ଶୁନ୍ୟ ମୃତୁ୍ୟ ସପ୍ତାହ ପାଳନ ଉପଲକ୍ଷେ ବୈଠକ

କେନ୍ଦ୍ରାପଡ଼ା, ୨୪/୧୧/୨୦୨୩ (ଓଡ଼ିଶା ସମାଚାର)- ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ନିର୍ଦ୍ଧେଶକ୍ରମେ ଜିଲା ପ୍ରଶାସନ ଓ ଜିଲା ପରିବହନ ବିଭାଗର ମିଳିତ ଆନୁକୂଲ୍ୟରେ “ଶୂନ୍ୟ ମୃତ୍ୟୁ ସପ୍ତାହ” ପାଳନ ଉପଲକ୍ଷେ ଅତିରିକ୍ତ ଜିଲାପାଳ (ରାଜସ୍ୱ) ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହରେ ଆଜି ଅପରାହ୍ଣରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲା ପରିବହନ ଅଧିକାରୀଙ୍କ ସୂଚନା ଅନୁଯାୟୀ ଚଳିତ ବର୍ଷ ଜାନୁଆରୀଠାରୁ ନଭେମ୍ବର ମାସ ମଧ୍ୟରେ ୭ଜଣଙ୍କୁ “ଗୁଡ୍ ସମାରିଟାନ୍ ଆୱାର୍ଡ଼” ପ୍ରଦାନ କରାଯାଇଛି । ଆଜିର ବୈଠକରେ ଜଜାଙ୍ଗସ୍ଥିତ ବିପିସିଏଲ୍ ପେଟ୍ରୋଲ୍ ଟାଙ୍କି ନିକଟରେ ଅଙ୍ଗୁଳାଇର ଦୁର୍ଘଟଣାଗ୍ରସ୍ତ ରଞ୍ଜନ କୁମାର ପ୍ରଧାନଙ୍କୁ ଦୁର୍ଘଟଣା ଘଟିବାର ଗୋଲଡେନ୍ ଆୱାର୍ ମଧ୍ୟରେ ଉଦ୍ଧାର କରି ଡାକ୍ତରଖାନାରେ ପହଂଚାଇଥିବା କେନ୍ଦ୍ରାପଡ଼ା ଡିଏସପି ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କୁ ଅତିରିକ୍ତ ଜିଲାପାଳ “ଗୁଡ୍ ସମାରିଟାନ୍ ଆୱାର୍ଡ଼”ସ୍ୱରୂପ ୨ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ଯେ, ଚଳିତବର୍ଷ ଡିସେମ୍ବର ୧ ତାରିଖଠାରୁ ୭ତାରିଖ ପର୍ଯ୍ୟନ୍ତ “ଶୂନ୍ୟ ମୃତ୍ୟୁ ସପ୍ତାହ” ପାଳନ କରାଯିବ । ଏହି ସପ୍ତାହରେ ଶୂନ୍ୟ ମୃତ୍ୟୁକୁ ସରକାର ଟାର୍ଗେଟ୍ ରଖି ସଡ଼କ ସୁରକ୍ଷା ନିମନ୍ତେ ବିଭିନ୍ନ ବିଭାଗ ପାଇଁ ଏସଓପି ଜାରି କରିଛନ୍ତି । ସର୍ବେକ୍ଷଣରୁ ଜଣାଯାଇଛି ଯେ, ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶାରେ ୪୮ ହଜାରରୁ ଅଧିକ ଲୋକଙ୍କର ଦୁର୍ଘଟଣାଜନିତ ମୃତ୍ୟୁ ଘଟିଛି । ଚଳିତ ବର୍ଷ ଜାନୁଆରୀଠାରୁ ସେପ୍ଟେମ୍ବର ମାସ ମଧ୍ୟରେ ବିଗତ ବର୍ଷ ତୁଳନାରେ ୪.