ଉଦ୍ଧାର କାର୍ୟ୍ୟ ପାଇଁ ମୁଖ୍ୟମନ୍ତ୍ରୀ ୫ ଜଣ ସ୍କୁବା ଡାଇଭର ଓ ୨ଟି ସନ୍ଧାନକାରୀ କ୍ୟାମେରା ବିମାନ ଯୋଗେ ପଠାଇଲେ

ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ଲେଖା ଅନୁକମ୍ପା ମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଝାରସୁଗୁଡ଼ା,୧୯/୦୪/୨୦୨୪ (ଓଡ଼ିଶା ସମାଚାର)- ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ସରଧା ଗାଁ ନିକଟ ମହାନଦୀରେ ଡଙ୍ଗା ବୁଡ଼ି ଏକ ବଡ଼ଧରଣର ଅଘଟଣ ହୋଇଛି। ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ଏହି ଅଘଟଣ ହୋଇଥିବା ବେଳେ ସ୍ଥାନୀୟ ମତ୍ସ୍ୟଜୀବୀ ମାନେ ଦେବଦୂତ ସାଜି ପ୍ରାୟ ୪୦ ଜଣଙ୍କୁ ଉଦ୍ଧାର କରିଛନ୍ତି। ତେବେ ଖବର ଲେଖାଯିବା ପର୍ୟ୍ୟନ୍ତ ୨ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଏହାବ୍ୟତୀତ ପ୍ରାୟ ୬ ଜଣ ନିଖୋଜ ଥିବା କୁହାଯାଉଛି। ଖବର ପାଇ ଝାରସୁଗୁଡ଼ା ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ଉଦ୍ଧାର କାର୍ୟ୍ୟ ପାଇଁ ମୁଖ୍ୟମନ୍ତ୍ରୀ ୫ ଜଣ ସ୍କୁବା ଡାଇଭର ଓ ୨ଟି ସନ୍ଧାନକାରୀ କ୍ୟାମେରା ବିମାନ ଯୋଗେ ପଠାଇଥିବା ସୂଚନା ମିଳିଛି। ମୃତକ ଙ୍କ ପରିବାରଙ୍କୁ ମୁଖ୍ୟମନ୍ତ୍ରୀ ୪ ଲକ୍ଷ ଟଙ୍କା ଲେଖା ଅନୁକମ୍ପା ମୂଳକ ସହାୟତ ଘୋଷଣା କରିଛନ୍ତି ।
ସୂଚନାନୁସାରେ ଛତିଶଗଡ଼ ରାୟଗଡ଼ ଜିଲାର ଖରସିଆଁରୁ ଏକ ପରିବାର ଚକରଧରନଗର ଥାନାଞ୍ଚଳର କତରଲିଆର ନିଜ ସମ୍ପର୍କୀୟଙ୍କ ସହିତ ନଦୀ ଅପରପଟ ବାଞ୍ଜିପାଲି ନିକଟରେ ଥିବା ପଥରସେନୀ ଦେବୀ ପୀଠକୁ ଯାଇଥିଲେ। ପରିବାରର କୌଣସି ସଦସ୍ୟ ପଥରସେନୀଙ୍କ ନିକଟରେ ବୋଦା ବଳି ଦେବାକୁ ମାନସିକ କରିଥିବା ହେତୁ ଚୈତ୍ର ଶୁକ୍ଲ ଏକାଦଶୀ ତିଥିରେ ଖରସିଆଁ ଓ କତରଲିଆର ୪୫ଜଣ ପଥରସେନୀ ପୀଠକୁ ଯାଇଥିଲେ। ତେବେ ଅପରାହ୍ନରେ ଫେରିବା ବେଳେ ସେମାନଙ୍କ ସହିତ ଅନ୍ୟ ୫ଜଣ ସ୍ଥାନୀୟ ଯାତ୍ରୀଙ୍କ ସହିତ ୩ଟି ବାଇକ ଥିଲା। ନୌକା ବରଗଡ଼ ଜିଲାର ବାଞ୍ଜିପାଲିରୁ ଲଖନପୁର ବ୍ଲକର ଶରଧା ଅଭିମୁଖେ ଆସୁଥିବା ବେଳେ ଶରଧାରୁ ପ୍ରାୟ ୧ କିଲୋମିଟର ଦୂରରେ ଡଙ୍ଗା ବୁଡ଼ି ଯାଇଥିଲା। ଡଙ୍ଗାରେ ଅତ୍ୟଧିକ ଭାର ଥିବା ବେଳେ ତାହା ପୁରୁଣା ହୋଇଥିବା ହେତୁ ଏକ ଛିଦ୍ର ଯୋଗେ ପାଣି ପଶି ବୁଡ଼ି ଯାଇଥିବା ଡଙ୍ଗାରେ ଆସିଥିବା ଯାତ୍ରୀମାନେ କହିଛନ୍ତି। ତେବେ ରେମତା, ଶରଧା ଅଞ୍ଚଳର ମତ୍ସ୍ୟଜୀବୀମାନେ ତୁରନ୍ତ ଉଦ୍ଧାର କାର୍ୟ୍ୟ ଆରମ୍ଭ କରି ୪୦ଜଣଙ୍କୁ ଉଦ୍ଧାର କରିଥିଲେ। ହେଲେ ଜଣେ ମହିଳାଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା।

Leave a Reply

Your email address will not be published. Required fields are marked *