ପଥରଖଣ୍ଡ ବାଜି ଜଣେ ନାବାଳକଙ୍କ ମୃତ୍ୟୁ

ଦାମନଯୋଡ଼ି, ୧୦/୦୪/୨୦୨୪ (ଓଡ଼ିଶା ସମାଚାର)-କୋରାପୁଟ ଜିଲା ଦାମନଯୋଡ଼ି ଉପକଣ୍ଠସ୍ଥ ମାନିଆଁ ନିକଟରେ ବୁଧବାର ଅପରାହ୍ନରେ ଏକ ପଥର କ୍ୱାରୀରୁ ବ୍ଲାଷ୍ଟିଂ ବେଳେ ପଥରଖଣ୍ଡ ବାଜି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳକ ସ୍ଥାନୀୟ ମରିଚମାଳ ଗ୍ରାମର ସାଲିନ ଓ ଝରଣା ମାଝିଙ୍କ ପୁଅ ରିତେଶ (୧୪) ବୋଲି ଜଣାପଡ଼ିଛି।
ମିଳିଥିବା ଖବରରୁ ପ୍ରକାଶ ଆଜି ଅପରାହ୍ନରେ ରିତେଶ ଓ ଗ୍ରାମର ଉତ୍ତମ ଖରା ନାମକ ଦୁଇ ଜଣ ନାବାଳକ ଗ୍ରାମ ନିକଟସ୍ଥ ମରିଚମାଳ ନଦୀକୁ ଗାଧୋଇବାକୁ ଯାଇଥିଲେ। ତେବେ ଏକ ଫୋନ୍ ଆସିବାରୁ ନଦୀର ବ୍ରିଜ୍ ପାଖରେ ଅଟକି ମୋବାଇଲରେ କଥା ହେଉଥିବା ସମୟରେ ନିକଟରେ ଥିବା ଏକ ପଥର କ୍ୱାରୀରେ ବ୍ଲାଷ୍ଟିଂ ଚାଲିଥିଲା। ଏହି ସମୟରେ ହଠାତ୍ ଏକ ପଥର ଖଣ୍ଡ ଆସି ରିତେଶଙ୍କ କାନମୁଣ୍ଡାରେ ବାଜିବାରୁ ସେ ସେହିଠାରେ ପଡ଼ିଯାଇଥିଲେ। ପରିବାର ଲୋକେ ସଙ୍ଗେସଙ୍ଗେ ତାଙ୍କୁ ମାଥାଲପୁଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ଦାମନଯୋଡ଼ି ଥାନା ପୋଲିସ ଓ ସେମିଳିଗୁଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଥିବା ବେଳେ କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାର ଓ ଜନଜୀବନ ସୁରକ୍ଷା ଦାବିରେ ଗ୍ରାମବାସୀ ରାସ୍ତାରୋକୋ କରିଥିଲେ।

Leave a Reply

Your email address will not be published. Required fields are marked *