ଗୁପ୍ତକ୍ଷେତ୍ର ସଖୀବଟରେ ବିଶ୍ୱଶାନ୍ତି ମହାଯଜ୍ଞର ଶୁଭାରମ୍ଭ

କେନ୍ଦ୍ରାପଡା, ୧୯/୦୪/୨୦୨୪ (ଓଡ଼ିଶା ସମାଚାର)-ତୁଳସୀକ୍ଷେତ୍ରର ଶ୍ରୀବଳଦେବ ସଂସ୍କୃତି ଅନ୍ତର୍ଗତ ପ୍ରସିଦ୍ଧ ଗୁପ୍ତକ୍ଷେତ୍ର ସଖୀବଟରେ ଦ୍ୱାବିଂଶତମ ବିଶ୍ୱଶାନ୍ତି ମହାଯଜ୍ଞ ଭବ୍ୟ ପରିବେଶରେ ଆରମ୍ଭ ହୋଇଛି । ବୁଧବାର ପବିତ୍ର ଶ୍ରୀରାମନବମୀ ସନ୍ଧ୍ୟାରେ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଯଜ୍ଞର ଶୁଭାରମ୍ଭ କରିଥିଲେ । ପ୍ରଜ୍ଞାନ ମିଶନର ସହସମ୍ପାଦକ ସ୍ୱାମୀ ଅନିର୍ବାଣାନନ୍ଦ ଗିରି ମୁଖ୍ୟବକ୍ତା ଭାବେ ଯୋଗଦେଇ ସାମ୍ପ୍ରତିକ ସମାଜରେ ନୈତିକ ଅବକ୍ଷୟ ରୋକିବାକୁ ହେଲେ ଆଧ୍ୟାତ୍ମିକତାର ବ୍ୟାପକ ପ୍ରଚାର ପ୍ରସାର ଆବଶ୍ୟକ ବୋଲି କହିଥିଲେ । ସମ୍ମାନିତ ଅତିଥିଭାବେ ସ୍ୱାମୀ ବିଶ୍ୱରୂପାନନ୍ଦ ଗିରି ଓ ଯଜ୍ଞ କମିଟି ଉପଦେଷ୍ଟା ରଶ୍ମିରଞ୍ଜନ ରାଉତ ଯୋଗ ଦେଇଥିଲେ । ଟ୍ରଷ୍ଟବୋର୍ଡ ସଦସ୍ୟ ଅକ୍ଷୟ ପାଣିଙ୍କ ସମ୍ପାଦନାରେ ପ୍ରସ୍ତୁତ ଯଜ୍ଞ ସ୍ମରଣିକା “ମୁକ୍ତଗାଥା’କୁ ଏହି ଅବସରରେ ଉନ୍ମୋଚନ କରାଯାଇଥିଲା । କମିଟି ମୁଖ୍ୟ ସଂଯୋଜକ ଇଂ ତୀର୍ଥବାସୀ ପଣ୍ଡା ସଭାରେ ଅଧ୍ୟକ୍ଷତା କରିଥିଲେ । ସହସମ୍ପାଦକ ଅଭୟ ପତ୍ରୀ ଓ ବୈଷ୍ଣବ ସ୍ୱାଇଁ ପତ୍ରିକା ଉନ୍ମୋଚନରେ ସହଯୋଗ କରିଥିଲେ । କୋଷାଧ୍ୟକ୍ଷ ପଣ୍ଡିତ ନରେନ୍ଦ୍ର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବାହ୍ନରେ ଶ୍ରଦ୍ଧାଳୁଙ୍କ ଦ୍ୱାରା ଏକ ଦିବ୍ୟ କଳସ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା । ମଙ୍ଗଳବାର ଯଜ୍ଞର ଅଙ୍କୁରାରୋପଣ ଅବସରରେ ଏକ ଜିଲ୍ଲାସ୍ତରୀୟ ଆଧ୍ୟାତ୍ମିକ ନୃତ୍ୟ ପ୍ରତିଯୋଗିତା ଗୋକୁଳଚନ୍ଦ୍ର ସଂଗୀତ ସଦନ ପକ୍ଷରୁ ଅନୁଷ୍ଠିତ ହୋଇ ସଫଳ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିରେ ଜିଲାପରିଷଦ ସଦସ୍ୟ ରଶ୍ମିରଞ୍ଜନ ରାଉତ ଅତିଥିଭାବେ ଯୋଗ ଦେଇଥିବାବେଳେ ନୃତ୍ୟଗୁରୁ ଭାନ୍ନୁପ୍ରିୟା ଖଟୁଆ ଓ ବିଷ୍ନୁପ୍ରିୟା ସାମଲ ଯୋଗ ଦେଇଥିଲେ । ଏହି ଯଜ୍ଞ ଆଗାମୀ ସୋମବାର ଉଦଯାପିତ ହେବ । ପ୍ରତି ସନ୍ଧ୍ୟାରେ ପ୍ରବଚନ ଓ ଆକର୍ଷକ ଭଜନ ସମାରୋହ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଛି ।

Leave a Reply

Your email address will not be published. Required fields are marked *