ନିଖିଳୋତ୍କଳ ପ୍ରବକ୍ତା ପରିଷଦ ତରଫରୁ ରାଜ୍ୟସ୍ତରୀୟ ତୁଳସୀ ଦାସ ଜୟନ୍ତୀ ପାଳିତ

କଟକ, ୧୭/୦୮/୨୦୨୬ (ଓଡ଼ିଶା ସମାଚାର)-ଓଡିଶା ସମାଚାର / ଅଭୟ ଜେନା) ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ନିଖିଳୋତ୍କଳ ପ୍ରବକ୍ତା ପରିଷଦ (ନୂପୋ ) ତରଫରୁ ରାଜ୍ୟସ୍ତରୀୟ ଗୋସ୍ୱାମୀ ତୁଳସୀ ଦାସ ଜୟନ୍ତୀ ଏବଂ ନବ ଦିନାତ୍ମକ ଶ୍ରୀରାମଚରିତ ମାନସ ଜ୍ଞାନଯଜ୍ଞ କଟକ ଜିଲ୍ଲା ପାଗା ନିକଟସ୍ଥ ଗୋପୀନାଥପୁର ର ପ୍ରସିଦ୍ଧ ଶୈବ ପୀଠ  ଶ୍ରୀଶ୍ରୀ ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଉଦଘାଟିତ ହୋଇଯାଇଛି ।

ପ୍ରବକ୍ତା ପରିଷଦର ଉପାଧ୍ୟକ୍ଷ ପଣ୍ଡିତ ବିଜୟ କୁମାର ଦେବତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉଦଘାଟନୀ ଉତ୍ସବରେ ଜ୍ୟୋତିର୍ବିଦ ପଣ୍ଡିତ ଦିବାକର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ସଂସ୍କୃତି କୁ ବଞ୍ଚାଇବା ପାଇଁ ଆହ୍ୱାନ ଦେଇଥିଲେ । ଅଗ୍ରଣୀ ଆଧ୍ୟାତ୍ମିକ ପତ୍ରିକା ‘ ଦିବ୍ୟାଲୋକ ସନ୍ଧାନେ ‘ ର ସମ୍ପାଦକ, ବିଶିଷ୍ଟ ଆଧ୍ୟାତ୍ମିକ ସ୍ତମ୍ଭକାର ତଥା ପ୍ରବକ୍ତା ଶ୍ରୀସନ୍ନ୍ୟାସୀ ଜୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶ୍ରୀରାମଚରିତ ମାନସ ର ଆଦର୍ଶ କୁ ନିଜ ଜୀବନରେ ଉତ୍ତରଣ କରିବା ନିମନ୍ତେ ପରାମର୍ଶ ଦେଇଥିଲେ ।

ପଣ୍ଡିତ ପଦ୍ମନାଭ ତ୍ରିପାଠୀ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ  ଦେବ ଦେବ ମହାଦେବ ଙ୍କ ସ୍ୱୀକୃତି ପାଇଥିବା ଶ୍ରୀରାମଚରିତ ମାନସ ର ପଠନ ଓ ମନନ ର ଗଭୀର ଆବଶ୍ୟକତା ଅଛି ବୋଲି କହିଥିଲେ ।  ବରେଣ୍ୟ ଅତିଥି ଭାବେ ପଣ୍ଡିତ ଅର୍ଜ୍ଜୁନ ଚରଣ ମହାନ୍ତି, ଏବଂ ପଣ୍ଡିତ ଅମରେନ୍ଦ୍ର ନନ୍ଦ ଯୋଗ ଦେଇ କଳିଯୁଗରେ ଶ୍ରୀରାମଙ୍କ ଚରିତ ଶ୍ରବଣ ହିଁ  ଶାନ୍ତି ଲାଭର ଶ୍ରେଷ୍ଠ ଉପାୟ ବୋଲି ମତବ୍ୟକ୍ତ କରିଥିଲେ । ପରିଷଦର ସମ୍ପାଦକ ପଣ୍ଡିତ ପ୍ରମୋଦ କୁମାର ପଣ୍ଡା କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ।

ତୁଳସୀ ଜୟନ୍ତୀ ଉପଲକ୍ଷେ ଆଗାମୀ ନଅ ଦିନ ଧରି ପରିଷଦ ତରଫରୁ ଶ୍ରୀରାମଚରିତ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବ୍ୟାସ ଭାବେ ରାମାୟଣୀ ଅଭୟ ଦାସ କାର୍ଯ୍ୟକ୍ରମ ତୁଲାଇବେ । ଶ୍ରୀଜଗନ୍ନାଥ ଭକ୍ତ ସମାଜ ଏବଂ ଶ୍ରୀବାଲୁଙ୍କେଶ୍ୱର ଉନ୍ନୟନ ପରିଷଦର ବିଶେଷ ସହଯୋଗରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରତ୍ୟହ ସନ୍ଧ୍ୟାରେ ରାଜ୍ୟର ବିଭିନ୍ନ ଜିଲ୍ଳାରୁ ଲୋକପ୍ରିୟ ପ୍ରବକ୍ତାବୃନ୍ଦ ଯୋଗଦେଇ ଶ୍ରୀରାମଚରିତ ମାନସ ର ବିଭିନ୍ନ ପ୍ରସଙ୍ଗ ଉପରେ ଧାରାବାହିକ ପ୍ରବଚନ ପ୍ରଦାନ କରିବେ ବୋଲି ସମ୍ପାଦକ ପଣ୍ଡିତ ପ୍ରମୋଦ ପଣ୍ଡା ସୂଚନା ଦେଇଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ ପ୍ରବକ୍ତା ପରିଷଦ ତରଫରୁ  ପ୍ରତିବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରେ ଶ୍ରୀରାମଚରିତ, ଭାଗବତ, ଗୀତା ଆଦି ପ୍ରବଚନ କାର୍ଯ୍ୟକ୍ରମ ଆୟୋଜନ କରିଆସୁଥିବା ବେଳେ ରାଜ୍ୟରେ ଥିବା ବିଭିନ୍ନ ଆଧ୍ୟାତ୍ମିକ ମଞ୍ଚର ସୁରକ୍ଷା ଏବଂ ନବୀକରଣ ଦିଗରେ ମଧ୍ୟ କାର୍ଯ୍ୟ କରି ଆସୁଅଛି ।

Leave a Reply

Your email address will not be published. Required fields are marked *