ରାଜ୍ୟରେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ, ଅଂଶୁଘାତ ଓ ହିଟ୍‌ ରିଲେଟେଡ୍‌ ଇଲନେସ ରେ ୭୧ ଜଣ ଆକ୍ରାନ୍ତ

ଭୁବନେଶ୍ୱର,୧୯/୦୪/୨୦୨୪ (ଓଡ଼ିଶା ସମାଚାର)- ରାଜ୍ୟରେ ଅଂଶୁଘାତରେ ଏଯାବତ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବାଲେଶ୍ୱରରୁ ଜଣଙ୍କର ମୃତ୍ୟୁ ହୋଇଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ଏଯାବତ ସାରା ରାଜ୍ୟରେ ଅଂଶୁଘାତ ଓ ହିଟ୍‌ ରିଲେଟେଡ୍‌ ଇଲନେସ ରେ ମୋଟ ୭୧ ଜଣ ଆକ୍ରାନ୍ତ ହୋଇଛନ୍ତି । ୭୧ ଜଣଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୫ ଆକ୍ରାନ୍ତ ହୋଇଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ମୟୂରଭଞ୍ଜରୁ ୭ ଜଣ, ଅନୁଗୁଳରୁ ୭ ଜଣ ଅଂଶୁଘାତଜନିତ ସମସ୍ୟା ନେଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେହିପରି କ୍ୟାପିଟାଲ ହସ୍ପିଟାଲରେ ୬ ଜଣ ହିଟ୍‌ ରିଲେଟେଡ୍‌ ଇଲନେସ୍‌ ପାଇଁ ଆଡମିଶନ୍‌ ହୋଇଥିଲେ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ଅତି ଆବଶ୍ୟକ ନ ପଡ଼ିଲେ ବୟସ୍କ, ବିଭିନ୍ନ ରୋଗରେ ଆକ୍ରାନ୍ତ ବ୍ୟକ୍ତି ଓ ଗର୍ଭବତୀ ମହିଳାମାନେ ଖରାରେ ନ ବହାରିବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ପରାମର୍ଶ ଦେଇଛନ୍ତି । ଯଦି ଖରାକୁ ବାହାରୁଛନ୍ତି ତେବେ ସାଙ୍ଗରେ ଛତା, ପାଣି ବୋତଲ ଆଦି ନେଇ ଯାଆନ୍ତୁ ଏବଂ ମୁଣ୍ଡରେ ଓଦା କପଡ଼ା ଦିଅନ୍ତୁ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *