ନାରୀ ସଶକ୍ତିକରଣରେ ବାଧାଦେଇଛନ୍ତି ବିରୋଧୀ

କେନ୍ଦ୍ରାପଡ଼ା, ୨୮/୦୪/୨୦୨୬ (ଓଡ଼ିଶା ସମାଚାର)- ନାରୀ ସଶକ୍ତିକରଣରେ ବାଧା ଦେଉଛନ୍ତି ବିରୋଧୀ । ଭାରତୀୟ ସଂସଦରେ ଅପ୍ରେଲ ୧୬ ଓ ୧୭ତାରିଖରେ ୧୩୧ତମ ସମ୍ବିଧାନ ସଂଶୋଧନ ବିଲ, ସୀମା ନିର୍ଦ୍ଧାରଣ ବିଲ ଏବଂ କେନ୍ଦ୍ରଶାସିତ ଅଂଚଳ ଆଇନ ସଂଶୋଧନ ବିଲ ଉପରେ ହୋଇଥିବା ଆଲୋଚନା ଦେଶର ଗଣତାନ୍ତ୍ରିକ ଭବିଷ୍ୟତ ଏବଂ ମହିଳାମାନଙ୍କ ଭାଗିଦାରୀ ସହ ଜଡିତ ଏକ ଐତିହାସିକ ପଦକ୍ଷେପ ।

କିନ୍ତୁ ଏହି ଐତିହାସିକ ବିଲକୁ ଗୃହରେ ବିରୋଧ କରାଗଲା । ଏହି ଦୁଇଦିନ ମଧ୍ୟରେ ଗୃହରେ କେବଳ ଏକ ବିଲର ପତନ ହୋଇନାହିଁ ବରଂ କଂଗ୍ରେସ, ସମାଜବାଦୀ ପାର୍ଟି, ଟିଏମସି ଏବଂ ଡିଏମକେ ଭଳି ଦଳ ଗୁଡିକ ଦେଶର ମହିଳାମାନଙ୍କ ସଶକ୍ତିକରଣରେ ବାଧା ସୃଷ୍ଟି କରିଛନ୍ତି । ଏହି ଦୁଇଦିନ ସଂସଦରେ ବିରୋଧୀ ମେଂଟ ର ଯେଉଁ ଲଜ୍ଜ୍ୟାଜନକ, ଅଗଣତାନ୍ତ୍ରିକ ଏବଂ ମହିଳା ବିରୋଧୀ ଆଚରଣ ସାରା ଦେଶ ଦେଖିଲା ତାହାକୁ ଭାରତୀୟ ଜନତା ପାର୍ଟି ଦୃଢ ନିନ୍ଦା କରୁଛି ବୋଲି କେନ୍ଦ୍ରାପଡାର ଦୁହୁରିଆସ୍ଥିତ ଜିଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେପି ନେତ୍ରୀ ଗିତାଞ୍ଜଳୀ ସେଠୀ କହିଛନ୍ତି ।

ଜିଲା ମହିଳା ମୋର୍ଚ୍ଚା ସଭାପତି ପ୍ରିୟଦର୍ଶିନୀ ନନ୍ଦଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଶ୍ରୀମତୀ ସେଠୀ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟ କରିଛନ୍ତି ଯେ ନୀତି ନିର୍ଦ୍ଧାରଣରେ ମହିଳାମାନଙ୍କୁ ଭାଗିଦାରୀ ଦେବା କୌଣସି ଅନୁଗ୍ରହ ନୁହେଁ ବରଂ ଏହା ସେମାନଙ୍କର ସ୍ୱାଭାବିକ ଅଧିକାର । ଯେଉଁମାନେ ଏହି ଐତିହାସିକ ସୁଯୋଗକୁ ବାଧାପ୍ରାପ୍ତ କରିଛନ୍ତି ଆଗାମୀ ନିର୍ବାଚନରେ ସେମାନେ ମହିଳାମାନଙ୍କ ପ୍ରବଳ କ୍ରୋଧର ସମ୍ମୁଖୀନ ହେବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ବୋଲି ଶ୍ରୀମତୀ ସେଠୀ କହିଥିଲେ । ଏହି କାର୍ଯ୍ୟକ୍ରମରେ ମହାକାଳପଡା ବ୍ଲକ ଅଧ୍ୟକ୍ଷା ମିରାରାଣୀ ମହାନ୍ତି, ଜିଲା ମହିଳା ମୋର୍ଚ୍ଚା ଉପ ସଭାପତି ମନିଷା ପଣ୍ଡା, ଜିଲା ସମ୍ପାଦିକା ନମିତା ବଳ ଓ ତିଳୋତମା ବରାଳ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *