ଶ୍ରମିକଙ୍କୁ ନେଇ ଯାଉଥିବା ଟିପର ଘାଟିରେ ଓଲଟିଲା , ୬ ଜଣ ଶ୍ରମିକଙ୍କ ମୃତ୍ୟୁ, ୮ ଜଣ ଆହତ

ପ୍ରତି ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ମାଲକାନଗିରି , ୨୫/୧୧/୨୦୨୩ (ଓଡ଼ିଶା ସମାଚାର)- ଘାଟିରେ ଓଲଟିଲା ସିମେଣ୍ଟ ବୋଝେଇ ଟିପ୍ପର । ଚାଲିଗଲା ୫ ଜଣଙ୍କ ଜୀବନ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ହନ୍ତାଳଗୁଡ଼ା ଘାଟିରେ ଏକ ଟିପର ଓଲଟି ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସ୍ୱାଭିମାନ ଅଞ୍ଚଳରେ ରାସ୍ତାକାମ ପାଇଁ ଚିତ୍ରକୋଣ୍ଡାରୁ ସିମେଣ୍ଟ ଓ ଲୁହା ଛଡ଼ ନେଇ ଟିପରଟି ଯାଉଥିଲା। ଆହତ ଶ୍ରମିକଙ୍କୁ ବଡପଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ବିଏସଏଫ୍ ଯବାନ୍ ଉଦ୍ଧାର କାର୍ୟ୍ୟରେ ଲାଗିଥିବା ଜଣାପଡିଛି ।
ସୂଚନା ଅନୁସାରେ, ହନ୍ତାଲଗୁଡ଼ା ଘାଟିରେ ଟିପରର ବ୍ରେକ ଫେଲ ହୋଇଯିବାରୁ ଏପରି ଏକ ଦୁଃଖଦ ଘଟଣା ଘଟିଥିବା ଅନୁମାନ କରାଯାଉଛି।ଟିପରରେ ୧୦ ରୁ ୧୨ ଜଣ ଶ୍ରମିକ ଥିବା ଜଣାପଡ଼ୁଛି। ଦୁର୍ଘଟଣା ସ୍ଥଳରେ ବିଏସଏଫ ଯବାନ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି। ଆହତମାନଙ୍କୁ ବିଏସଏଫ ଯବାନମାନେ ଆମ୍ବୁଲାନ୍ସ ଯୋଗେ ବଡପଡା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି । ସେଠାରେ ପ୍ରାଥମିକ ଚିକିତ୍ସା ଜାରି ରହିଛି। ମୃତ ଓ ଆହତ ଶ୍ରମିକମାନେ ମାଲକାନଗିରି ଜିଲ୍ଲାର ହୋଇଥିବା ଅନୁମାନ କରାଯାଉଛି।
ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘାଟିରେ ସିମେଣ୍ଟ ଓ ଲୁହା ଛଡ ବୋଝେଇ ଟ୍ରକ ଓଲଟି ୬ ଶ୍ରମିକ ପ୍ରାଣ ହରାଇଛନ୍ତି । ଚିତ୍ରକୋଣ୍ଡା ଡାକ୍ତରଖାନାରେ ଆହତ ୮ ଶ୍ରମିକଙ୍କ ଚିକିତ୍ସା ଚାଲିଛି । ଶ୍ରମିକଙ୍କ ମୃତଦେହ ଖିନ୍ ଭିନ୍ ହୋଇ ଏଣେ ତେଣେ ପଡି ରହିଛି । ଚିତ୍ରକୋଣ୍ଡା ଠାରୁ ଲୁହାଛଡ ଓ ସିମେଣ୍ଟ ବୋଝେଇ କରି ଯୋଡାମ୍ବ ଅଭିମୁଖେ ବାହାରି ଥିଲା ଏକ ହଳଦିଆ ରଙ୍ଗର ଟିପ୍ପର । ଆଉ ଦିନ ପ୍ରାୟ ୧୧.୩୦ ମିନିଟ ସମୟରେ ହନ୍ତାଳଗୁଡା ଘାଟିରେ ଥିବା କ୍ରଶର ପ୍ଲାଂଟ ଅତିକ୍ରମ କରିବା ପରେ ପରେ ଘାଟି ତଳକୁ ଖସି ପଡିଥିଲା ଟିପ୍ପର । ସିମେଣ୍ଟ ଓ ଲୁହା ଛଡ ତଳେ ଚାପି ହୋଇ ଘଟଣା ସ୍ଥଳରେ ୫ଜଣ ଶ୍ରମିକ ପ୍ରାଣ ହରାଇ ଥିବା ବେଳେ ଡାକ୍ତରଖାନାରେ ଜଣେ ଶ୍ରମିକ ପ୍ରାଣ ହରାଇଛନ୍ତି । ଖବର ପାଇ ତୁରନ୍ତ ହନ୍ତାଳଗୁଡା ବିଏସଏଫ କ୍ୟାମ୍ପର ଯବାନ ଓ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଥିଲେ । ଆହତଙ୍କୁ ଚିତ୍ରକୋଣ୍ଡା ଡାକ୍ତରଖାନାକୁ ପଠାଯାଇଛି । ଚିତ୍ରକୋଣ୍ଡା ଡାକ୍ତରଖାନାରେ ଆହତ ୮ ଜଣଙ୍କ ଅବସ୍ଥା ଭଲ ଅଛି । ମୃତ ସମସ୍ତ ଶ୍ରମିକଙ୍କ ଘର ନବରଙ୍ଗପୁର ଜିଲ୍ଲା କୋସାଗୁୁମୁଡା ଥାନା ମାଟିଗାଓଁ ଗାଁରେ ବୋଲି ଜଣାପଡିଛି । ହନ୍ତାଳଗୁଡା ଘାଟିର ଗଡାଣିୟା ୟୁ-ଟର୍ଣ୍ଣରେ ଭାରସାମ୍ୟ ହରାଇ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟି ଥିବା ଜଣାପଡିଛି ।
ଏହି ଦୂର୍ଘଟଣା ରେ ୬ ଜଣ ଶ୍ରମିକଙ୍କର ମୃତ୍ୟୁ ଖବର ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହିତ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ଏହା ଛଡ଼ା ଆହତ ୮ ଜଣ ଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେବା ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *