ଭିଜିଲାନ୍ସ ଜାଲରେ ଜିଏସ୍ଟି ଅଧିକାରୀ

ଭୁବନେଶ୍ୱର, ୨୮/୦୩/୨୦୨୪ (ଓଡ଼ିଶା ସମାଚାର )- ଭିଜିଲାନ୍ସ ଜାଲରେ ଜିଏସ୍ଟି ଅଧିକାରୀ ମାନସ ରଂଜନ ବେହେରା। ୩୦ ହଜାର ଟଙ୍କାର ଲାଞ୍ଚ ନେବାବେଳେ କାବୁ କରିଛି ଭିଜିଲାନ୍ସ। ପୁରୀ ଜିଲ୍ଲା ସ୍କୁଲ ସମ୍ମୁଖରେ ପୁରୀର ସିଟିଓ ଆଣ୍ଡ ଜିଏସ୍ଟି, ଏନ୍ଫୋର୍ସମେଣ୍ଟ ୟୁନିଟ୍ର ଅଧିକାରୀଙ୍କୁ ଲାଞ୍ଚ ନେବାବେଳେ ଟ୍ରାକ୍ କରିବାରେ ସଫଳ ହୋଇଛି ଭିଜିଲାନ୍ସ ୟୁନିଟ୍। ଅଭିଯୋଗକାରୀ ଜଣକ ଗତ ୧୯ ମାର୍ଚ୍ଚରେ ସରକାରୀ ନିୟମ ମୁତାବକ ୭୯,୨୦୦ ଟଙ୍କାର ଜିଏସ୍ଟି ଜୋରିମାନା ପୈଠ କରି ସାରିଥିଲେ ମଧ୍ୟ ତାଙ୍କ ଅଟକ ରଖାଯାଇଥିବା ଗାଡିକୁ ମୁକ୍ତ କରିବା ପାଇଁ ଜିଏସ୍ଟି ଅଧିକାରୀ ମାନସ ରଂଜନ ବେହେରା ୩୦ ହଜାର ଟଙ୍କା ଦାବି କରିଥିଲେ ।
ଆଜି ଅଭିଯୋଗକାରୀଙ୍କ ଠାରୁ ପୁରୀ ଜିଲ୍ଲା ସ୍କୁଲ ସମ୍ମୁଖରେ ଦାବି ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ଭିଜିଲାନ୍ସ ଅଧିକାରୀମାନେ ଶ୍ରୀ ବେହେରାଙ୍କ ଠାରୁ ୩୦ ହଜାର ଟଙ୍କାକୁ ଜବତ କରିବା ସହ ଶ୍ରୀ ବେହେରାଙ୍କର ତିନୋଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି। ଏ ସମ୍ପର୍କରେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ଶ୍ରୀ ବେହେରା, ସିଟିଓ ଏବଂ ଜିଏସ୍ଟି ଅଧିକାରୀ, ଏନଫୋର୍ସମେଣ୍ଟ ୟୁନିଟ୍ ବିରୁଦ୍ଧରେ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *