ଗ୍ରୀଷ୍ମ ପ୍ରବାହ ଦୃ​ଷ୍ଟିରୁ ଆଗାମୀ ସପ୍ତାହ ଗୁରୁତ୍ୱପୂର୍ଣ୍ଣ

                        ରାଲି ସଭାରେ ପର୍ଯ୍ୟାପ୍ତ ପାନୀୟ ଜଳ ଓଆରଏସ୍ରଖିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ

ଭୁବନେଶ୍ୱର,୩୦/୦୪/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବର୍ତ୍ତମାନର ଗ୍ରୀ​‌ଷ୍ମ ପ୍ରବାହ ଓ ଉତ୍ତାପକୁ ଦେଖି ଆଗାମୀ ସପ୍ତାହ  ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ । ଚଳିତ ନିର୍ବାଚନ ପରିପ୍ରେକ୍ଷୀରେ ବିଭିନ୍ନ ରାଜନୈତିକ  ଦଳ ରାଲି ଓ ସଭା ଆୟୋଜନ କରୁଛନ୍ତି ଏହି ସବୁ ସ୍ଥାନରେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ଓ ଓଆରଏସ୍‌  ରଖାଯିବା ଆବଶ୍ୟକ ଯାହା ଫଳରେ ଜନସାଧାରଣ  ଗ୍ରୀଷ୍ମ ପ୍ରବାହରୁ ଅନେକାଂଶରେ ରକ୍ଷା ପାଇପାରିବେ ବୋଲି  ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ପ୍ରକାଶ କରିଛନ୍ତି ।

          ମୁଖ୍ୟ ଶାସନ ସଚିବଙ୍କ   ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ଆୟୋଜିତ  ଏକ  ଉଚ୍ଚସ୍ତରୀୟ ବୈଠକରେ  ଶ୍ରୀ ଜେନା ନିର୍ବାଚନ ସଂପର୍କିତ ରାଲି ଓ ସଭାମାନଙ୍କରେ ରାଜନୈତିକ  ଦଳ ମାନେ ପର୍ଯ୍ୟାପ୍ତ  ପରିମାଣରେ  ପାନୀୟ ଜଳ ଓ ଓଆରଏସ୍‌ର  ସୁବନ୍ଦୋବସ୍ତକୁ ଜିଲ୍ଲାପାଳମାନେ  ସୁନିଶ୍ଚିତ  କରିବା ପାଇଁ  ପରାମର୍ଶ ଦେଇଛନ୍ତି । ପାନୀୟ ଜଳ ସହିତ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହକୁ ଅବ୍ୟାହତ କରିବା ପାଇଁ  ଜିଲ୍ଲାପାଳମାନେ  ବିଦ୍ୟୁତ ବିଭାଗର କର୍ତ୍ତୃପକ୍ଷଙ୍କ  ସହ ନିୟମିତ ଆଲୋଚନା କରିବାକୁ ଶ୍ରୀ  ଜେନା ପରାମର୍ଶ ଦେଇଛନ୍ତି ।

          ଜଳଛତ୍ରକୁ ଅଧିକ ବ୍ୟାପକ  କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତଙ୍କୁ  ଅନୁରୋଧ କରିଛନ୍ତି ।   ଗଣମାଧ୍ୟମ ମାଧ୍ୟମରେ ଅଂଶୁଘାତ ଓ ଅଦିନିଆ ବଜ୍ରପାତ ସଂପର୍କରେ ଜନସାଧାରଣଙ୍କୁ  ସତର୍କ  ଓ ସଚେତନ କରିବା ପାଇଁ  ସେ ବିଭିନ୍ନ ବିଭାଗଙ୍କୁ ପରାମର୍ଶ ଦେଇଛନ୍ତି ।  ବିଭିନ୍ନ ପ୍ରକାର  ବିପର୍ଯ୍ୟୟର ସୁପରିଚାଳନା ପାଇଁ ଜିଲ୍ଲା ତଥା ଉପଖଣ୍ଡ ପ୍ରଶାସନ ମାନେ  ଓଡ଼ିଶା ଡିଜାଷ୍ଟର ରିସୋର୍ସ  ନେଟଓ୍ୱାର୍କ (ଓଡ଼ିଆରଏନ୍‌) ପୋର୍ଟାଲର ସାହାଯ୍ୟ ନେବା ପାଇଁ  ସେ ପରାମର୍ଶ ଦେଇଛନ୍ତି ।

          ଏହି ବୈଠକରେ ଜଙ୍ଗଲରେ ନିଆଁ ଲାଗୁଥିବା ସ୍ଥାନ ଓ ତାହାର  ପ୍ରଶମନ ପାଇଁ  ନିଆଯାଉଥିବା ପଦକ୍ଷେପ , ପ୍ରତ୍ୟେକ ବୁଥ କାନ୍ଥରେ ଗ୍ରୀଷ୍ମ ପ୍ରବାହ ଓ ବଜ୍ରପାତ ସଂପର୍କିତ ସଚେତନତା ବାର୍ତ୍ତା ଲଗାଇବା, ଡାକ୍ତରଖାନା ମାନଙ୍କର ଆଇସିୟୁ  ଗୁଡିକର ସୁବ୍ୟବସ୍ଥା ଆଦି ସଂପର୍କରେ  ବିଷଦ ଆଲୋଚନା ହୋଇଥିଲା ।

          ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ରାଜସ୍ୱ  ଓ ବିପର୍ଯ୍ୟୟ ପରିଚାଳନା, ଜଙ୍ଗଲ, ପରିବେଶ ତଥା ଜଳବାୟୁ ପରିବର୍ତ୍ତନ  ବିଭାଗର ଅତିରିକ୍ତ  ମୁଖ୍ୟ ଶାସନ ସଚିବ  ଶ୍ରୀ ସତ୍ୟବ୍ରତ  ସାହୁଙ୍କ ସମେତ ବିଭିନ୍ନ ବିଭାଗର  ପ୍ରମୁଖ ଶାସନ ସଚିବ , ବରି​ଷ୍ଠ  ଅଧିକାରୀ ଓ ଜିଲ୍ଲାପାଳମାନେ  ଆଭାସୀ ମାଧ୍ୟମରେ ଏହି ବୈଠକରେ  ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *