ଓବିସିଙ୍କୁ ୨୭ଭାଗ ସଂରକ୍ଷଣ ଦେବାକୁ ସମାଜବାଦୀ ପାର୍ଟିର ଦାବି
ଭୁବନେଶ୍ୱର,୨୩/୦୩/୨୦୨୪ (ଓଡ଼ିଶା ସମାଚାର)-ସମାଜବାଦୀ ଚିନ୍ତକ, ସ୍ୱାଧୀନତା ସଂଗ୍ରାମୀ, ପ୍ରଖର ବାଗ୍ମୀ ଓ ସାମାଜିକ ନ୍ୟାୟର ଅଗ୍ରଦୂତ ଡଃ ରାମ ମନୋହର ଲୋହିଆଙ୍କର (୨୩ ମାର୍ଚ୍ଚ ୧୯୧୦) ଜନ୍ମଜୟନ୍ତୀ ଶନିବାର ଦିନ ସମାଜବାଦୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ଅଧ୍ୟକ୍ଷତାରେ ଲୋହିଆଙ୍କ ସମାଜବାଦୀ ଚିନ୍ତା ଉପରେ ଆଲୋଚନା କରାଯାଇ ଆଜି ସାମାଜିକ ନ୍ୟାୟ କିଭଳି ବିପନ୍ନ, ସେ ବିଷୟରେ ଶ୍ରୀ ବେହେରା ତଥ୍ୟଭିତିିକ ବକ୍ତବ୍ୟ ପ୍ରଦାନ କରିଥିଲେ । ସାମାଜିକ ନ୍ୟାୟ ଓ ଧର୍ମ ନିରପେକ୍ଷତାରେ ବିଶ୍ୱାସ କରୁଥିବା ସମସ୍ତ ରାଜନୈତିକ ଦଳ ଓ ଗଣସଂଗଠନ ଗୁଡ଼ିକ ଓଡ଼ିଶାରେ ଓବିସିଙ୍କୁ ଶିକ୍ଷା, ନିଯୁକ୍ତି ଓ ରାଜନୈତିକସ୍ତରରେ ୨୭ଭାଗ ସଂରକ୍ଷଣ ଦେବା ପାଇଁ ଗଣ ଆନ୍ଦୋଳନକୁ ଜୋରଦାର କରିବାକୁ ଶ୍ରୀ ବେହେରା ଆହ୍ୱାନ ଦେଇଥିଲେ ।
ଏହାବ୍ୟତୀତ ଯୁବକ୍ରାନ୍ତିର ଆଦର୍ଶ, ସହିଦ ଭଗତ ସିିଂଙ୍କ ଫାଶି ଦିବସ ମଧ୍ୟ ସମାଜବାଦୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ପାଳନ କରାଯାଇ ତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ଆଜି ଫାଶିବାଦ ଯେତେବେଳେ ଭାରତବର୍ଷର ଗଣତନ୍ତ୍ରକୁ ବିପନ୍ନ କରିଛି, ସେତିକିବେଳେ ଭଗତ ସିଂଙ୍କ ଚିନ୍ତା ଓ ଆଦର୍ଶର ଗୁରୁତ୍ୱ ବଢିଯାଇଛି । ଦେଶର ଯୁବ ସମାଜ ଫାଶିବାଦ ବିରୁଦ୍ଧରେ ଭଗତ ସିଂଙ୍କ ଚିନ୍ତା ଚେତନାରେ ଉଦବୁଦ୍ଧ ହୋଇ ଦେଶରେ ଗଣଆନ୍ଦୋଳନକୁ ତୀବ୍ରତର କରିବାକୁ ସମାଜବାଦୀ ପାର୍ଟି ତରଫରୁ ଆହ୍ୱାନ ଦିଆଯାଇଛି ।
ଗାନ୍ଧିଜୀଙ୍କ ଓଡ଼ିଶା ଆଗମନ ୧୯୨୧ ମସିହା ମାର୍ଚ୍ଚ ମାସ ୨୩ ତାରିଖ କାଠଯୋଡ଼ି ନଈବାଲିରେ ଉତ୍କଳମଣି ଗୋପବନ୍ଧୁଙ୍କ ଅଧ୍ୟକ୍ଷତାରେ ତାଙ୍କର ବିଶାଳ ଜନସଭା ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମକୁ ଏକ ନୂଆ ଦିଶା ଦେଖାଇଥିଲା । ତେଣୁ ଆଜି ଏହି ଉପଲକ୍ଷେ ଡଃ ରାମ ମନୋହର ଲୋହିଆ, ସହିଦ ଭଗତ ସିଂ ଓ ମହାତ୍ମା ଗାନ୍ଧିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ବେହେରାଙ୍କ ସମେତ ପାର୍ଟିର କୋଷାଧ୍ୟକ୍ଷ ସଞ୍ଜୟ ନାୟକ, ରାଜେନ୍ଦ୍ର ସେଠୀ ଓ ଦେଶପ୍ରିୟ ଦାସ ପ୍ରମୁଖ ଏହି ତିନି ମହାତ୍ମାଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।
ସମାଜବାଦୀ ଚିନ୍ତକ ଡଃ ଲୋହିଆଙ୍କର ଜନ୍ମ ଜୟନ୍ତୀ :
