ତୁଳସୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚାରେ ଘୋଷଯାତ୍ରା

ରଥ ଟଣାଇ ଦେଲେନି ସେବାୟତ
ଦଶହାତ ଗଡିଲା ବ୍ରହ୍ମ ତାଳଧ୍ୱଜ
କେନ୍ଦ୍ରାପଡ଼ା, ୧୬/୦୭/୨୦୨୬ (ଓଡ଼ିଶା ସମାଚାର)-ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମରେ ସତେ ଯେମିତି ଫାଟି ପଡୁଥିଲା ତୁଳସୀକ୍ଷେତ୍ରାଧିପତି ଶ୍ରୀବଳଦେବଜୀଊଙ୍କ ରଥଦାଣ୍ଡ । ଘଂଟ, ଘଂଟା, ମୃଦଙ୍ଗ, କାହାଳୀ ଶବ୍ଦରେ ପ୍ରକମ୍ପିତ ହୋଇ ଉଠିଥିଲା ତୁଳସୀକ୍ଷେତ୍ର ରଥଦାଣ୍ଡର ଗଗନ ପବନ । ବ୍ରହ୍ମ ତାଳଧ୍ୱଜ ରଥକୁ ଛୁଇଁବା ପାଇଁ ଭକ୍ତମାନଙ୍କ ମଧ୍ୟରେ ବେଶ ଆବେଗ ବଢି ଯାଇଥିଲା । ଭକ୍ତ ଓ ଭଗବାନଙ୍କ ମିଳନ ବର୍ଷକରେ ଥରେ ଥିଲା ବେଶ ଭାବବିହ୍ୱଳିତ । ଭକ୍ତମାନଙ୍କ ଆଖିରୁ ଝରି ପଡ଼ୁଥିଲା ଅଶ୍ରୁ । ରଥାରୂଢ ଶ୍ରୀଜୀଉମାନଙ୍କୁ ଦେଖିବାକୁ ବ୍ୟାକୁଳ ହୋଇ ଉଠିଥିଲେ ଭକ୍ତମାନେ ।

ରଥ ଟାଣିବାର ଅପୂର୍ବ ଅନୁଭୂତିକୁ କେହି ହାତଛଡା କରିବାକୁ ଚାହୁଁନଥିଲେ । ତେଣୁ ଶ୍ରୀଗୁଣ୍ଡିଚା ରଥଯାତ୍ରାରେ ରଥ…ପଥ…ବ୍ରହ୍ମ ତଳଧ୍ୱଜ ହୋଇଥିଲା ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉମୟ । ଅର୍ଥାତ ବ୍ରହ୍ମ ତାଳଧ୍ୱଜ ରଥ ଉପରେ ବଡ଼ ଭାଇ ବଳଭଦ୍ର, ସୁନା ଭଉଣୀ ସୁଭଦ୍ରା ଓ କାଳିଆ ସାଆନ୍ତଙ୍କୁ ଦର୍ଶନ କରି ଭକ୍ତମାନେ ଖୁସିରେ ଆତ୍ମହରା ହୋଇପଡିଥିଲେ । ଗୁରୁବାର ସକାଳୁ ରଥାରୂଢ ଠାକୁରମାନଙ୍କୁ ଦର୍ଶନ କରିବା ପାଇଁ ରଥଦାଣ୍ଡ ଲୋକାରଣ୍ୟ ହୋଇଯାଇଥିଲା । ଶ୍ରୀଜୀଉମାନେ ପହଣ୍ଡି ବିଜେ କରି ରଥାରୂଢ ହୋଇଥିଲେ ।

