ବିଶ୍ୱ ପର୍ଯ୍ୟଟନ ଦିବସ ୨୦୨୬ ଅବସରରେ ଜଗତସିଂହପୁରରେ ସଫଳତାର ସହ ଅନୁଷ୍ଠିତ ‘ପ୍ରୋମୋ ରନ୍ ୨୦୨୬’

ଜଗତସିଂହପୁର,୨୭/୦୯/୨୦୨୬ (ଓଡ଼ିଶା ସମାଚାର)-ବିଶ୍ୱ ପର୍ଯ୍ୟଟନ ଦିବସ-୨୦୨୬ ଅବସରରେ ଜଗତସିଂହପୁର ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ‘ପ୍ରୋମୋ ରନ୍ ୨୦୨୬’ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଛି। ପର୍ଯ୍ୟଟନ, ସ୍ୱାସ୍ଥ୍ୟ, ଐତିହ୍ୟ ଓ ଜନସଚେତନତାକୁ ଏକତ୍ର କରି ଆୟୋଜିତ ଏହି ଦୌଡ଼ କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଅଂଶଗ୍ରହଣକାରୀମାନେ ଉତ୍ସାହର ସହ ଯୋଗଦେଇଥିଲେ।

ସକାଳ ୫ଟା ୧୫ ମିନିଟ୍‌ରେ ୨୦୦ ଅଂଶଗ୍ରହଣକାରୀଙ୍କ ପଞ୍ଜୀକରଣ ଓ ଟି-ସାର୍ଟ ବଣ୍ଟନ କରାଯାଇଥିଲା। ଏହାପରେ ଅଂଶଗ୍ରହଣକାରୀ ମାନଙ୍କୁ ଆବଶ୍ୟକୀୟ ସୂଚନା ଦିଆଯାଇଥିଲା।

ସକାଳ ୬ଟା ୩୦ ମିନିଟ୍‌ରେ ମୁଖ୍ୟ ଅତିଥି  ଶ୍ରୀଯୁକ୍ତ ଅମରେନ୍ଦ୍ର ଦାସ, ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ, ସମ୍ମାନିତ ଅତିଥି ଶ୍ରୀମତୀ ଅର୍ଚ୍ଚନା ସିଂହ, ଅଧ୍ୟକ୍ଷା ଜଗତସିଂହପୁର ପୌର ପରିଷଦ, ଶ୍ରୀଯୁକ୍ତ ସମ୍ବିତ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) , ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ତରାଇ, ଉପ ଜିଲ୍ଲାପାଳ, ଗତସିଂହପୁର, ଶ୍ରୀମତୀ ବିଶ୍ୱ ବିଜୟିନୀ ପଟ୍ଟନାୟକ, ଜିଲ୍ଲା କ୍ରୀଡା ଅଧିକାରୀ, ଓ ଶ୍ରୀମତୀ ମୀରା ବାଈ ବେହେରା, ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀଙ୍କ ଦ୍ୱାରା ପତାକା ଦେଖାଇ ପ୍ରୋମୋ ରନ୍‌ ର ଶୁଭାରମ୍ଭ କରାଯାଇଥିଲା। ଦୌଡ଼ଟି ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍‌ରୁ ଆରମ୍ଭ ହୋଇ ଅଳକା ଆଶ୍ରମ, ଏସ୍‌.ଭି.ଏମ୍‌. ସ୍ୱୟଂଶାସିତ ମହାବିଦ୍ୟାଳୟ, ଜଗତସିଂହପୁର ଦେଇ ପୁନର୍ବାର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍‌ ରେ ସମାପ୍ତ ହୋଇଥିଲା।

ଏହି ଅବସରରେ ଅଂଶଗ୍ରହଣକାରୀମାନେ “ସ୍ୱାସ୍ଥ୍ୟ ପାଇଁ ଦୌଡ଼, ଐତିହ୍ୟ ପାଇଁ ଦୌଡ଼, ଓଡ଼ିଶା ପାଇଁ ଦୌଡ଼” ବାର୍ତ୍ତା ଦେଇଥିଲେ। ଜଗତସିଂହପୁରର ପର୍ଯ୍ୟଟନସ୍ଥଳୀ, ଐତିହ୍ୟ ଓ ସଂସ୍କୃତିକୁ ଲୋକଲୋଚନକୁ ଆଣିବା ସହ ଯୁବପିଢ଼ି ଓ ସାଧାରଣ ଲୋକଙ୍କ ମଧ୍ୟରେ ପର୍ଯ୍ୟଟନ ପ୍ରତି ଆଗ୍ରହ ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ପ୍ରୋମୋ ରନ୍‌ର ସମାପ୍ତି ପରେ ସକାଳ ୭ଟା ୩୦ ମିନିଟ୍‌ରେ ପୁରସ୍କାର ବିତରଣୀ ସମାରୋହ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ବର୍ଗର ସଫଳ ଅଂଶଗ୍ରହଣକାରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ପରେ ସକାଳ ୮ଟାରେ ଅଂଶଗ୍ରହଣକାରୀ ଓ ଅତିଥିମାନଙ୍କ ପାଇଁ ଜଳଖିଆ  ବ୍ୟବସ୍ଥା କରାଯାଇଥିଲା।

ଜିଲ୍ଲା ପର୍ଯ୍ୟଟନ ବିଭାଗର ଏହି ପଦକ୍ଷେପ ମାଧ୍ୟମରେ “ପର୍ଯ୍ୟଟନ ସହ ସ୍ୱାସ୍ଥ୍ୟ, ଐତିହ୍ୟ ସହ ଯୁବଶକ୍ତି” ର ଏକ ସୁନ୍ଦର ସନ୍ଦେଶ ସମାଜକୁ ପ୍ରଦାନ କରାଯାଇଛି। ଏପରି କାର୍ଯ୍ୟକ୍ରମ ଜଗତସିଂହପୁର ଜିଲ୍ଲାର ପର୍ଯ୍ୟଟନ ସମ୍ଭାବନାକୁ ଅଧିକ ପ୍ରଚାର-ପ୍ରସାର କରିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ କରାଯାଇଛି।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *