ନିରାକାରପୁର ଆରଆଇ ଅଫିସ ଓ ପଶୁ ଚିକିତ୍ସାଳୟରେ ପାଣିର ସୁବିଧା ନାହିଁ

ନିରାକାରପୁର, ୦୫/୦୪/୨୦୨୪ (ଓଡ଼ିଶା ସମାଚାର)- ଦୀର୍ଘ ବର୍ଷ ଧରି ଖୋର୍ଦ୍ଧା ଜିଲା ନିରାକାରପୁର କଲେଜ ଛକ ନିକଟରେ ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟ ଓ ପଶୁ ଚିକିତ୍ସାଳୟ ଚାଲୁଅଛି । କିନ୍ତୁ ଦୀପ ତଳ ଅନ୍ଧାର ଭଳି ଜିଲା ଓ ବ୍ଲକ ପ୍ରଶାସନର ମଝିସ୍ଥାନରେ ଥିବା ଏହି ଦୁଇଟି କାର୍ଯ୍ୟାଳୟ ପ୍ରତି ବିଭାଗୀୟ ଅଧିକାରୀମାନେ ଯେମିତି ଆଖି ବୁଜି ଦେଇଛନ୍ତି ।ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟ ଦୀର୍ଘଦିନ ଧରି ଆଜବେଷ୍ଟସ ଛପର ଘରେ ରହିଥିବାବେଳେ ପାନୀୟ ଜଳର ସୁବିଧା ମୁଖ୍ୟତଃ ନଥିବାରୁ କେହି କର୍ମଚାରୀ ଏଠାରେ ରହିବାକୁ ଅନିଛା ପ୍ରକାଶ କରୁଛନ୍ତି । ଗତ ଫନି ବାତ୍ୟାରେ ଏହାର ଆଜବେଷ୍ଟସ ଉଡ଼ିଯାଇଥିଲା । କେବଳ ଗୋଟିଏ ରୁମ ର ଛାତ ପଡ଼ିଥିବାବେଳେ ଅନ୍ୟ ଗୁଡ଼ିକ ତାଳିପକା କାମଚଳା କାମ କରାଯାଇ ରଖାଯାଇଛି । ଯେଉଁ ସଂସ୍ଥା ଲକ୍ଷ ଳକ୍ଷ ଟଙ୍କା ରାଜସ୍ୱ ଆଦାୟ କରି ସରକାରଙ୍କ ରାଜକୋଷକୁ ପଠାଉଛି , ତାର ପୁଣି ଏପରି ଦୟନୀୟ ଅବସ୍ଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛି । ପାନୀୟ ଜଳର ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ବାରମ୍ବାର ଅଭିଯୋଗ କରିବା ଓ ଏନେଇ ଗଣମାଧ୍ୟମରେ ଅନେକ ଥର ଖବର ପ୍ରକଶ ପାଉଥିଲେ ବି ପାଣିର ବ୍ୟବସ୍ଥା ପାଇଁ ସାଧାରଣ ନଳକୂପଟି ଅଧ୍ୟାବଧି ହୋଇ ପାରିନାହିଁ । ଏହାର କର୍ମଚାରୀମାନେ ପାନୀୟ ଜଳ, ଶୌଚ ପାଇଁ ନିକଟସ୍ଥ ପଂଚାୟତ କାର୍ଯ୍ୟାଳୟ, ନିକଟସ୍ଥ ଗ୍ରାମ୍ୟ ପୁଷ୍କରଣୀ, ନଳକୂପ ଉପରେ ନିର୍ଭର କରୁଥିବାର ଦେଖାଯାଉଛି । ଏବେ ପାଇପ ଯୋଗେ ଯୋଗାଯାଉଥିବା ପାନୀୟ ଜଳର ଏକ ପଏନ୍ଟ ଏହି କାର୍ଯ୍ୟାଳୟକୁ ସଂଯୋଗ କରାଯାଇଥିଲେ କଣ ହେବ ପାନୀୟ ଜଳ ବି ପ୍ରତିନିଦିନ ମିଳୁନ ଥିବାରୁ ଏହା ସମୁଦ୍ରକୁ ଶଂଖେ ସଦୃଶ୍ୟ ହେଉଛି । ସେହିପରି କଲେଜ ଛକ ନିକଟରେ ଥିବା ପଶୁ ଚିକିତ୍ସାଳୟ ପରିସରରେ ଏକ କୂଅ ଥିବାବେଳେ ଡ଼ାକ୍ତର ଓ କର୍ମଚାରୀମାନେ ଏହି ପାଣିକୁ ନିଜର ବ୍ୟବହାର କାର୍ଯ୍ୟରେ ଲଗାଉଥିଲେ । କିନ୍ତୁ ଗତ ଫନି ବାତ୍ୟାରେ ଏହି କୂଅଟି ଭୁଷୁଡ଼ି ପଡ଼ିଥିବାରୁ ଏହା ବର୍ତମାନ ପରତ୍ୟକ୍ତ ଅବସ୍ଥାରେ ରହିଛି । ଯାହା ଫଳରେ ଦୂର ଦୂରାନ୍ତରୁ ଆସୁଥିବା ଡ଼ାକ୍ତର,କର୍ମଚାରୀ ଓ ପଶୁପକ୍ଷୀଙ୍କ ମାଲିକମାନେ ପାଣି ଟିକେ ପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତି । ସେମାନଙ୍କ ବିଭାଗ ତରଫରୁ ବିଭାଗୀୟ ଅଧିକାରୀମାନେ ପାଣିର ବ୍ୟବସ୍ଥା କରିବା ପାଇଁ ଗୁହାରୀ କରିଥିଲେ ବି ଏ ପର୍ଯ୍ୟନ୍ତ କିଛି ସୁଫଳ ମିଳିନାହିଁ ବୋଲି ଜଣାପଡ଼ିଛି । ଏ ସମ୍ବନ୍ଧରେ ଟାଙ୍ଗୀ ଗ୍ରାମ୍ୟ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ମଧୁସ୍ମିତା ମହାନ୍ତି ପୂର୍ବରୁ ବହୁ ବାର ପ୍ରତିଶ୍ରୁତି ଦେଇଥିଲେ ବି ଏହାର କୈାଣସି ସୁଫଳ ମିଳିନାହିଁ । ଏବେ ଯୋଗାଯୋଗ କରିବାରୁ ବର୍ତମାନ ଭୋଟ ପାଇଁ ଆଦର୍ଶ ଆଚରଣବିଧି ଲାଗୁ ହୋଇଥିବାରୁ କିଛି କରିବା ସମ୍ଭବ ନୁହେଁ ବୋଲି କହିବା ସହିତ ସେମାନେ ସେମାନଙ୍କ ନିଜସ୍ୱ ଫଣ୍ଡ ଖର୍ଚ୍ଚ କରି ପାଣିର ବ୍ୟବସ୍ଥା କରିବାକୁ କହିଥିଲେ ।

Leave a Reply

Your email address will not be published. Required fields are marked *