ଏହାପରେ ବ୍ରହ୍ମତାଳଧ୍ୱଜ ରଥ ଗଡିବା ପାଇଁ ପ୍ରସ୍ତୁତ ହୋଇଥିଲା । ଭକ୍ତମାନଙ୍କ ଭାବାବେଗକୁ ଦେଖି ପ୍ରଶାସନ ରଥ ଟାଣିବା ପାଇଁ ପ୍ରସ୍ତୁତ ହେବା ପରେ ଅପରାହ୍ଣ ପ୍ରାୟ ସାଢେ୫ଟା ବେଳେ ରଥ ଟଣା ହୋଇଥିଲା । ରଥ ଟାଣିବା ପାଇଁ ତ୍ରିସ୍ତରୀୟ ପୋଲିସ କର୍ଡନ ବ୍ୟବସ୍ଥା ହୋଇଥିଲା । କର୍ଡ଼ନ ମଧ୍ୟରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଧାକର ସାହୁ, କେନ୍ଦ୍ରାପଡା ଏସ୍ଡିପିଓ ଜ୍ୟୋତିରଞ୍ଜନ ଗୌଡା କର୍ଡ଼ନ ମଧ୍ୟରେ ରହି ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ଯାଂଚ କରୁଥିଲେ । ତାଙ୍କୁ ସହଯୋଗ କରୁଥିଲେ ଟାଉନ୍ ଥାନା ଅଧିକାରୀ ଶୁଭେନ୍ଦୁ ସାହୁ, ରିଜର୍ଭ ଇନସପେକ୍ଟର ପ୍ରଶାନ୍ତ କୁମାର ରଣସିଂହ, ଇନସପେକ୍ଟର ଦିଲ୍ଲିପ କୁମାର ସାହୁ, ଇନିସପେକ୍ଟର ତପନ ନାୟକଙ୍କ ସମେତ ଜିଲାର ବିଭିନ୍ନ ଥାନାର ଅଧିକାରୀମାନେ ।

ରଥ ଉପରେ ୩ଶହରୁ ଉଦ୍ଧ୍ୱର୍ ସେବାୟତ ଥିବାରୁ ରଥଟଣାରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ପ୍ରଶାସନ ପକ୍ଷରୁ ସେବାୟତମାନଙ୍କୁ ବାରମ୍ବାର ନିବେଦନ ସତ୍ୱେ ରଥଉପରୁ ସେବାୟତମାନେ ତଳକୁ ଆସିନଥିଲେ । ଫଳରେ ରଥ ଉପରେ ଅତ୍ୟଧିକ ଓଜନ ହେବାରୁ ରଥ ଦଉଡି ଛିଣ୍ଡିଯିବା ସହ ରଥ ଡାହାଣ ପାଶ୍ୱର୍କୁ ମାଡି ଯାଇଥିଲା । ଏହାଦ୍ୱାରା ରଥ ମାତ୍ର ୧୦ମିଟର ଯିବା ପରେ ବାଟରେ ଅଟକି ରହିଥିଲା ।

ତୁଳସୀକ୍ଷେତ୍ରର ପରମ୍ପରା ଅନୁଯାୟୀ ଶ୍ରୀଗୁଣ୍ଡିଚାରେ ରଥ ଟଣା ଆରମ୍ଭ ହେବା ପରେ ତାହା ଦେବୋତର କାର୍ଯ୍ୟାଳୟ ନିକଟରେ ଅଟକି ଥାଏ । କିନ୍ତୁ ସେବାୟତମାନେ ଏହି ପରମ୍ପରା ଭଙ୍ଗକରି ଦେବୋତର କାର୍ଯ୍ୟାଳୟ ପର୍ଯ୍ୟନ୍ତ ରଥକୁ ଟଣାଇଦେଲେନାହିଁ । ଏହାବ୍ୟତିତ ରଥରେ ଶ୍ରୀଜୀଉମାନଙ୍କ ସମ୍ମୁଖରେ ସେବାୟତମାନେ ଛିଡାହୋଇ ଥିବାରୁ ରଥରୁଢ ଶ୍ରୀଜୀଉମାନଙ୍କୁ ଭକ୍ତମାନେ ଦର୍ଶନ କରିବାରେ ଗୁରୁତର ବାଧା ସୃଷ୍ଟିହୋଇଥିଲା । ଏନେଇ ଭକ୍ତମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଥିଲା । ରଥ ଉପରକୁ ଛୋଟ ଛୋଟ ପିଲାମାନଙ୍କୁ ଉଠାଇବାକୁ ସେବାୟତମାନଙ୍କ ମଧ୍ୟରେ ବେଶ ପ୍ରତିଯୋଗିତା ଦେଖିବାକୁ ମିଳିିଥିଲା ।

ରଥ ଉପରକୁ ଛୋଟ ପିଲାମାନଙ୍କୁ ଉଠାଇ ଶ୍ରୀଜୀଉଙ୍କ ଦର୍ଶନ କରାଇବା ପାଇଁ ସେବାୟତମାନେ ଭକ୍ତମାନଙ୍କ ଠାରୁ ଦକ୍ଷିଣା ନେଉଥିଲେ । କିନ୍ତୁ ଏହି କାର୍ଯ୍ୟ ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବେ ଚାଲିଥିଲା । ଲୋକେ ସେମାନଙ୍କ ପିଲାମାନଙ୍କୁ ରଥ ଛୁଇଁବାକୁ ଛାଡୁଥିବାରୁ ଆମେ ରଥ ଉପରକୁ ଚଢାଉଛୁ ବୋଲି ଜଣେ ସେବାୟତ କହିଥିଲେ । ଫଳରେ ପୋଲିସ ନୀରବ ରହିବାକୁ ବାଧ୍ୟ ହୋଇଥିଲା । ସେମାନଙ୍କୁ ବିରୋଧ କଲେ ରଥ ଗଡାଇ ଦେବେ ନାହିଁ ବୋଲି ମଧ୍ୟ ଧମକ ଦେଇଥିଲେ । ସେଥିପାଇଁ ପୋଲିସ ନୀରବ ରହିବାକୁ ବାଧ୍ୟ ହୋଇଥିଲା ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଥିଲେ । ରଥ ସିଂହଦ୍ୱାରରୁ ଟଣା ହୋଇ ମାତ୍ର ୧୦ହାତ ଯିବା ପରେ ରଥଟଣା ବନ୍ଦ ରହିଥିଲା ।

ଆସନ୍ତା କାଲି ଅର୍ଥାତ ଶୁକ୍ରବାର ରଥ ଟଣା ଯାଇ ଦେବୋତର କାର୍ଯ୍ୟାଳୟ ନିକଟରେ ପହଂଚିିବା ପରେ ସେଠାରେ ଭୋଗ ଲାଗିହେବ । ପରଦିନ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥଚକଡା ଲାଗିବ । ପରେ ରଥାରୂଢ ଶ୍ରୀଜୀଉମାନେ ଜନ୍ମବେଦୀ ତଥା ମାଉସୀ ମା’ଙ୍କ ମନ୍ଦିରକୁ ପ୍ରବେଶ କରିବାର ପରମ୍ପରା ରହିଛି । ରଥ କର୍ଡନ ଭିତରେ ଅତିରିକ୍ତ ଜିଲାପାଳ ତଥା ଦେବୋତର ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ ନବକୃଷ୍ଣ ଜେନା, ଉପଜିଲାପାଳ ଅରୁଣ କୁମାର ନାୟକ, ଟ୍ରଷ୍ଟବୋର୍ଡ ସଭ୍ୟ ହୃଷିକେଶ ରଥ, ପୂର୍ବତନ ପୌରପାଳ ଧିରେନ କୁମାର ସାହୁ, ସେବାୟତ ସଭ୍ୟ ନୃସିଂହ ପ୍ରସାଦ ପତ୍ରୀ, ଦେବୋର ସଂସ୍ଥାର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ କାଉନସିଲର ପ୍ରଦୀପ କୁମାର ଜେନା, ନିରାକାର ସ୍ୱାଇଁ, ଉମେଶ ନାୟକ, ଯୁନେତା ରାଜେଶ ପଣ୍ଡା, ହଳଧର ସେଠୀ, ସଫେଇ କର୍ମଚାରୀ ସଙ୍ଘ ସଭାପତି ମାନସ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *