କେନ୍ଦ୍ରାପଡ଼ା, ୨୦/୦୩/୨୦୨୪ (ଓଡ଼ିଶା ସମାଚାର)- ଜିଲା ଯାତ୍ରା କମିଟି ମହାସଂଘ, କେନ୍ଦ୍ରାପଡ଼ା ଏବଂ ଓଡିଆ କଳା ସଂସ୍କୃତି ପୁନରୁଦ୍ଧାର ସମିତିର ମିଳିତ ଆନୁକୂଲ୍ୟରେ ସହର ସନ୍ନିକଟ ଶ୍ୟାମସୁନ୍ଦରପୁର ଗଡାସ୍ଥିତ ଚଣ୍ଡିଆ ପ୍ୟାଲେସରେ ଆଜି ବିଶ୍ୱ ପଖାଳ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲା ଯାତ୍ରା କମିଟି ମହାସଂଘର ସଭାପତି ମିହିର କୁମାର ସାମଲଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ବିଶିଷ୍ଟ ସମାଜସେବୀ, ଓଡିଆ କଳା ସଂସ୍କୃତି ପୁନରୁଦ୍ଧାର ସମିତି ସଭାନେତ୍ରୀ ତଥା ଆଇନଜୀବୀ ଜ୍ୟୋତ୍ସ୍ନାମୟୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଆ ଜାତିର ଖାଦ୍ୟ ଅସ୍ମିତାର ପ୍ରତୀକ ତଥା ଗର୍ବ ଓ ଗୈାରବ ହେଉଛି ପଖାଳ । ସାଧାରଣ ଲୋକଟିର ଜୀବନ ସହିତ ଏହି ପଖାଳ ଓତପ୍ରୋତ ଭାବେ ଜଡିତ । ସକାଳୁ କଂସାଏ ପଖାଳ ଓ ଆଳୁ ଚକଟା ସହ ପିଆଜ, ଲଙ୍କା ହେଉଛି ଜଣେ ସାଧାରଣ ଓଡିଆ ଘରର ପାରମ୍ପରିକ ଖାଦ୍ୟ । ପଖାଳ ସହିତ ଓଡିଆଙ୍କ ଧାର୍ମିକ ଭାବନାର ମଧ୍ୟ ପ୍ରତ୍ୟକ୍ଷ ସମ୍ପର୍କ ରହିଛି ।
ଓଡିଆ ଜାତିର ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନାଥ ମଧ୍ୟ ପଖାଳପ୍ରିୟ ବୋଲି ସେ କହିଥିଲେ । ଶ୍ରୀଜଗନ୍ନାଥଙ୍କ ଟଙ୍କ ତୋରାଣୀ ସାରା ବିଶ୍ୱ ପ୍ରସିଦ୍ଧ ହୋଇଥିବା ବେଳେ ତାକୁ ପାଇବା ପାଇଁ ଭକ୍ତ ପାଗଳ ପ୍ରାୟ ହୋଇଥାଏ । ପଖାଳକୁ ଖାଦ୍ୟ ଭାବରେ ଗ୍ରହଣ କରୁଥିବା ପ୍ରତ୍ୟେକ ଲୋକର ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ସହିତ ଅନେକ ଉପକାରୀ ଗୁଣର ବାର୍ତାବହନ କରିଥାଏ । ଓଡିଆଙ୍କର ପ୍ରିୟ ଖାଦ୍ୟ ପଖାଳ ଏବେ ସାରା ବିଶ୍ୱରେ ଏକ ଲୋକପ୍ରିୟ ଖାଦ୍ୟ । ଏହି ପରିପ୍ରେକ୍ଷୀରେ ପଖାଳ ଖାଦ୍ୟର କ୍ରମବର୍ଦ୍ଧିଷ୍ଣୁ ଲୋକପ୍ରିୟତାକୁ ନେଇ ଗତ କିଛିବର୍ଷ ହେବ ମାର୍ଚ୍ଚ ୨୦ ତାରିଖରେ ବିଶ୍ୱ ପଖାଳ ଦିବସ ପାଳିତ ହୋଇ ଆସୁଛି ବୋଲି ଶ୍ରୀମତୀ ପରିଡା କହିଥିଲେ । ସମ୍ମାନୀତ ଅତିଥି ଭାବେ ଚାନ୍ଦୋଳ ବଜାର କମିଟି ସଭାପତି ଶିବାଶିଷ ମହାନ୍ତି ଯୋଗଦେଇ ବିଶ୍ୱ ପଖାଳ ଦିବସ ପାଳନର ତାତ୍ପର୍ଯ୍ୟ ଉପରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଆଜି ଚଣ୍ଡିଆ ପ୍ୟାଲେସରେ ପଖାଳ ସହିତ ୨୨ ପ୍ରକାର ନିରାମିଷ ଓ ଆମୀଷ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ପଖାଳ ପ୍ରିୟ ଲୋକମାନଙ୍କୁ ପଖାଳ ସହିତ ପରସା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲା ଯାତ୍ରା କମିଟି ମହାସଂଘର ଜିଲା କୋଷାଧ୍ୟକ୍ଷ ଗଣେଶ ପଟ୍ଟନାୟକ, ଜିଲା ସଂଯୋଜକ ସମୀରରଞ୍ଜନ ବାରିକ, ବିବେକ ବେହୁରାଙ୍କ ସମେତ ୯ଟି ବ୍ଲକ ଓ ଜିଲା ସ୍ତରୀୟ କର୍ମକର୍ତାଙ୍କ ସମେତ ଓଡିଆ କଳା ସଂସ୍କୃତି ପୁନରୁଦ୍ଧାର ସମିତିର କର୍ମକର୍ତାମାନେ ଉପସ୍ଥିତ ଥିଲେ ।