କଳାହାଣ୍ଡି ୧୨/୦୪/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ ) – ସମଗ୍ର ଦେଶ ସମେତ ଓଡ଼ିଶାରେ ମଧ୍ୟ ସାଧାରଣ ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ଦିନକୁ ଦିନ ବୃଦ୍ଧି ପାଉଛି। କଳାହାଣ୍ଡି ସଂସଦୀୟ କ୍ଷେତ୍ରକୁ ନେଇ ମଧ୍ୟ ରାଜନୈତିକ ପାଣିପାଗ ଉଷ୍ମ ହେବାରେ ଲାଗିଛି। ସଂପ୍ରତି ଏହି ସଂସଦୀୟ କ୍ଷେତ୍ର ପାଇଁ ତିନି ପ୍ରମୁଖ ଦଳ ବିଜେପି, ବିଜେଡି, କଂଗ୍ରେସ ନିଜ ନିଜର ପ୍ରାର୍ଥୀ ଘୋଷଣା କରି ସାରିଛି। ବିଜେପିରୁ ମାଲବିକା କେଶରୀ ଦେଓ, ବିଜେଡିରୁ ଲମ୍ବୋଦର ନିଆଲ, କଂଗ୍ରେସରୁ ଦ୍ରୌପଦୀ ମାଝୀଙ୍କ ପ୍ରାର୍ଥୀତ୍ବ ଚୁଡାନ୍ତ ହୋଇଛି। ବିଜେପିରୁ ଲୋକସଭା ପ୍ରାର୍ଥୀ ହୋଇଥିବା ମାଲବିକା କେଶରୀ ଦେଓ, ପୂର୍ବତନ ସାଂସଦ ଅର୍କ କେଶରୀ ଦେଓଙ୍କ ପତ୍ନୀ ଓ ତିନିଥର ବିଧାୟକ ଓ ସାଂସଦ ହୋଇଥିବା ସ୍ୱର୍ଗତ ବିକ୍ରମ ଦେଓଙ୍କ ପୁତ୍ରବଧୂ ଅଟନ୍ତି। କଳାହାଣ୍ଡି ଜିଲ୍ଲାରେ
ରାଜପରିବାର ପାଇଁ ଲୋକଙ୍କ ମନରେ କିଛି ମାତ୍ରାରେ ଏବେବି ଆନୁଗତ୍ୟ ରହିଛି, ଓ ମୋଦି ଲହରକୁ ପାଥେୟ କରି ସେ ନିର୍ବାଚନ ବୈତରଣୀ ପାର ହେବା ଯୋଜନାରେ ସକ୍ରିୟ ଅଛନ୍ତି। ହେଲେ ପୂର୍ବତନ ସାଂସଦଙ୍କ ଅପାରଗତା ଓ ତାଙ୍କ ସ୍ୱାମୀଙ୍କ ସମୟର ସ୍ଥାଣୁତା ତାଙ୍କୁ ବିଜେପିର ମୋଦି ଲହର ସତ୍ୱେ ମଧ୍ୟ ବେକଫୁଟ କୁ ଟାଣୁଥିବା ରାଜନୈତିକ ପଣ୍ଡିତ ମାନେ ଆଲୋଚନା କରୁଛନ୍ତି। ବିଜେଡିରୁ ସାଂସଦ ପ୍ରାର୍ଥୀ ହୋଇଥିବା ଲମ୍ବୋଦର ନିଆଲ କ୍ରମାଗତ ଭାବେ ଖଡ଼ିଆଳ ବିଧାନସଭା ନିର୍ବାଚନରେ ବିଜେଡି ତିକଟରେ ଲଢ଼ି ମଧ୍ୟ ପରାଜିତ ହୋଇଥିଲେ। ଖଡ଼ିଆଳ କଂଗ୍ରେସ ବିଧାୟକ ଥିବା ଅଧିରାଜ ପାଣିଗ୍ରାହୀ ବିଜେଡିର ଯୋଗ ଦେଇ ଟିକେଟ ହାତେଇବା ଫଳରେ, ଲମ୍ବୋଦର ନିଆଲଙ୍କୁ ରାଜନୈତିକ ଥାଇଥାନ କ୍ରମରେ ସାଂସଦ ପ୍ରାର୍ଥୀ କରାଯାଇଛି। କେବଳ ବିଜେଡି ଦଳୀୟ ସଙ୍ଗଠନକୁ ଛାଡି, କଳାହାଣ୍ଡିରେ ଶ୍ରୀ ନିଆଲଙ୍କୁ ପତିଆରା ପ୍ରଭାବଶାଳୀ ନୁହେଁ।କଂଗ୍ରେସ ଜଣେ ଆଦିବାସୀ ମହିଳା ନେତ୍ରୀ ଦ୍ରୌପଦୀ ମାଝୀଙ୍କୁ ପ୍ରାର୍ଥୀ କରିଛି।ପଞ୍ଚାୟତ ସ୍ତରରୁ ତୃଣମୂଳ ରାଜନୀତି ସହ ଜଡିତ ଶ୍ରୀମତୀ ମାଝୀ ଜଣେ ଆଦିବାସୀ ଅଗ୍ନିବର୍ଷି ଦୃଢ ସଙ୍ଗଠିକା ଭାବେ ବେଶ ପରିଚିତ।ଓଡିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଚାର କମିଟି ଅଧ୍ୟକ୍ଷ ତଥା କଂଗ୍ରେସର ଜାତୀୟ ସ୍ତରରେ ପ୍ରଭାବଶାଳୀ ନେତା ଭକ୍ତ ଦାସଙ୍କ ଘନିଷ୍ଟ ଅନୁଗତ ଭାବେ କଂଗ୍ରେସ ପ୍ରାର୍ଥୀନୀ ଦ୍ରୌପଦୀ ମାଝୀ ବେଶ ଜଣାଶୁଣା।କଂଗ୍ରସର ପାରମ୍ପରିକ ଭୋଟ, ମହିଳା, ଯୁବକ, ଚାଷୀ ଆଦି ବର୍ଗର ଲୋକଙ୍କୁ ଆକୃଷ୍ଟ କରିବାରେ କଂଗ୍ରେସ ପ୍ରୟାସ ଜାରି ରଖିଛି।
ଏଥର ନିର୍ବାଚନରେ ଏହି ସଂସଦୀୟ କ୍ଷେତ୍ରରେ ପ୍ରମୁଖ ଦଳର ପ୍ରାର୍ଥୀମାନେ ସବୁ ନୂଆମୁହଁ।ପ୍ରର୍ଥୀତ୍ବ ଘୋଷଣା ପରେ ସମସ୍ତେ ନିଜନିଜର ରଣନୀତି ଆରମ୍ଭ କଲେଣି।ସମସ୍ୟା ବହୁଳ ଏହି ଅବିଭକ୍ତ କଳାହାଣ୍ଡି ଜିଲ୍ଲାରେ ଅନେକ ସମୟରେ ଦାଦନ ଶ୍ରମିକ,ଧାନର ଅଭାବୀ ବିକ୍ରି, ବେକାରୀ ବୃଦ୍ଧି, ସହିତ ଏବେବି ଅନେକ ଉପାନ୍ତ ଅଞ୍ଚଳର ମୌଳିକ ସମସ୍ୟା ସମାଧାନ ହୋଇପାରି ନାହିଁ।ଅନେକ ବ୍ଲକ ଅନଗ୍ରସର ଅବସ୍ଥାରେ ରହିଛି।ପ୍ରମୁଖ ଦଳର ତିନି ନୂଆ ମୁହଁକୁ ନେଇ ଲୋକସଭା ନିର୍ବାଚନ ରୋଚକ ମୋଡ଼ରେ ପହଞ୍ଚିଛି।