ଭୁବନେଶ୍ୱର,୧୬/୧୨/୨୦୨୪ (ଓଡ଼ିଶା ସମାଚାର)- ପ୍ରଦେଶ ଯୁବ କଂଗ୍ରେସ ତରଫରୁ ରଣଜିତ ପାତ୍ରଙ୍କ ନେତୃତ୍ୱରେ ସୋମବାର ଦୁର୍ନୀତିଗ୍ରସ୍ତ ଆଇଏଏସ୍ ଅଫିସର ବିଷ୍ଣୁପଦ ସେଠୀଙ୍କ ଶିଶୁଭବନ ଛକ ନିକଟସ୍ଥ ସରକାରୀ ବାସଭବନ ଘେରାଉ କରାଯାଇଥିଲା । ପ୍ରଦେଶ ଯୁବ କଂଗ୍ରେସର କର୍ମୀମାନେ ଏକ ବିକ୍ଷୋଭ ଶୋଭାଯାତ୍ରାରେ ଆସି ଶ୍ରୀ ସେଠୀଙ୍କ ସରକାରୀ ବାସଭବନ ଆଡକୁ ଅଗ୍ରସର ହେଉଥିବା ବେଳେ ପୋଲିସ୍ ପକ୍ଷରୁ ପଥ ଅବରୋଧ କରାଯାଇଥିଲା । ଫଳରେ ପୋଲିସ୍ ସହିତ ଯୁବ କଂଗ୍ରେସ କର୍ମୀଙ୍କର ଧସ୍ତାଧସ୍ତି ହୋଇଥିଲା । ଶ୍ରୀ ପାତ୍ର କହିଥିଲେ ଯେ, ବ୍ରିଜ ଆଣ୍ଡ ରୁଫ୍ କର୍ପୋରେସନ ଦୁର୍ନୀତି ମାମଲାରେ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କର ସମ୍ପୃକ୍ତି ରହିଛି । ତାଙ୍କୁ ହାତକଡ଼ି ପକାଇ ଜେଲକୁ ନିଆଯିବାକୁ ଦାବି କରାଯାଇଥିଲା । ଏଥିସହିତ ଯେଉଁ ରାଜନେତା ଏବଂ କର୍ମଚାରୀମାନେ ଏହି ଦୁର୍ନୀତିରେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
ଅନ୍ୟ ପକ୍ଷରେ ପୂର୍ବତନ ପ୍ରଦେଶ ଛାତ୍ର କଂଗ୍ରେସର ସଭାପତି ତଥା ଭୁବନେଶ୍ୱର କଂଗ୍ରେସ ଲୋକସଭା ପ୍ରାର୍ଥୀ ସୟଦ ୟାସିର ନୱାଜ କହିଛନ୍ତି, ବିଷ୍ଣୁପଦ ସେଠୀ ଜଣେ ଖନ୍ଟ । ସେ ଯେଉଁ ବିଭାଗରେ ରୁହନ୍ତି, ସେହି ବିଭାଗକୁ ଲୁଟି ଖୋଳ କରିଦିଅନ୍ତି । ପୂର୍ବରୁ ସେ ଉଚ୍ଚଶିକ୍ଷା ବିଭାଗରେ ଥିବା ସମୟରେ ବହୁ ଦୁର୍ନୀତି କରିଛନ୍ତି । ମାତ୍ର ତାର ପର୍ଦ୍ଧାଫାଶ ହୋଇପାରି ନାହିଁ । ଅନୁସୂଚିତ ଜାତି ଓ ଜନଜାତି ଛାତ୍ରମାନଙ୍କ ଶିକ୍ଷାର ବିକାଶ ପାଇଁ ଉଦ୍ଧିଷ୍ଟ ଅର୍ଥକୁ ସେ ହଡ଼ପ କରୁଛନ୍ତି । ରାଷ୍ଟ୍ରାୟତ ଉଦ୍ୟୋଗ ବି୍ରଜ୍ ଆଣ୍ଡ ରୁଫ୍ କର୍ପୋରେସନର ଜେନେରାଲ ମ୍ୟାନେଜର ଚଂଚଳ ମୁଖାର୍ଜୀ ତାଙ୍କ ସହ ସଚିବାଳୟ ଭିତରେ ଆଲୋଚନା କରିବାକୁ ଖୁବ୍ ନିକଟରେ ଯାଇଥିଲେ ବୋଲି ଜଣାପଡ଼ିଛି । ସିବିଆଇ ୧୦ ଲକ୍ଷ ଟଙ୍କା ଲାଂଚ ମାମଲାରେ ଜେନେରାଲ ମ୍ୟାନେଜର ଚଂଚଳ ମୁଖାର୍ଜୀଙ୍କ ସହ ଠିକାଦାର ଦେବବ୍ରତ ମହାପାତ୍ର ଓ ସନ୍ତୋଷ ମହାରଣାଙ୍କୁ ଗିରଫ କରିଛି । ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭରମାନେ ମଧ୍ୟ ତଦନ୍ତର ପରିସରଭୁକ୍ତ ହୋଇଛନ୍ତି । ଚଂଚଲଙ୍କ ଆକାଉନ୍ଟରୁ ବିଷ୍ଣୁପଦଙ୍କ ଡ୍ରାଇଭରଙ୍କ ଆକାଉନ୍ଟକୁ ଅର୍ଥ କାରବାର ହୋଇଥିବା ତଦନ୍ତକାରୀ ସଂସ୍ଥା ପ୍ରମାଣ ପାଇସାରିଛି । ବିଷ୍ଣୁପଦଙ୍କୁ ମଧ୍ୟ ସିବିଆଇ ପକ୍ଷରୁ ସମନ କରାଯାଇଛି । ବିଷ୍ଣୁପଦ ସେଠୀ ଗତ ୧୯ ଅକ୍ଟୋବର, ୨୦୨୪ରେ ଆଶ୍ରମ ସ୍କୁଲ୍କୁ ହାଇସ୍କୁଲ୍ ଏବଂ ହାଇସ୍କୁଲ୍ କୁ ଉଚ୍ଚ ମାଧ୍ୟମିକ ସ୍କୁଲ୍ କୁ ଉନ୍ନୀତ କରିବା ପ୍ରସଙ୍ଗରେ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀଙ୍କୁ ସିଏମଡିଙ୍କୁ ଚଠି ଲେଖିଥିଲେ । ସ୍କୁଲ ର ଅପଗ୍ରେଡ଼େସନ ପ୍ରକଳ୍ପ ପାଇଁ ୩୭ କୋଟି ଟଙ୍କାର ବ୍ୟୟ ଅଟକଳ ଥିଲା । ସୁତରାଂ ଟେଣ୍ଡର ପ୍ରକ୍ରିୟାକୁ ନିୟନ୍ତ୍ରଣ କରି ବିଷ୍ଣୁପଦ କଂଟ୍ରାକ୍ଟରମାନଙ୍କୁ କାମ ଦେବା ପାଇଁ ଲାଂଚ ଗ୍ରହଣ କରି ଥିବାର ତଦନ୍ତ ହେଉଛି । ଏହି ଦୁର୍ନୀତିରେ ରାଜନେତାମାନଙ୍କର ସମ୍ପୃକ୍ତିକୁ ଏଡ଼ାଇ ଦେଲାଭଳି ମନେ ହେଉଛି । ଏଥିରେ ଥିବା ରାଜନେତାମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉ ।
ବିଷ୍ଣୁପଦ ସେଠୀ ଯେଉଁ ଯେଉଁ ବିଭାଗର ସଚିବ ରହିଛନ୍ତି, ସବୁ ବିଭାଗର ଉନ୍ନୟନ କାର୍ଯ୍ୟର ତଦନ୍ତ ହେଉ । କାରଣ ସେ ବିନା ଲାଂଚରେ କୌଣସି କାମ କରନ୍ତି ନାହିଁ । ବିଷ୍ଣୁପଦ-ୱାପ୍କସ-ନିତ୍ୟାନନ୍ଦ ଗଣ୍ଡ ତି୍ରମୂର୍ତିଙ୍କର ଦୁର୍ନୀତିର ତୁରନ୍ତ ତଦନ୍ତ ପାଇଁ ଯୁବ କଂଗ୍ରେସ ଦାବି କରିଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପବିତ୍ର ବିଧାନସଭାରେ ୱାପ୍କସ କମ୍ପାନୀକୁ କଳା ତାଲିକାଭୁକ୍ତ ଘୋଷଣା କରିବା ପରେ କିପରି ପୁନର୍ବାର ଏହି କମ୍ପାନୀ ଜନଜାତି ଐତିହ୍ୟ ଓ ସ୍ୱାଭିମାନ ଭବନ, ଜନଜାତି ଭାଷା ଏବଂ ସଂସ୍କୃତି ପ୍ରତିଷ୍ଠାନ, ଆଶ୍ରମ ସ୍କୁଲ୍ର ପାହ୍ୟା ବୃଦ୍ଧି ପାଇଁ ଉଦ୍ଧିଷ୍ଟ ପ୍ରକଳ୍ପଗୁଡ଼ିକ ନିର୍ମାଣ କରିବାକୁ ୩୦୦ କୋଟି ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଛି । ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଏହି କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି । ଏଥିରେ ମୋଟା ଅଙ୍କର ଲାଂଚ କାରିବାର ହୋଇଛି । ସୁତରାଂ ବିଷ୍ଣୁପଦ-ୱାପ୍କସ-ନିତ୍ୟାନନ୍ଦ ଗଣ୍ଡଙ୍କ ମଧୁଚନ୍ଦ୍ରିକାର ପର୍ଦ୍ଧାଫାଶ ହେଉ । ଅନୂସୂଚିତ ଜାତ ଓ ଜନଜାତି କଲ୍ୟାଣ ମନ୍ତ୍ରୀଙ୍କୁ ତଦନ୍ତ ପରିସରକୁ ଆଣିବାକୁ ଯୁବ କଂଗ୍ରେସ ଦାବି କରିଛି । ଏହି କାର୍ଯ୍ୟକ୍ରମରେ ମନୋଜ ବିଶ୍ୱାଳ, ଉଦିତ ପ୍ରଧାନ, ସୁଦୀପ ସାମଲ, ନିହାର ବେହେରା, ସ୍ୱାଗତ କର, ରଣଜିତ ସେନାପତି, କାର୍ତିକ କାଣ୍ଡି, ମିର୍ଜା ଇସଲାମ ବେଗ, ବଳରାମ ନନ୍ଦ, ସୁନିଲ ସାହୁ ଗାନ୍ଧି, କେଦାର ଦଳେଇ, ମହମ୍ମଦ ପରଭେଜ, ସୁରଜ ରାଉତ, ବିଶ୍ୱଜିତ ସ୍ୱାଇଁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ବିଷ୍ଣୁପଦ ସେଠୀଙ୍କ ସରକାରୀ ବାସଭବନ ଘେରାଉ
