ଯାଜପୁର, ୦୬/୦୪/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର) – ଆଜି ପବିତ୍ର ମହାବାରୁଣୀ ସ୍ନାନ ଦିବସ ଅବସରରେ ଆଧ୍ୟାତ୍ମିକ, ସାଂସ୍କୃତିକ ଓ ଗବେଷଣାତ୍ମକଧର୍ମୀ ପତ୍ରିକା ” ବୈତରଣୀ ଜ୍ୟୋତି ” ର ଦ୍ଵିତୀୟ ବାର୍ଷିକ ଶୁଭ ଲୋକାର୍ପଣ ଉତ୍ସବ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ଯାଜପୁର ପରିସରରେ ଅନୁଷ୍ଠିତ ହୋଇଯାଇଛି।
ପଣ୍ଡିତ ଭୂପତି ଭୂଷଣ ମିଶ୍ରଙ୍କ ସଭାପତିତ୍ଵ ରେ ଆୟୋଜିତ ସଭାକାର୍ଯ୍ୟରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ଡ଼ ଦୁଷ୍ମନ୍ତ କୁମାର ନାୟକ , ମୁଖ୍ୟବକ୍ତା ଭାବେ ପ୍ରଫେସର ବଟକୃଷ୍ଣ ମହାପାତ୍ର , ସମ୍ମାନୀୟ ଅତିଥି ଭାବେ ରଶ୍ମିରାଣୀ ଦାସ ଓ ଓପେପାର ପ୍ରାକ୍ତନ ଯୁଗ୍ମ ନିର୍ଦ୍ଦେଶକ ଡ ରବୀନ୍ଦ୍ର ବିହାରୀ , ଅନୁଷ୍ଠାନ ସମ୍ପାଦକ ପଣ୍ଡିତ ପ୍ରଭଞ୍ଜନ ପତି ପ୍ରମୁଖ ମଞ୍ଚାସୀନ ଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ୍ ଡ. ନିରଞ୍ଜନ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବ୍ରହ୍ମବରଦା ମହାବିଦ୍ୟାଳୟ ର ଅଧ୍ୟକ୍ଷ ମହେଶ୍ୱର ପାଢ଼ୀ ସଭା ପରିଚାଳନା କରୁଥିଲେ । ଚଳିତ ବର୍ଷ ପାଇଁ ଜିଲ୍ଲାର ଜଣାଶୁଣା ପଣ୍ଡିତ ଅଦୈତ୍ଵ ପ୍ରସାଦ ମିଶ୍ର ଓ ଏସିବି ମେଡିକାଲ ସ୍ନାୟୁ ବିଭାଗ ଚିକିତ୍ସକ ପ୍ରଫେସର ରବି ନାରାୟଣ ପଣ୍ଡା ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା।
କାର୍ଯକ୍ରମ ଆରମ୍ଭ ପୂର୍ବରୁ ଅନୁଷ୍ଠାନର ସମସ୍ତ ସଦସ୍ୟ ମହାବାରୁଣୀ ଯୋଗ ଅବସରରେ ବୈତରଣୀ ତଟରେ ସାମୁହିକ ଆଳତୀ ମାଧ୍ୟମରେ ଜିଲ୍ଲାବାସୀ ଙ୍କ ଶୁଭ ମନାସିଥିଲେ ।
