ଭୁବନେଶ୍ୱର,୧୭/୦୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜିର ବଜେଟ୍ରେ ମୁଖ୍ୟମନ୍ତ୍ରୀ ଧରିଥିବା ବ୍ରିଫକେସ୍ ଟି ଥିଲା ସ୍ୱତନ୍ତ୍ର । ସମ୍ବଲପୁରୀ ଇକତ୍ (ବାନ୍ଧକଳା) ଡିଜାଇନ୍ରେ ପ୍ରସ୍ତୁତ ହୋଇଥିବା ଏହି ବ୍ରିଫକେସ୍ କୁ ପ୍ରସ୍ତୁତ କରିଛନ୍ତି ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସୁପୁତ୍ରୀ ତଥା ମେୱାର୍ ରାଜପରିବାରର କୂଳବଧୂ ଶ୍ରୀମତୀ ନିଭ୍ରିତି କୁମାରୀ ମେୱାର ।
ଉଦୟପୁର ମେୱାର ଓ ବଲାଙ୍ଗିର ପାଟଣାଗଡ଼ର ସ୍ୱତନ୍ତ୍ର ପରିଚୟ ବହନ କରୁଥିବା ପାରମ୍ପରିକ ହସ୍ତତନ୍ତର ସମିଶ୍ରଣରେ ବିଭିନ୍ନ ଉପହାର, ଅଳଙ୍କାର ବାକ୍ସ ପ୍ରସ୍ତୁତି ସଂସ୍ଥା ଭୋଟାରୀ ପକ୍ଷରୁ ଏହି ବ୍ରିଫକେସ୍ କୁ ପ୍ରସ୍ତୁତ କରାଯାଇଛି ।
ଏହି କମ୍ପାନୀ ପକ୍ଷରୁ ଆକର୍ଷଣୀୟ ଲ୍ୟାପ୍ଟପ୍ ବ୍ୟାଗ, ଅଳଙ୍କାର ବାକ୍ସ ଓ ବ୍ରିଫକେସ୍ ଆଦି ପ୍ରସ୍ତୁତ କରାଯାଉଛି । ବଂଶାନୁକ୍ରମିକ ପ୍ରଥା ଅନୁଯାୟୀ କାରିଗରମାନେ ଉଭୟ ସୁଦୃଶ ଓ ସଠିକ୍ ଦକ୍ଷତା ଉପଯୋଗ କରି ଏହି ବ୍ରିଫକେସ୍ ଭଳି ପ୍ରସ୍ତୁତ କରିଥିବା ଏହି ନୂତନ ଉତ୍ପାଦ ସ୍ୱତନ୍ତ୍ରତା ବହନ କରେ ।
ବ୍ୟବହୃତ ପ୍ରତ୍ୟେକଟି ଉପକରଣ ନିଜ ନିଜର ଗାଥା ବଖାଣିଥାଏ । ପାରମ୍ପରିକ ବ୍ରିଫକେସ୍ ସହ ଚଳିତ ବର୍ଷ ବଜେଟ୍ ଉପସ୍ଥାପନ ନିମନ୍ତେ ସଦସ୍ୟମାନଙ୍କ ପାଇଁ ଟାବ୍ଲେଟ୍ ବ୍ୟବସ୍ଥା କରାଯାଇଛି ।
ପେପରଲେସ୍ ଏବଂ ବୈଷୟିକ ଜ୍ଞାନକୌଶଳକୁ ଉପଯୋଗ କରି ହତାପାଆନ୍ତାରେ ସହଜରେ ବଜେଟ୍ ତଥ୍ୟ ଉପଲବ୍ଧ ହେଉଛି । ଏଥି ସହ ନ୍ୟାସନାଲ୍ ଇ-ବିଧାନ ଆପ୍ଲିକେସନ୍ ମାଧ୍ୟମରେ ମଧ୍ୟ ବଜେଟ୍ ତଥ୍ୟ ଉପଲବ୍ଧ ହେଉଛି ।
-0-