୯ ପ୍ରତିଶତ ଅଧିକ ମୃତ୍ୟୁହାର ଘଟିଛି । ଫଳରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ଓ ଜିଲା ପ୍ରଶାସନ “ଶୂନ୍ୟ ମୃତ୍ୟୁ ସପ୍ତାହ” ପାଳନ କରିବାକୁ ଯାଉଛନ୍ତି । ଯେଉଁମାନେ ମଦ୍ୟପାନ କରି, ବିନା ହେଲମେଟ୍ ରେ, ବିନା ଡ୍ରାଇଭିଙ୍ଗ୍ ଲାଇସେନ୍ସରେ ଏବଂ ଅଳ୍ପ ବୟସରୁ ଗାଡ଼ି ଚଳାଇବେ ସେମାନଙ୍କଠୁ ଫାଇନ୍ ଆଦାୟ ସହ ସେମାନଙ୍କ ଡ୍ରାଇଭିଙ୍ଗ୍ ଲାଇସେନ୍ସ ରଦ୍ଧ କରିବା ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ଅତିରିକ୍ତ ଜିଲାପାଳ ପରିବହନ ଅଧିକାରୀ ଓ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । ଦୁର୍ଘଟଣା ଘଟୁଥିବା ସ୍ଥାନମାନଙ୍କରେ ସୂଚନା ଫଳକ ପ୍ରଦର୍ଶନ, ଅନଧିକାର ପାର୍କିଂ, ରାସ୍ତା ଉପରେ ଜମାଥିବା ଗୋଡ଼ି, ବାଲି, ସିମେଂଟ୍ ହଟାଇବା ଓ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମ୍ପୃକ୍ତ ଅଧିକାରୀମାନେ ଗୁରୁତ୍ୱ ଦେବେ ବୋଲି ମତବ୍ୟକ୍ତ କରିଥିଲେ । ମୃତ୍ୟୁ ହାରକୁ କମାଇବା ପାଇଁ ହାଇୱେ ପେଟ୍ରୋଲିଂ, ଆମ୍ବୁଲାନ୍ସ ମୁତୟନ, ରାସ୍ତା ଉପରେ ବୁଲୁଥିବା ପଶୁମାନଙ୍କୁ ହଟାଇବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ନେଇ ସଚେତନତା ଶୋଭାଯାତ୍ରା ଓ ବିଭିନ୍ନ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା । ଜିଲାରେ ରୋଡ୍ ସେଫଟି ପାଇଁ ଏକ ହ୍ୱାଟ୍ସଆପ୍ ଗ୍ରୁପ୍ ଗଠନ କରିବାକୁ ନିଷ୍ପତି ନିଆଯାଇଛି । ପ୍ରାରମ୍ଭରେ ଜିଲା ପରିବହନ ଅଧିକାରୀ ଧୀରେନ୍ଦ୍ର କୁମାର ନାୟକ “ଶୁନ୍ୟ ମୃତ୍ୟୁ ସପ୍ତାହ” ପାଳନର ଆଭିମୁଖ୍ୟ ଓ ରୋଡ୍ ସେଫ୍ଟି ପାଇଁ ନିଆଯାଉଥିବା ବିଭାଗୀୟ ପଦକ୍ଷେପ ବିଷୟରେ ବୈଠକକୁ ଅବଗତ କରାଇଥିଲେ । ଏହି ବୈଠକରେ ପୂର୍ତ ଡିଭିଜନ ନଂ-୧ର ସହକାରୀ ନିର୍ବାହୀ ଯନ୍ତ୍ରୀ ଆଜାମୁଦ୍ଧିନ୍ ଖାନ ଓ ସଞ୍ଜୟ କୁମାର ସାହୁ, ପୂର୍ତ ଡିଭିଜନ ନଂ- ୨ର ଦୈତାରୀ ଟୁଡୁ, ଏନଏଚଏଆଇର ପିଭିଏସବି ସେନ୍, ଗ୍ରାମ୍ୟ ଉନ୍ନୟନର ଜେଇ କୁମାରନାଥ ରାୟ, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶୋକ ବଳିଆରସିଂହ, ଜିଲା ପରିବହନ ବିଭାଗର ସେକ୍ସନ୍ ଅଫିସର୍ ପ୍ରଭାକର ରାଉତ, ପୂର୍ତ ଡିଭିଜନ ନଂ-୧ର ସେକ୍ସନ୍ ଅଫିସର୍ ନିହାର ରଞ୍ଜନ ବଳ ପ୍ରମୂଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *