ଆନ୍ତରାଜ୍ୟ ଗଞ୍ଜେଇ ଚାଲାଣ ବେଳେ ତିନି ଗିରଫ: ଦୁଇ ଫେରାର : ଦୁଇଟି କାର ସହ ୧୩୨ କେଜି ଗଞ୍ଜେଇ ଓ ନଗଦ ୪ ଲକ୍ଷ ଟଙ୍କା ଜବତ 

ବାଲିଗୁଡା, ୨୧/୦୩/୨୪:(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୁଲିସ ପଞ୍ଝାରେ ପଡିଛି ଆନ୍ତରାଜ୍ୟ ଗଞ୍ଜେଇ ଚାଲାଣକାରୀ  ରାକେଟ । ଯାହାକୁ ନେଇ ପୁଲିସ ଏବେ ଚଳଚଞ୍ଚଳ ହୋଇ ପଡିଛି । ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି  ବାଲିଗୁଡା ପୁଲିସ ପକ୍ଷରୁ ବାରଖମା ନିକଟସ୍ଥ ଡାବୁଡାକା ଘାଟିରେ ବୁଧବାର ଦିନ ବାଲିଗୁଡା-ଲଣ୍ଡାଗାଁ ରାସ୍ତା ରେ ବ୍ଲକିଂ କରି ଗାଡି ମୋଟର ଚେକିଙ୍ଗ କରୁଥିବା ବେଳେ ସେହି ରାସ୍ତା ଦେଇ ଦୁଇଟି କାର ଆସୁଥିବା ବେଳେ ପୁଲିସ ର ବ୍ଲକିଂ ଓ ଚେକିଙ୍ଗ ଦେଖି ଦୁଇ ଜଣ ଓହ୍ଲାଇ ଦୌଡି ପଳାଇଥିଲେ । ଏହି ସମୟ ରେ ସେଠାରେ ଉପସ୍ଥିତ ଥିବା ବାଲିଗୁଡା ଏସଡିପିଓ ରାହୁଲ ଗୋୟେଲ ଗାଡିରେ ଥିବା ଅନ୍ୟ ତିନି ଜଣଙ୍କୁ କାବୁ କରିଥିଲେ । ଏହା ପରେ ଦୁଇଟି କାର କୁ ପୁଲିସ ଚେକିଙ୍ଗ କରିବା ବେଳେ ସେହି କାର ରୁ ୫ ଟି ବସ୍ତାରେ ୧୩୨ କେଜି ଗଞ୍ଜେଇ ସହ ନଗଦ ୪ ଲକ୍ଷ ଟଙ୍କା ୫ ଟି ମୋବାଇଲ ଜବତ ହୋଇଛି । ଜବତ ଗଞ୍ଜେଇର ଆନୁମାନିକ ୫ ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି । ଗିରଫ ବ୍ୟକ୍ତି ମାନେ ହେଲେ ରାଉଲକେଲା ର ଅଶୋକ ଗିରି,ତାମିଲନାଡୁ ର ଲୌର୍ଦୋ ଆଣ୍ଟୋନୀ ଓ ଜେ.ସେଲଭା କୁମାର ବୋଲି ଜଣାପଡିଛି । ତଦନ୍ତରୁ ଜଣାପଡିଛି ଯେ,   ଏହି ଅନ୍ତରାଜ୍ୟ ଗଞ୍ଜେଇ ଚାଲାଣ ରାକେଟ ବାଲିଗୁଡା ଅଞ୍ଚଳରୁ ଗଞ୍ଜେଇ ତାମିଲନାଡୁ କୁ ଚାଲାଣ କରୁଥିଲେ ଓ ସେଠାରେ ବିକ୍ରି କରି ମୋଟା ଆଙ୍କର ଅର୍ଥ ରୋଜଗାର କରୁଥିଲେ ବୋଲି ସାମ୍ବାଦିକ ସମ୍ମିଳନୀ କରି ବାଲିଗୁଡା ଏସଡିପିଓ ରାହୁଲ ଗୋୟେଲ ଜଣାଇଛନ୍ତି । ଏଠାକୁ ବ୍ୟବସାୟ କରିବାକୁ ଆସି ଗଞ୍ଜେଇ କ୍ରୟ କରି ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି । ଏ ନେଇ ବାଲିଗୁଡା ଥାନା କେଶ ନଂ. ୭୫/୨୪ ରେ ଏକ ମାମଲା ରୁଜୁ କରି ଏସଆଇ ବିକାଶ କୁମାର ଜାଲି ଙ୍କୁ ଏହାର ତଦନ୍ତ ଭାର ଦିଆଯିବା ସହ ଅଧିକ ତଦନ୍ତ ଚାଲିଥିବା ବିଷୟ ଏସଡିପିଓ ଶ୍ରୀ ଗୋୟଲ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *