ଭୁବନେଶ୍ୱର, ୨୯/୦୩/୨୦୨୪ (ଓଡ଼ିଶା ସମାଚାର)- ଆଜି ଗୁରୁ ରାମହରି ଦାସ ଓଡ଼ିଶୀ ଗୁରୁକୁଳ ତରଫ ରୁ ଗୁରୁକୁଳ ଉତ୍ସବ ୨୦୨୩ ଉଦଘାଟିତ ହୋଯାଇଛି। ଏଥିରେ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ ର କୁଳପତି ଡକ୍ଟର ପ୍ରସନ୍ନ କୁମାର ସ୍ବାଇଁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କଳା ସଂସ୍କୃତି ଓ ଓଡ଼ିଶୀ ସଙ୍ଗୀତ କ୍ଷେତ୍ର ରେ ଗୁରୁକୁଳ ର ଅବଦାନ କୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସର ରେ ମହାନ୍ ଓଡ଼ିଶୀ ଗାୟକ ଗୁରୁ ଘନଶ୍ୟାମ ପଣ୍ଡା ଙ୍କୁ ଗୁରୁକୁଳ ସମ୍ମାନ ରେ ସମ୍ମାନିତ କରିବା ସହ ୨୫୦୦୦ ଟଙ୍କା ଅର୍ଥ ରାଶି ପ୍ରଦାନ କରାଯାଇଥିଲା। ଏହି ଅବସରରେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ପ୍ରାପ୍ତ କରିଥିବାରୁ ଗୁରୁକୁଳ ର ନୃତ୍ୟ ବିଭାଗ ର ମୁଖ୍ୟ ଗୁରୁ ନିରଞ୍ଜନ ରାଉତ ଙ୍କୁ ମଧ୍ୟ ସମ୍ବର୍ଧନା ପ୍ରଦାନ କରା ଯାଇଥିଲା। ଗୁରୁ ରାମହରି ଦାସ ସ୍ବାଗତ ଭାଷଣ ଦେଇଥିବା ବେଳେ ଗୁରୁକୁଳ ର ଅଧ୍ୟକ୍ଷ ଗୁରୁ ଧନେଶ୍ଵର ସ୍ବାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରାରମ୍ଭ ହୋଇଥିଲା ଗୁରୁକୁଳ ର ମର୍ଦ୍ଦଳ ବିଭାଗର ଶିଳ୍ପୀ ମାନଙ୍କୁ ନେଇ ବୃନ୍ଦ ମର୍ଦ୍ଦଳ ବାଦନ। ପରେ ପରେ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ ର
ଦୁଇ ଛାତ୍ରୀ ଅର୍ପିତା ସାହୁ ଏବଂ ରଶ୍ମି ରେଖା ପରିଡ଼ା ଯୁଗଳ ବନ୍ଦୀ ରେ ଓଡ଼ିଶୀ ଗାୟନ କରିଥିଲେ। ଗାୟନ ରେ ଥିଲା ରାଗ ହଂସଧ୍ଵନି ଏଵଂ ତାଳ ଏକତାଳି। ମର୍ଦ୍ଦଳ ରେ ରାମଚନ୍ଦ୍ର ବେହେରା ସହଯୋଗ କରିଥିବା ବେଳେ ହର୍ମୋନିଅମ୍ ଏବଂ ସଂଯୋଜନା କରିଥିଲେ ପ୍ରାଧ୍ୟାପକ ଗୁରୁ ଡକ୍ଟର ଧୀରଜ୍ କୁମାର ମହାପାତ୍ର। ପରେ ପରେ ଗୁରୁ ଅଭିରାମ ନନ୍ଦ ଏକକ ବଂଶୀ ବାଦନ କରିଥିଲେ। ତାଙ୍କୁ ତବଲା ରେ ଗୁରୁ ବିଶ୍ବରଂଜନ ନନ୍ଦ ଏବଂ ସୋମ ଦେ ସରକାର ସହଯୋଗ କରିଥିଲେ। ବଂଶୀ ବାଦନ ରେ ଗୁରୁକୁଳ ର ଓଡ଼ିଶୀ ନୃତ୍ୟ ଶିଳ୍ପୀ ମାନେ ବୃନ୍ଦ ଓଡ଼ିଶୀ ନୃତ୍ୟ ରେ ଶିବ ତାଣ୍ଡବ ପରିବେଷଣ କରିଥିଲେ। ପରିଶେଷେ ପଦ୍ମଶ୍ରୀ ଗୁରୁ ଉତ୍ସବ ଚରଣ ଦାସ ଚଇତି ଘୋଡ଼ା ନାଟ ପରିବେଷଣ କରିଥିଲେ। ସମ୍ପାଦକ ହିମାଂଶୁ ଶେଖର ସ୍ବାଇଁ ଙ୍କ ତତ୍ତ୍ଵାବଧାନରେ ସଂଯୋଜିତ ଏହି ଉତ୍ସବ ରେ ଟ୍ରଷ୍ଟି ଡକ୍ଟର ଚିତ୍ତଞ୍ଜନ ରଞ୍ଜନ ମଲିଆ, ଗୁରୁ ସୁକାନ୍ତ କୁଣ୍ଡୁ ଏବଂ ଅସୀମ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ଗୁରୁକୁଳ ଉତ୍ସବ – ୨୦୨୩ ଉଦଘାଟିତ
![](https://eodishasamachar.com/wp-content/uploads/2024/03/GU-3.jpeg)