ସୁନ୍ଦରଗଡ଼,୦୭/୧୧/୨୦୨୪ (ଓଡ଼ିଶା ସମାଚାର)- ବାହା ହେବାକୁ ମନା କରିବାରୁ ଅଙ୍ଗନବାଡି କର୍ମୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଜୁଲୁମବାହାଲ ପୁରୁଣା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ପୋଲିସ ଘଟଣାର ତନାଘନା କରୁଛି ।
ମିଳିଥିବା ସୂଚନା ରୁ ପ୍ରକାଶ ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଜୁଲୁମବାହାଲ ପଞ୍ଚାୟତ ଅନ୍ତର୍ଗତ ପୂର୍ଣ୍ଣା ଗ୍ରାମରେ ବୁଧବାର ଅପରାହ୍ନରେ ଜଣେ ଅଙ୍ଗନୱାଡି କର୍ମୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ମୃତକ ହେଉଛନ୍ତି ଉକ୍ତ ଗ୍ରାମର ଦିବ୍ୟଭାରତୀ ଅଢା(୨୨)।ହେମଗିର ପୋଲିସ, ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଚଳାଇଛନ୍ତି। ଏନେଇ ହେମଗିର ଥାନାରେ ନଂ.୫୦୧/୨୪ ରେ ଏକ ମାମଲା ରୁଜୁ ହୋଇଛି। ଦିବ୍ୟଭାରତୀ ବୁଧବାର ଅଙ୍ଗନଓ୍ବାଡି କେନ୍ଦ୍ରରୁ ଫେରୁଥିବା ସମୟରେ ସେହି ଗ୍ରାମର ଶରତ ନାମକ ଜଣେ ବ୍ୟକ୍ତି ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ହତ୍ୟାକାରୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି। ହତ୍ୟାର ପ୍ରକୃତ କାରଣ ଜଣାପଡି ନ ଥିବା ବେଳେ ପ୍ରେମ ସମ୍ପର୍କକୁ ନେଇ ଏଭଳି ଘଟଣା ଘଟିଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। ଅଭିଯୁକ୍ତ ଶରତକୁ ପୋଲିସ ଖୋଜୁଛି । ସେ ଏବେ ଫେରାର୍ ଅଛି। କିଛି ଦିନ ହେଲା ଦିବ୍ୟାଭାରତୀଙ୍କୁ ଏକତରଫା ପ୍ରେମ କରୁଥିଲା ଶରତ। ଦିବ୍ୟାଭାରତୀ କୁ ବାହା ହେବାକୁ ସେ ଚାପ ପକାଉଥିଲା। ସେ ମନା କରିବାରୁ ତାଙ୍କୁ ଶରତ ହତ୍ୟା କରିଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୁକ୍ତ ଶରତକୁ ଧରିବା ପାଇଁ ପୋଲିସର ଏକ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।