ବ୍ୟାଙ୍କ ଲୁଟ ରେ ବିଫଳ- ଛାଡିଗଲେ କରତ, ରଡ଼,ଗ୍ୟାସ ତାର

ବଡ଼ବିଲ,୧୮/୦୩/୨୦୨୪ (ଓଡ଼ିଶା ସମାଚାର)- ବଡ଼ବିଲ ୟୁକୋ ବ୍ୟାଙ୍କରୁ ଲୁଟ ଉଦ୍ୟମ ବିଫଳ। ଗତ ଶନିବାର ବିଳମ୍ବିତ ରାତିରେ ଏଲ ଆଇ ସି ବିଲ୍ଡିଂରେ ଥିବା ୟୁକୋ ବ୍ୟାଙ୍କର ପଛପଟ ଝରକା କାଟି ଦୁବୃର୍ତ୍ତମାମାନେ ଭିତରେ ପଶିବା ପରେ ପ୍ରଥମେ ଆଲାର୍ମ ସିଷ୍ଟମକୁ ଅଚଳ କରି ସିସିଟିଭି ତାର ସବୁ କାଟି ଦେବା ସହ ଗୋଟିଏ ସିସିଟିଭି କ୍ୟାମେରା ମଧ୍ୟ ଖୋଲି ଦେଇଥିଲେ । ଏହାପରେ ଦୃର୍ବୃତ ଗ୍ୟାସ କଟର ସାହାଯ୍ୟରେ ଷ୍ତ୍ରଙ୍ଗ ରୁମ୍ କାଟିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ତେବେ ଟଙ୍କା ଲୁଟି ନପାରି ଗଲାବେଳକୁ ବ୍ୟାଙ୍କ୍ ଭିତରେ ଗ୍ୟାସ ପାଇପ୍ ଛାଡ଼ି ଯାଇଥିଲାବେଳେ, ପଛପଟ ଝରକା ପାଖରେ ଗୋଟିଏ ଲୁହା କଟା କରତ ଓ ଗୋଟିଏ ପେଚକସ୍ ଛାଡ଼ି ଯାଇଛନ୍ତି । ଗତକାଲି ରବିବାର ବ୍ୟାଙ୍କ୍ ଛୁଟି ଥିବାରୁ ଲୁଟ ଉଦ୍ୟମ ହୋଇଥିବା ନେଇ ଆଜି ଜଣାପଡ଼ିଛି । ଆଜି ସକାଳୁ ଶାଖା ପ୍ରବନ୍ଧକ ସନ୍ଦୀପ ଶୁଭଙ୍କର ଜେନା ଓ ସହ ପ୍ରବନ୍ଧକ ବିଶ୍ଵନାଥ କୁମାର ବ୍ୟାଙ୍କ୍ ଖୋଲି ଭିତରେ ପ୍ରବେଶ କରିବା ପରେ ଘଟଣା ଜଣାପଡିଥିଲା । ତେବେ ଶନିବାର ରାତି ୧୨ ଟା ରୁ ୧ ଟା ମଧ୍ୟରେ ଦୁର୍ବୃତ ବ୍ୟାଙ୍କରେ ପ୍ରବେଶ କରିବା ସମୟର ଭିଜୁଆଲ ବ୍ୟାଙ୍କରେ ଲାଗିଥିବା ଡିଭିଆର ରେ କଏଦ୍ ହୋଇଛି । ୩ ଜଣ ମୁଖାପିନ୍ଧା ଦୁର୍ବୃତ ବ୍ୟାଙ୍କ୍ ଭିତରେ ପଶିଥିବା ଫୁଟେଜରେ ଦେଖାଯାଇଥିବା ସୂଚନା ମିଳିଛି । ଏନେଇ ବ୍ୟାଙ୍କ୍ ପକ୍ଷରୁ ବଡ଼ବିଲ ପୋଲିସକୁ ଖବର ଦିଆଯିବା ପରେ ଘଟଣା ସ୍ଥଳରେ ବଡ଼ବିଲ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଅଧିକ ତଦନ୍ତ ପାଇଁ ସାଇଣ୍ଟି ଫିକ ଟିମ୍ କୁ ଡକାଯାଇଛି ।
ଗତ ୫ ବର୍ଷ ମଧ୍ୟରେ ୟୁକୋ ବ୍ୟାଙ୍କ ବଡ଼ବିଲ ଶାଖାରୁ ଏହା ୨ୟ ଥର ପାଇଁ ଲୁଟ ଉଦ୍ୟମ ହୋଇଛି । ଗତ ୨୦୧୯ ରେ ମଧ୍ୟ ସମାନ ଢଙ୍ଗରେ ଶନିବାର ବିଳମ୍ବିତ ରାତିରେ ଝରକା ତାଡ଼ି ଷ୍ତ୍ରଙ୍ଗ ରୁମ୍ କାଟିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ ଦୁର୍ବୃତ ।  ସୁରକ୍ଷା ଦୃଷ୍ଟିରୁ ବ୍ୟାଙ୍କ୍ ଭିତରେ ସିସିଟିଭି ଓ ଆଲାର୍ମ ଲାଗିଥିବାବେଳେ, ରାତ୍ରୀ ଜଗୁଆଳୀ ପାଇଁ କୌଣସି ବ୍ୟବସ୍ଥା ନଥିବା ହେତୁ ଏଭଳି ଘଟଣା ବାରମ୍ବାର ଘଟୁଛି । ତେବେ ସେହି ସମାନ ଗ୍ୟାଙ୍ଗର ସଂପୃକ୍ତି ଥାଇପାରେ ବୋଲି ସନ୍ଦେହ କରାଯାଉଛି ।

Leave a Reply

Your email address will not be published. Required fields are marked *