କେନ୍ଦ୍ରାପଡ଼ା, ୨୪/୭/୨୦୨୪ (ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକର ଚାନ୍ଦୋଳ ବଜାରରେ ଦିଲ୍ଲୀ ପୋଲିସ ପହଂଚି ୫କୋଟିରୁ ଉଦ୍ଧ୍ୱର୍ ଟଙ୍କାର ଚୋରା ସୁନା କାରବାରରେ ସଂପୃକ୍ତ ଥିବା ଚୋରକୁ ଗିରଫ କରିବା ସହ ଚୋରାସୁନା କିଣି ଥିବା ଅଭିଯୋଗରେ ଚାନ୍ଦୋଳ ବଜାରର ଜୟନାରାୟଣ ଜୁଏଲର୍ସ ନାମକ ସୁନା ଦୋକାନକୁ ସିଲ କରି ଦେଇଛି । ଏଥିସହିତ ଦୋକାନ ସମ୍ମୁଖରେ ଭାଗବତପୁର ଗ୍ରାମର ଗନ୍ଧର୍ବ ସାହୁଙ୍କ ପୁଅ ଶ୍ରୀକାନ୍ତ ସାହୁଙ୍କୁ ତୁରନ୍ତ ଦିଲ୍ଲୀର ଟାଗୋର ଗାର୍ଡେନ, ମେଟ୍ରୋ ଷ୍ଟେସନସ୍ଥିତ ଆନ୍ଟି ନାର୍କୋଟିକ୍ସ ସ୍କ୍ୱାର୍ଡ କାର୍ଯ୍ୟାଳୟରେ ଉପସ୍ଥିତ ହେବାକୁ ନୋଟିସ ଜାରିକରିିଥିବା ଜଣାପଡିଛି । ପାଖାପାଖି ୫କୋଟି ଟଙ୍କାରୁ ଉଦ୍ଧ୍ୱର୍ ସୁନା ଚୋରି ହୋଇଥିବା ଏକ ବିଶେଷ ସୂତ୍ରରୁ ଜଣାପଡିିଛି । ହେଲେ ଏ ନେଇ ଦିଲ୍ଲୀ ପୋଲିସ ମୁହଁ ଖୋଲିନାହିଁଁ । କିନ୍ତୁ ଦୁଇଟି ଇନୋଭା ଗାଡିରେ ଦିଲ୍ଲୀ ପୋଲିସ ଚାନ୍ଦୋଳ ବଜାରରେ ପଇଁଁତରା ମାରୁଛି । ଚୋରା ସୁନା କିଣିଥିବା ଦୋକାନର ବାପ ଓ ଦୁଇ ପୁଅ ଫେରାର ହୋଇ ଯାଇଛନ୍ତି । ଏକ ବିଶେଷ ସୂତ୍ରରୁ ଜଣାପଡିଛି ଜହ୍ନିମୂଳ ଅଂଚଳର ବିପିନ ପଣ୍ଡା ନାମକ ଜଣେ ବ୍ୟକ୍ତି ଦିଲ୍ଲୀର ଜଣେ ସୁନା ବ୍ୟବସାୟୀଙ୍କ ଘରେ କାମ କରୁଥିଲେ । ସେହି ବ୍ୟବସାୟୀଙ୍କ ସରଳତାର ସୁଯୋଗ ନେଇ ସେ ପ୍ରାୟ ୭ ବର୍ଷ ତଳେ ୫ କିଲୋରୁ ଉଦ୍ଧ୍ୱର୍ ସୁନା ଚୋରି କରି ଚାନ୍ଦୋଳ ବଜାରରେ ଥିବା ଜୟନାରାୟଣ ଜୁଏଲର୍ସକୁ ବିକ୍ରି କରି ଦେଇଥିଲେ । କିନ୍ତୁ ସୁନା କିଏ ଚୋରି କଲା ତାହା ମାଲିକ ଜାଣି ପାରିନଥିଲେ । ତେଣୁ ପୁନର୍ବାର ବିପିନ ସେହି ମାମଲିକଙ୍କ ପାଖକୁ ଯାଇ ବିଶ୍ୱାସ ଜନ୍ମାଇ କାମ କରିଥିଲେ । ଏହା ମଧ୍ୟରେ ସେ ପୁଣି ୭ କିଲୋ ସୁନା ଚୋରି କରି ନିଜ ଘରକୁ ପଳାଇ ଆସିଥିଲେ । ସେହି ଚୋରା ସୁନାକୁ ଜୟନାରାୟଣ ଜୁଏଲର୍ସକୁ ବିକ୍ରି କରିଦେଇଥିଲେ । କିନ୍ତୁ ଏଥର ସିସିଟିଭି କ୍ୟାମେରାରେ ଅଭିଯୁକ୍ତ ଙ୍କର ଚୋରୀ ସମୟର ଫଟୋ କଏଦ ହୋଇ ଯାଇଥିଲା । ଫଳରେ ସୁନା ବ୍ୟବସାୟୀ ଜଣଙ୍କ ଦିଲ୍ଲୀ ପୋଲିସରେ ଅଭିଯୋଗ କରିଥିଲେ । ଦିଲ୍ଲୀ୍ର ପୋଲିସ ତଦନ୍ତ କରି କେନ୍ଦ୍ରାପଡ଼ାରେ ପହଂଚି ଅଭିଯୁକ୍ତକୁ ଗିରଫ କରିବା ପରେ ସେ ମାନିଥିଲା ଯେ ସେ ଯେଉଁ ଚୋରା ସୁନା ଆଣିଥିଲା ତାହାକୁ ଜୟନାରାୟଣ ଜୁଏଲାରୀକୁ ବିକ୍ରି କରିଥିଲେ । ଜେରା ବେଳେ ଜଣାପଡିଥିଲା ଯେ ୫ବର୍ଷ ପୂର୍ବରୁ ବ୍ୟକ୍ତି ଜଣକ ଯେଉଁ ସୁନା ଚୋରି କରିଥିଲେ ତାହାକୁ ମଦ୍ୟ ଜୟନାରାୟଣ ଜୁଏଲର୍ସକୁ ବିକ୍ରି କରିଥିଲେ । ଫଳରେ ପୋଲିସ ଜୟନାରାୟଣ ଜୁଏଲର୍ସର ଦୁଇଟି ଦୋକାନ ସିଲ କରିଛି । ଏଥିସହ ଫେରାର ଥିବା ଦୋକାନୀଙ୍କୁ ପୋଲିସ ଧରିବା ପାଇଁ ତଦନ୍ତ ଜାରି ରଖିଛି । କେନ୍ଦ୍ରାପଡା ସଦର ଥାନା ଅଧିକାରୀ ସରୋଜ କୁମାର ସାହୁଙ୍କୁ ଏସମ୍ପର୍କରେ ପଚରାଯିବାରେ ସେ କୁହନ୍ତି ଯେ ମୁଁ ଏସମ୍ପର୍କରେ କିଛି ଜାଣିନାହିଁ । କେନ୍ଦ୍ରାପଡା ଏସଡିପିଓ ଦେବେନ୍ଦ୍ର ମଲ୍ଲିକ ମଧ୍ୟ ଏବିଷୟରେ କିଛି ଜାଣିନଥିବା କହିଛନ୍ତି ।