ପଦ୍ମାବତୀଙ୍କ ରହସ୍ୟଜନକ ମୃତୁ୍ୟ ଅଭିଯୋଗର ନିରପେକ୍ଷ ତଦନ୍ତ ପାଇଁ ଜିଲାପାଳଙ୍କୁ ଦାବି

କେନ୍ଦ୍ରାପଡ଼ା,୧୩/୧୧/୨୦୨୩ (ଓଡ଼ିଶା ସମାଚାର)- ପଦ୍ମାବତୀଙ୍କ ରହସ୍ୟଜନକ ମୃତୁ୍ୟ ଅଭିଯୋଗର ନିରପେକ୍ଷ ତଦନ୍ତ କରାଯିବାକୁ ଜିଲାପାଳଙ୍କ ନିକଟରେ ଦାବି କରାଯାଇଛି । ଘଟଣା ଅନୁଯାୟୀ କେନ୍ଦ୍ରାପଡା ଜିଲାର ଆଳି ଥାନା ଅନ୍ତର୍ଗତ ବଳଭଦ୍ରପୁର ଶାସନ ଗ୍ରାମର ଶୁଭାଶିଷ ଷଡଙ୍ଗୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଗ୍ରାମ ସନ୍ନିକଟ ରାଜକନିକା ଥାନା ଅନ୍ତର୍ଗତ ବନ୍ଧସାହି ଗ୍ରାମର ଚନ୍ଦନ ରାଉତଙ୍କ ପତ୍ନୀ ପଦ୍ମାବତୀ ରାଉତ(୪୫) ଙ୍କର ଚଳିତମାସ ୬ତାରିଖରେ ରହସ୍ୟଜନକ ଭାବେ ମୃତୁ୍ୟ ହୋଇଯାଇଥିବା ବେଳେ ତାଙ୍କ ସ୍ୱାମୀ ଚନ୍ଦନ ପଦ୍ମାବତୀଙ୍କ ଶବକୁ ତରବରିଆ ଭାବେ ଦାହ କରିଦେଇଥିଲେ । ପଦ୍ମାବତୀଙ୍କ ବାମ ପାଶ୍ୱର୍ କାନ, ମୁଣ୍ଡ, ଗାଲ, ବେକ, ପେଟ, ଆଖି ଓ ବାମ ହାତରେ ଗଭୀର ଆଘାତ ଚିହ୍ନ ଥିବା ବେଳେ ରକ୍ତ ଛିଟା ମଧ୍ୟ ଲାଗିଥିଲା । ପଡୋଶୀଙ୍କୁ ମନଗଢା କାହାଣୀ ଶୁଣାଇ ଚନ୍ଦନ ଅତ୍ୟନ୍ତ ତରବରିଆ ଭାବେ ପଦ୍ମାବତୀଙ୍କ ଶବ ସତ୍କାର କରିଦେଇଥିଲେ । ପରେ ପଡୋଶୀ ପଦ୍ମାବତୀଙ୍କ ଶବର ଫଟୋକୁ ସାମାଜିକ ଗଣମାଧ୍ୟମରେ ଦେଖିବା ପରେ ଏହା ଏକ ସାଧାରଣ ମୃତୁ୍ୟ ନୁହେଁ ବରଂ ପଦ୍ମାବତୀଙ୍କୁ ଷଡଯନ୍ତ୍ର କରାଯାଇ ହତ୍ୟା କରାଯାଇଥିବା ପଡୋଶୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିବା ଶୁଭାଶିଷ ଅଭିଯୋଗ କରିଛନ୍ତି । ଶୁଭାଶିଷଙ୍କ ଅଭିଯୋଗ ଅନୁଯାୟୀ ଚନ୍ଦନ ପ୍ରଥମେ ପଦ୍ମାବତୀଙ୍କୁ ବିବାହ କରିଥିବା ବେଳେ ବିବାହର ୩ବର୍ଷ ପରେ ପଦ୍ମାବତୀଙ୍କ ସାନଭଉଣୀ ପ୍ରଭାବତୀକୁ ଦ୍ୱିତୀୟ ବିବାହ କରିଥିଲେ । ଏହା ପରେ ପଦ୍ମାବତୀ ଅନେକ ସମୟରେ ଘରୋଇ ହିଂସାର ଶୀକାର ହେଉଥିବା ଶୁଭାଶିଷ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ଶୁଭାଶିଷ ରାଜକନିକା ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଏଥିସହିତ ପଦ୍ମାବତୀଙ୍କ ରହସ୍ୟଜନକ ମୃତୁ୍ୟ ଘଟଣାର ନିରପେକ୍ଷ ତଦନ୍ତ କରାଯିବାକୁ ଶୁଭାଶିଷ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *