ମାହାଙ୍ଗା,୨୬/୦୯/୨୦୨୫(ଓଡିଶା ସମାଚାର /ଅଭୟ ଜେନା)- କଟକ ଜିଲ୍ଲା ମାହାଙ୍ଗା ପୋଲିସ କୁ ମିଳିଛି ଆଉ ଏକ ବଡ଼ ସଫଳତା । ଏହି ଥାନା ଅଂଚଳରେ ନିଶା କାରବାରକୁ ରୋକିବା ପାଇଁ ପୋଲିସ ନେଇଛି ବଡ଼ ପଦକ୍ଷେପ ।
ଶୁକ୍ରବାର ଦିନ ୨ ଜଣ ବ୍ରାଉନ ସୁଗାର ବେପାରୀଙ୍କୁ କୋର୍ଟ ଚାଲାଣ କରିଛି ମାହାଙ୍ଗା ପୋଲିସ । ଏକ ବିଶେଷ ସୂତ୍ରରୁ ଖବର ପାଇ ମାହାଙ୍ଗା ଥାନାର ଏକ ୫ ଜଣିଆ ଟିମ୍ ଛତିଆ ସାଲେପୁର ରାସ୍ତାର କୁଣ୍ଡି ନିକଟରୁ ୨ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗୋଡାଇ ଗୋଡାଇ ଧରିଥିଲେ ।
ଉଭୟଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ୮ ଗ୍ରାମ ରୁ ଅଧିକ ବ୍ରାଉନ ସୁଗାର୍ ,ଦୁଇଟି ମୋବାଇଲ , ଗୋଟିଏ ବାଇକ୍ ଜବତ କରାଯାଇଛି । ଜବତ ବ୍ରାଉନ ସୂଗାରର ମୂଲ୍ୟ ୮ ଲକ୍ଷ ଟଙ୍କାରୁ ଅଧିକ ବୋଲି ପୋଲିସ ସୂଚନା ଦେଇଛି । ଗିରଫ ହୋଇଥିବା ୨ ଅପରାଧି ହେଉଛନ୍ତି ମାହାଙ୍ଗା ଥାନା କଇଥା ମଠସାହିର ବଳରାମ ନାୟକ ଏବଂ ରାମଚନ୍ଦ୍ର ନାୟକ ।
