କେନ୍ଦ୍ରାପଡ଼ା,୨୪/୦୪/୨୦୨୪ (ଓଡ଼ିଶା ସମାଚାର)- ଆସନ୍ତା ଜୁନ୍ ମାସ ୧ ତାରିଖରେ କେନ୍ଦ୍ରାପଡ଼ା ଜିଲାରେ ଏକକାଳୀନ ଉଭୟ ଲୋକସଭା ଓ ବିଧାନସଭା ପାଇଁ ନିର୍ବାଚନ ତାରିଖ ଚୂଡ଼ାନ୍ତ ହୋଇଛି । ତେଣୁ ଏହି ନିର୍ବାଚନରେ ଶତପ୍ରତିଶତ ଭୋଟ୍ ଦାନ ପାଇଁ ବ୍ୟାପକ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଜିଲା ପ୍ରଶାସନ ପକ୍ଷରୁ ଅଭିନବ ଶୈଳୀରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି କ୍ରମରେ ଜଳସେବା କେନ୍ଦ୍ର ମାଧ୍ୟମରେ ଭୋଟର୍ ମାନଙ୍କୁ ସଚେତନ କରିବାକୁ ଆଜିଠୁ ଅଭିଯାନ ଆରମ୍ଭ କରିଛି ଜିଲା ପ୍ରଶାସନ । ଜିଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଜଳସେବା କେନ୍ଦ୍ର ଉଦଘାଟନ କରି ଜିଲା ନିର୍ବାଚନ ଅଧିକାରୀ ଏବଂ ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ କହିଛନ୍ତି, “ଭୋଟଦାନ ହେଉଛି ଏକ ସାମ୍ବିଧାନିକ ଅଧିକାର । ରାଜ୍ୟ ରାଜନୀତିର ପ୍ରମୁଖ ଜିଲାଭାବେ ପରିଚିତ କେନ୍ଦ୍ରାପଡ଼ାର ସମସ୍ତ ଭୋଟର୍ ଆଗେଇ ଆସନ୍ତୁ ଏବଂ ନିଜର ମତ ସାବ୍ୟସ୍ତ କରି ଗଣତାନ୍ତ୍ରିକ ବିଧିବ୍ୟବସ୍ଥାକୁ ଅଧିକ ମଜବୁତ୍ କରନ୍ତୁ । ମୁଁ ମତଦାନ କରିବି ନିଶ୍ଚୟ, ଏହି ଶପଥ ସଭିଏଁ ନିଅନ୍ତୁ ।” ଭୋଟର୍ ମାନଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ପ୍ରାଥମିକ ସ୍ତରରେ ସମସ୍ତ ବ୍ଲକ୍ ରେ ମୋଟ୍ ୫୦ଟି ଜଳସେବା କେନ୍ଦ୍ରରେ ଏହି ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିବ । ଏହି ଉଦଘାଟନ କାର୍ଯ୍ୟକ୍ରମରେ ଅତିରିକ୍ତି ଜିଲା ନିର୍ବାଚନ ଅଧିକାରୀ ତଥା ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ପୀତାମ୍ବର ସାମଲ, ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ନୀଲୁ ମହାପାତ୍ର, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, କେନ୍ଦ୍ରାପଡ଼ା ଓ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ରବିନ୍ଦ୍ର କୁମାର ପ୍ରଧାନ, ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ଅଶୋକ କୁମାର ଦାଶ, ଉପ-ଜିଲା ନିର୍ବାଚନ ଅଧିକାରୀ ରମେଶ ଚନ୍ଦ୍ର ପଣ୍ଡା, ମିଶନ ଶକ୍ତିର ପ୍ରକଳ୍ପ ସଂଯୋଜକ କୈଳାସ ଚନ୍ଦ୍ର ସେନାପତି, ସମସ୍ତ ଜିଲାସ୍ତରୀୟ ଅଧିକାରୀ ଓ ଜିଲା କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ ।
ଜଳସେବା କେନ୍ଦ୍ର ମାଧ୍ୟମରେ ଭୋଟର୍ ସଚେତନତା
