ଅସନ୍ତୁଷ୍ଟଙ୍କ ମାନଭଞ୍ଜନ ହେଲା,ଏକ ମନ ପ୍ରାଣରେ ନିର୍ବାଚନ ପରିଚାଳନା ପାଇଁ କଟକ ସଦର ବିଜେପିର ସଂକଳ୍ପ 

କଟକ ସଦର ,୧୪/୦୪/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗତ କିଛିଦିନ ହେଲା କଟକ ସଦର ବିଜେପିରେ ଲାଗି ରହିଥିବା ଛାମୁଆଁ କାର୍ଯ୍ୟକର୍ତ୍ତା ମାନଙ୍କର ଆଜି ରବିବାର ଓଡ଼ିଆ ନୂଆବର୍ଷ ତଥା ମହାବିଷୁବ ପଣା ସଂକ୍ରାନ୍ତିରେ ମାନଭଞ୍ଜନ ହୋଇଥିବା ଜଣାପଡିଛି। ଏହି ଉପଲକ୍ଷେ ସ୍ଥାନୀୟ କମରପଦା ଠାରେ ଖୋଲା ଯାଇଥିବା କଟକ ସଦର ବିଜେପି ନିର୍ବାଚନ କାର୍ଯ୍ୟାଳୟ ଠାରେ ଆଜି ପୂର୍ବାହ୍ନରେ ଏକ ରୁଦ୍ଧ ଦ୍ୱାର ବୈଠକ ଅନୁଷ୍ଠିତ ହୋଇ ଅସନ୍ତୁଷ୍ଟ ମାନଙ୍କୁ ମନାଯାଇ ପାରିଛି ବୋଲି ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି। ସମସ୍ତେ ଏକ ମନପ୍ରାଣରେ ନିର୍ବାଚନରେ କାର୍ଯ୍ୟ କରି ଭାରତର‌ ଜନପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତମୁଠାକୁ ଟାଣ କରିବା ପାଇଁ କଟକ ସଦର ବିଧାୟକ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ସେଠୀ ଓ କଟକ ଲୋକସଭା ପ୍ରାର୍ଥୀ ଭର୍ତୃହରି ମହତାବଙ୍କୁ ବିପୁଳ ଭୋଟରେ ଜୟଯୁକ୍ତ କରିବାକୁ ବଜ୍ର ଶପଥ ନେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେପି ସାଧାରଣ ସଂପାଦକ ଡ଼ଃ ଯତିନ୍ ମହାନ୍ତି, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା, କଟକ ଲୋକସଭା ସଂଯୋଜକ ସୁକାନ୍ତ ବିଶ୍ୱାଳ, କଟକ ସଦର ବିଧାନସଭା ପ୍ରଭାରୀ ରଶ୍ମି ରେଖା ଦାସ, ବିଧାୟକ ପ୍ରାର୍ଥୀ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଙ୍କ ସମେତ ମଣ୍ଡଳ ସଭାପତି ଓ‌ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ପରେ ସଦର ବିଜେପି ମହଲରେ ଉତ୍ସାହ ବୃଦ୍ଧି ପାଇଥିବା ଦେଖାଯାଉଛି।

Leave a Reply

Your email address will not be published. Required fields are marked *