କେନ୍ଦ୍ରାପଡ଼ା,୨୪/୫/୨୦୨୪ (ଓଡ଼ିଶା ସମାଚାର)- ଭାରତୀୟ ପାଣିପାଗ ବିଭାଗର ପୂର୍ବ ସୂଚନା ଅନୁଯାୟୀ ଆସନ୍ତା ଶନିବାର ଠାରୁ ସମ୍ଭାବ୍ୟ ବାତ୍ୟା ‘ରେମାଲ’ ଯୋଗୁଁ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲାରେ ପ୍ରବଳ ବର୍ଷା ସହ ପବନ ବହିବାର ସମ୍ଭାବନା ରହିଛି । ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦ୍ଧେଶକ୍ରମେ ଆଜି କେନ୍ଦ୍ରାପଡ଼ା ଜିଲାରେ ଏହି ବାତ୍ୟାର ସଫଳ ମୁକାବିଲା ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଜିଲା କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ଅଗ୍ନିଶମ ବିଭାଗ, ଓପିଟିସିଏଲ୍, ଜଳସେଚନ, ସାଲାଇନ୍ ଡିଭିଜନ୍-ଆଳି, ଜିଲା ସ୍ୱାସ୍ଥ୍ୟ ବିଭାଗ, ବନଖଣ୍ଡ ବିଭାଗ ଓ ସମସ୍ତ ଲାଇନ ଡିପାର୍ଟମେଂଟ ର ଅଧିକାରୀମାନେ ଯୋଗ ଦେଇ ନିଜ ନିଜର ବିଭାଗ ପକ୍ଷରୁ ନିଆଯାଇଥିବା ଆଗୁଆ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ । କେନ୍ଦ୍ରାପଡ଼ା ଜିଲାରେ କାର୍ଯ୍ୟ କରୁଥିବା ୧୦ଟି ଅଗ୍ନିଶମ ବିଭାଗରେ ସର୍ବମୋଟ୍ ୩୦ଟି ଗଛକଟା ମେସିନ୍ କାର୍ଯ୍ୟକ୍ଷମ ଅବସ୍ଥାରେ ଅଛି ଏବଂ ଜରୁରୀ ପରିସ୍ଥିତିରେ ଏଗୁଡ଼ିକୁ ନିୟୋଜିତ କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଥିଲେ । ବାତ୍ୟା ଆଶ୍ରୟସ୍ଥଳୀରେ ଆସ୍କାଲାଇଟ୍ ର ବ୍ୟବହାରକୁ ସକ୍ଷମ କରିବା ପାଇଁ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଇଥିଲେ । ବାତ୍ୟା ଯୋଗୁଁ ବିଦ୍ୟୁତ୍ ସରବରାହରେ ବ୍ୟାଘତ ଘଟିଲେ ଯଥାଶୀଘ୍ର ମରାମତି କରିବାକୁ ଓପିଟିସିଏଲ୍ କୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ । ବର୍ଷା ଜନିତ ଜଳନିଷ୍କାସନ ପାଇଁ ବିହିତ ପଦକ୍ଷେପ ନେବାକୁ ଜଳସେଚନ ଓ ସାଲାଇନ୍ ଡିଭିଜନ୍ କୁ ନିର୍ଦ୍ଧେଶ ଦିଆଯାଇଛି । ବାତ୍ୟା ସମୟରେ ଗର୍ଭବତୀ ମହିଳାଙ୍କୁ ଯଥାଶୀଘ୍ର ସ୍ଥାନାନ୍ତର କରିବା ଏବଂ ପ୍ରତ୍ୟେକ ଚିକିତ୍ସାଳୟରେ ଓଆରଏସ୍, ଔଷଧ, ହାଲୋଜିନ୍ ବଟିକା, ସାପକାମୁଡ଼ା ଇଂଜେକ୍ସନ୍ ଆଦି ମହଜୁଦ ରଖିବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଧେଶ ଦିଆଯାଇଛି । ବର୍ଷା ଯୋଗୁ କୁମ୍ଭୀରମାନଙ୍କ ଯାତାୟତ ଉପରେ କଡ଼ା ନଜର ରଖିବାକୁ ଏକ ଟିମ୍ ଗଠନ କରାଯାଇଛି ବୋଲି ବନଖଣ୍ଡ ଅଧିକାରୀ ସୂଚନା ପ୍ରଦାନ କରିଥିଲେ । ବଜ୍ରପାତ ଜନିତ ମୃତ୍ୟୁର ପ୍ରାଥମିକ ତଦନ୍ତ ରିପୋର୍ଟ ଜିଲା ପ୍ରଶାସନକୁ ତୁରନ୍ତ ପ୍ରଦାନ କରିବା ଏବଂ ଏହାର ଯୁଗ୍ମ ତଦନ୍ତ ରିପୋର୍ଟ ସହିତ ଶବ ବ୍ୟବଚ୍ଛେଦ ରିପୋର୍ଟ ପ୍ରଦାନ କରିବାକୁ ଅତିରିକ୍ତ ଜିଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର ତହସିଲଦାରମାନଙ୍କୁ ପରାମର୍ଶ ଦେଇଥିଲେ । ଶୁଖିଲା ଖାଦ୍ୟ, ଚୁଡ଼ା ଚାଉଳ, ଗୁଡ଼, ମହବତୀ, ଡିଆସିଲି ଆଦି ମହଜୁଦ ରଖିବାକୁ ବେସାମରିକ ଖାଦ୍ୟ ଯୋଗାଣ ଅଧିକାରୀଙ୍କୁ ଜିଲାପାଳ ନିର୍ଦ୍ଧେଶ ଦେଇଛନ୍ତି । ଏହି ବୈଠକରେ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ, ଅତିରିକ୍ତ ଜିଲାପାଳ(ସାଧାରଣ) ପୀତାମ୍ବର ସାମଲ, ଉପଜିଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଅତିରିକ୍ତ ଉପ-ଜିଲାପାଳ ଅଶୋକ କୁମାର ଦାସ, ଡକ୍ଟର ସଚ୍ଚିଦାନନ୍ଦ ମିଶ୍ର, ଡେପୁଟି କଲେକ୍ଟର ପଲ୍ଲବୀ ପାତ୍ର, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ସମସ୍ତ ତହସିଲଦାର, ବିଡିଓ ଓ ଲାଇନ୍ ଡିପାର୍ଟମେଂଟ୍ ର ସମସ୍ତ ଅଧିକାରୀ ଯୋଗ ଦେଇଥିଲେ ।