ବାଲିଗୁଡ଼ା,୧୫/୦୨/୨୪:(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ତ୍ରିବେଦୀ ପାର୍କରେ କାର୍ଯ୍ୟରତ କର୍ମଚାରୀଙ୍କ ସନ୍ଦେହ ଜନକ ମୃତ୍ୟୁ । ପାର୍କ ଭିତରେ ଥିବା ଏକ ଘରୁ ଶବ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ମୃତ ସିକ୍ୟୁରିଟି ଗାର୍ଡ ବାଲିଗୁଡ଼ା ଥାନା ଗୁମାପଦର ନିକଟସ୍ଥ ବଲମରପଦର ଗ୍ରାମର ଦିବାକର ବିନ୍ଧାଣୀ ବୋଲି ଜଣାପଡିଛି । ସୂଚନା ପ୍ରକାରେ ନିଜ ନିଜ ଡିୟୁଟି ସାରି ପାର୍କରେ କାମ କରୁଥିବା ଛ ଜଣ କର୍ମଚାରୀ ପାର୍କ ତାଲା ପକାଇ ନିଜ ନିଜ ଘରକୁ ଚାଲିଯାଆନ୍ତି । ବୁଧବାର ଦିନ ମଧ୍ୟ ରାତି ୮ଟାରେ ପାର୍କ ବନ୍ଦ କରି ସମସ୍ତେ ଘରକୁ ଯିବାକୁ ବାହାରିଥିଲେ ହେଲେ ଦିବାକର ଯାଇନଥିଲେ । ଦିବାକର ନଯିବା କଥା ମଧ୍ୟ କେହି ଜାଣି ପାରିନଥିଲେ । ଘରକୁ ନଫେରିବାରୁ ଦିବାକରଙ୍କ ସ୍ତ୍ରୀ ଲଳିତା ବିନ୍ଧାଣୀ ସ୍ବାମୀଙ୍କୁ ଫୋନ୍ କରିଥିଲେ କିନ୍ତୁ ସେ ଫୋନ୍ ଉଠାଇନଥିଲେ । ଗୁରୁବାର ସକାଳୁ କିଛି କର୍ମଚାରୀ ପାର୍କକୁ ଆସିବା ପରେ କୌଣସି କାମରେ ସେହି ଘର ଭିତରକୁ ଯିବାପରେ ଦିବାକର ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ଆମ୍ବୁଲାନ୍ସ ଯୋଗେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ସ୍ପଷ୍ଟ କରିଥିଲେ । ହେଲେ ଦିବାକରଙ୍କ ମୃତ୍ୟୁର କାରଣ ଏଯାବତ୍ ସ୍ପଷ୍ଟ ହୋଇନଥିବା ବେଳେ ଘଟଣା ସ୍ଥଳରେ ବାଲିଗୁଡ଼ା ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।