷ ବୃଦ୍ଧି ପାଇଛି । ଯେଉଁଥିରେ ୩୧୬୭ଟି ପୁରୁଣା ସେତୁର ମରାମତି ଓ ନବୀକରଣ କରାଯିବ ।
ଅନ୍ୟପଟେ ସମବାୟ ବିଭାଗର ୧୯୫୬ ମସିହାର ପୁରୁଣା ଆଇନ ସଂଶୋଧନ ପ୍ରସ୍ତାବକୁ ମଧ୍ୟ ବୈଠକରେ ମଞ୍ଜୁରି ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା “ମୁଖ୍ୟମନ୍ତ୍ରୀ ସଡକ ଯୋଜନା –ଆନ୍ତଃରାଜ୍ୟ, ଆନ୍ତଃଜିଲା ଓ ଆନ୍ତଃବ୍ଲକ ମଧ୍ୟରେ ଅସଂଯୋଜିତ ରାସ୍ତା ଗୁଡିକୁ ମୁଖ୍ୟ ରାସ୍ତା ସହ ସଂଯୋଗୀକରଣ” ଯୋଜନାକୁ ଆଉ ୫ ବର୍ଷ ପାଇଁ ବୃଦ୍ଧି କରାଯାଇଛି ।ସଂପୃକ୍ତ ଅଂଚଳର ସ୍ଥାନୀୟ ବାସିନ୍ଦା ମାନଙ୍କର ଆର୍ଥିକ ଏବଂ ସାମାଜିକ ଉନ୍ନତିକରଣ ପାଇଁ ଗ୍ରାମାଂଚଳରେ ଥିବା ପଂଚାୟତ କାର୍ଯ୍ୟାଳୟ, ଚିକିତ୍ସାଳୟ, ଶିକ୍ଷାନୁଷ୍ଠାନ ମୁଖ୍ୟ ବଜାର, ପର୍ଯ୍ୟଟନସ୍ଥଳ, ବ୍ୟବସାୟ କେନ୍ଦ୍ର ଇତ୍ୟାଦିକୁ ନିକଟବର୍ତୀ ମୁଖ୍ୟରାସ୍ତା ସହ ସଂଯୋଗ କରିବା ସହିତ ଉନ୍ନତମାନର ରାସ୍ତା ନିର୍ମାଣ କରିବା ଏହି ଯୋଜନାର ମୂଳଲକ୍ଷ୍ୟ ।

ରାଜ୍ୟ କ୍ୟାବିନେଟ୍ ଦ୍ୱାରା ଏହି ଯୋଜନାରେ ପାଂଚ ଆର୍ଥିକ ବର୍ଷ ଯଥା :-୨୦୨୫-୨୬ ଠାରୁ ୨୦୨୯-୩୦ ବର୍ଷରେ କାର୍ଯ୍ୟକାରୀ କରିବା ପାଇଁ ୧୯୧୭ କୋଟି ଟଙ୍କାର ବ୍ୟୟବରାଦରେ ଆନୁମାନିକ ୩୮୫୦ କି.ମି. ନୂତନ ରାସ୍ତା ତଥା ସେତୁ ନିର୍ମାଣ ଏବଂ ଚାଲୁରହିଥିବା ପ୍ରକଳ୍ପ ଗୁଡିକର କାର୍ଯ୍ୟ ସଂପୂର୍ଣ୍ଣ କରିବାପାଇଁ କ୍ୟାବିନେଟ ୍ରେ ଅନୁମୋଦିତ ହୋଇଛି ।
ରାଜ୍ୟ ସରକାରଙ୍କ ଦ୍ୱାରା ବ୍ରିଜ କମ୍ ୱେୟାର ଯୋଜନା ଆରମ୍ଭ ହେବାକୁ ଯାଉଛି । ନଦୀଗର୍ଭ ଏବଂ ସେତୁର ଉପର ମୁଣ୍ଡରେ ମୌସୁମୀ ଜଳକୁ ସଂରକ୍ଷିତ କରି ଜଳ ଯୋଗାଣ କରାଯିବ । ଏହି ଯୋଜନାର ୫ ବର୍ଷର ଅବଧି ପାଇଁ ମୋଟ ୬୦୦ କୋଟିର ବ୍ୟୟବରାଦ କରାଯାଇଛି । ଏହା ସହ ୫୦୮ଟି ନୂତନ ପ୍ରକଳ୍ପର ନିର୍ମାଣ ଓ ୧୬୨ଟି ଅଧୁରା ପ୍ରକଳ୍ପ ସମ୍ପୂର୍ଣ କରିବା ପାଇ ଅନୁମୋଦନ କରିଛନ୍ତି ।
