ଖୋର୍ଦ୍ଧା, ୨୪/୧୧/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ୧୬ ନମ୍ବର ଜାତୀୟ ରାଜପଥ ବେଲପଡା ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି , ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଆସାମ ରାଜ୍ୟ ବରପେଟା ଥାନା ବିହାପରା ଗ୍ରାମର ମୋମିନୁଲ ଖାନ(୨୫) । ସୂଚନା ମୁତାବକ ଆସାମ ରୁ ଏକ କାର୍ବନ ବୋଝେଇ ଟ୍ରକ ଆନ୍ଧ୍ର ଅଭିମୁଖେ ଯାଉଥିବା ବେଳେ ଆଜି ବଡ଼ି ଭୋରରେ ବେଲପଡା ଛକଠାରେ ବିଶ୍ରାମ ପାଇଁ ଅଟକିଥିଲା । ଉକ୍ତ ସମୟରେ ଟ୍ରକ ହେଲ୍ପର ମୃତ ମୋମିନୁଲ ଟ୍ରକ ଚକା ନିକଟରେ ଶୋଇ କିଛି ଯାନ୍ତ୍ରିକ ମରାମତି କାର୍ୟ୍ୟ ଜାରି ରଖିଥିଲେ । ତେବେ ସେହି ସମୟରେ କେଉଁଝର ଯୋଡ଼ା ରୁ ବ୍ରହ୍ମପୁର ଅଭିମୁଖେ ଦୃତଗତିରେ ଯାଉଥିବା ଏକ କୋଇଲା ବୋଝେଇ ହାଇୱା ପୁର୍ବରୁ ଛିଡା ହୋଇଥିବା କାର୍ବନ ବୋଝେଇ ଟ୍ରକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା । ଫଳରେ ଟ୍ରକଟି ଆଗକୁ ଗଡିଯାଇ ଆଉ ଏକ ଟ୍ରକକୁ ଧକ୍କା ଦେଇଥିଲା ଏବଂ ଟ୍ରକ ଚକା ନିକଟରେ କାର୍ୟ୍ୟ କରୁଥିବା ମୋମିନୁଲଙ୍କ ଉପରେ ଚଢିଯାଇଥିଲା । ଫଳରେ ଘଟଣାସ୍ଥଳରେ ମୋମିନୁଲଙ୍କ ମୃତ୍ୟୁ ହୋଇଥିବାବେଳେ ଦୁର୍ଘଟଣା ଘଟାଇଥିବା କୋଇଲା ବୋଝେଇ ହାଇୱା ଚାଳକ ଫେରାର ହୋଇଯାଇଛନ୍ତି । ଖବର ପାଇ ବାଣପୁର ପୋଲିସ ଏସଆଇ ରବୀନ୍ଦ୍ରନାଥ ଗୌଡ଼, ଗାୟତ୍ରୀ ଗୋଛାୟତ, ଏଏସଆଇ ଅନିଲ କୁମାର ନାୟକ, ସୁଶାନ୍ତ ସାହୁ ଏବଂ ଟିମ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଅଗ୍ନିଶମ ବାହିନୀର ସହାୟତାରେ ମୃତକଙ୍କୁ ଉଦ୍ଧାର କରିବା ସହ ଶବ ଜବତ କରି ତଦନ୍ତ ଜାରି ରଖିଛି ।