ଯାଜପୁର,୧୨/୦୪/୨୬, (ଓଡ଼ିଶା ସମାଚାର)- ଓଡ଼ିଆ ପକ୍ଷ ୨୦୨୬ ପାଳନ ଅବସରରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଗୌତମ ବୁଦ୍ଧ ସଂସ୍କୃତି ଭବନଠାରେ “ବନ୍ଦନୀୟ ବରପୁତ୍ର” ଶୀର୍ଷକ ଏକ ଦିନିଆ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଓଡ଼ିଶାର ତଥା ଯାଜପୁର ଜିଲ୍ଲାର ବରପୁତ୍ରମାନଙ୍କ ଉପରେ ଆଲୋଚନା ଚକ୍ର ଏବଂ କବିତା ପାଠ ଉତ୍ସବ ଆୟୋଜିତ ହୋଇଥିଲା। ଓଡ଼ିଶାର ବରପୁତ୍ରମାନଙ୍କ ତ୍ୟାଗ ଓ ବଳିଦାନର ଗାଥାକୁ ମନେ ପକାଇବା ସହ ଆଗାମୀ ପିଢ଼ି ନିକଟରେ ଏହାକୁ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା।

ଆଲୋଚନା ସଭାରେ ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ପଣ୍ଡିତ ଭୂପତି ଭୂଷଣ ମିଶ୍ର, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ସୋନାଲି ବେହେରା, ସାହିତ୍ୟିକ ଶ୍ରୀ ରାଜକିଶୋର ପଣ୍ଡା, ଅବସରପ୍ରାପ୍ତ ପ୍ରଫେସର ଶ୍ରୀ ଦାମୋଦର ବେହେରା, ବୈଜ୍ଞାନିକ ଡ. ରୂପଶ୍ରୀ ରାଗିଣୀ ଦାସ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ପଣ୍ଡିତ ଭୂପତି ଭୂଷଣ ମିଶ୍ର ଯୋଗ ଦେଇ କହିଲେ ଯେ ଯେଉଁମାନେ ନିଜ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ସାମଗ୍ରୀକ ବିକାଶ ପାଇଁ ନିଜ ଜୀବନ କାଳ ମଧ୍ୟରେ କାର୍ଯ୍ୟ କରିଥାନ୍ତି ସେହିମାନେ ହିଁ ଏ ଜାତିର ପ୍ରକୃତ ବନ୍ଦନୀୟ ବରପୁତ୍ର। ଆମ ଜିଲ୍ଳା ଯାଜପୁରର ବହୁ ବରପୁତ୍ର ଆମ୍ଭକୁ ରାଜ୍ୟ ଓ ଦେଶରେ ଗର୍ବିତ କରିଛନ୍ତି ।
ବିଶେଷ କରି ଓଡିଶାରେ ଯେଉଁ ବରପୁତ୍ର ନିଜର ସ୍ୱତନ୍ତ୍ର ପରିଚୟ ଛାଡି ଯାଇଛନ୍ତି ସେମାନଙ୍କ ମଧ୍ୟରୁ ଯାଜପୁର ମାଟିର ଆଦି ନେତା ବିଚିତ୍ରାନନ୍ଦ ଦାସ ଓ ଉତ୍କଳ ପ୍ରାଣ ବ୍ରଜ ସୁନ୍ଦର ଦାସ ଅନ୍ୟତମ। ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ପ୍ରାଧ୍ୟାପକ କବି ଡ଼କ୍ଟର ଦାମୋଦର ବେହେରା କହିଲେ ଯେ ଲେଖକ ଜଣେ ଦୁଃଖୀ ମଣିଷଟିଏ, ରାତି ପାହିଲେ ଦୁଃଖ ସାଉଣ୍ଟେ । ସେହି ଦୁଃଖକୁ କଲମ ମୁନରେ ଲେଖି ବସେ । ତାହାହିଁ ସାଧାରଣ ଜନତାଙ୍କ ସାହିତ୍ୟ ଭାବେ ଆଦର ଲାଭ କରେ । ଅତିଥିମାନେ ଯାଜପୁର ଜିଲ୍ଲାର ସାହିତ୍ୟିକ, ସନ୍ଥ ମହାପୁରୁଷ, ଭାଷା ଆନ୍ଦୋଳନରେ ସାମିଲ ହୋଇଥିବା ବରପୁତ୍ରମାନଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।
ଆଲୋଚନାଚକ୍ର ପରେ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଆୟୋଜିତ କବିତା ପାଠ ଉତ୍ସବରେ ‘ଗୋକର୍ଣ୍ଣିକା’ର ସମ୍ପାଦକ ରମାକାନ୍ତ ଜେନା ସଭାପତିତ୍ୱ କରିଥିବା ବେଳେ ଜିଲ୍ଳା ଲେଖକ ସମ୍ମିଳନୀର ସଭାପତି ଡାକ୍ତର ରୁଦ୍ର ନାରାୟଣ ପୃଷ୍ଟି, ବରିଷ୍ଠ କବି ବିଦ୍ୟୁତ ପ୍ରଭା ଦାସ ଓ ‘ଚିରନ୍ତନୀ’ର ସମ୍ପାଦିକା ସଂଯୁକ୍ତା ମହାପାତ୍ର ଅତିଥି ଭାବେ ଯୋଗ ଦେଇ ନିଜର କବିତା ପାଠ କରିଥିଲେ। ଏହା ପରେ ବାଇଧର ମାଝୀଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠ ଉତ୍ସବରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ କବି ଏବଂ କବୟିତ୍ରୀମାନେ ଆସି ବିଷୟ ଭିତ୍ତିକ ସ୍ୱରଚିତ କବିତା ପାଠ କରିଥିଲେ। ଅତିଥିଗଣ କବିମାନଙ୍କୁ ଉତ୍ତରୀୟ ଏବଂ ଯଯାତି ୨୦୨୬ ସ୍ମରଣିକା ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ସଂସ୍କୃତି ବିଭାଗର ଜ୍ୟୋତିରଞ୍ଜନ କର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
