ଭାରତ ନିର୍ବାଚନ କମିଶନଙ୍କ ବିଏଲ୍‌ଓ ପତ୍ରିକା ରେ ସ୍ଥାନ ପାଇଲା ଓଡ଼ିଶାର ବିଏଲ୍‌ଓ ମାସ୍କଟ ‘ମିତା ଦିଦି’

ଭୁବନେଶ୍ୱର, ୧୮/୦୩/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶାର ନିର୍ବାଚନ ସମ୍ବନ୍ଧୀୟ ବିଏଲ୍‌ଓ ମାସ୍କଟ ‘ମିତା ଦିଦି’କୁ ଭାରତ ନିର୍ବାଚନ କମିଶନ ନିଜର ବିଏଲ୍‌ଓ  ପତ୍ରିକା ରେ ମାସ୍କଟ ରୂପେ ସ୍ଥାନିତ କରିଛନ୍ତି । ଓଡ଼ିଶାର ବିଏଲ୍‌ଓ ମାସ୍କଟ ‘ମିତା ଦିଦି’ ବର୍ତ୍ତମାନ ସମଗ୍ର ଦେଶରେ ବିଏଲ୍‌ଓ ମାସ୍କଟ ପାଲଟିଛି । ଏହି ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ସମସ୍ତ ବିଏଲ୍‌ଓ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

        ନିର୍ବାଚନ ପ୍ରକି୍ରୟାରେ ବିଏଲ୍‌ଓ (ବୁଥ୍‌ ଲେବୁଲ୍‌ ଅଫିସର ବା ବୁଥ୍‌ ସ୍ତରୀୟ ଅଧିକାରୀ)ମାନଙ୍କର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଭୋଟର ତାଲିକା ସଂଶୋଧନ ଏବଂ ନିର୍ବାଚନ ପରିଚାଳନା ପ୍ରକ୍ରିୟାରେ ତୃଣମୂଳ ସ୍ତରରେ ବୁଥ୍‌ ସ୍ତରୀୟ ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥା’ନ୍ତି । ବାହାରକୁ ଜଣାପଡ଼ୁ ନଥିଲେ ମଧ୍ୟ ନିର୍ବାଚନ ପ୍ରକ୍ରିୟାର ସଫଳ ରୂପାୟନ ପାଇଁ ଗୁରୁ ଦାୟିତ୍ୱ ବହନ କରୁଥିବାରୁ ସେମାନଙ୍କୁ ନିର୍ବାଚନର ‘ଅକୀର୍ତ୍ତିତ ନାୟକ’ ଭାବେ ଅଭିହିତ କରାଯାଏ । ଗଣତନ୍ତ୍ରକୁ ତୃଣମୂଳ ସ୍ତରରୁ ଶକ୍ତିଶାଳୀ କରିବାରେ ବିଏଲ୍‌ଓମାନଙ୍କ ଦାୟିତ୍ୱକୁ ଭୂୟସୀ ପ୍ରଶଂସା କରି ମୁଖ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ଆସନ୍ତା ଏକକାଳୀନ ସାଧାରଣ ନିର୍ବାଚନରେ ସମସ୍ତ ବୁଥ୍‌ସ୍ତରୀୟ ଅଧିକାରୀମାନେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ରୂପେ କାର୍ଯ୍ୟ କରିବେ ବୋଲି ପ୍ରେରିତ କରିଛନ୍ତି ।

        ବର୍ତ୍ତମାନ ଓଡ଼ିଶାର ‘ମିତା ଦିଦି’ ସମଗ୍ର ଦେଶର ବୁଥ୍‌ସ୍ତରୀୟ ଅଧିକାରୀଙ୍କ ପ୍ରତିନିଧି ପାଲଟିଛି । ନିର୍ବାଚନ କମିଶନଙ୍କ ବୁଥ୍‌ସ୍ତରୀୟ ଅଧିକାରୀ  ପତ୍ରିକା ର ଦଶମ ସଂସ୍କରଣରେ ‘ମିତା ଦିଦି’ ସ୍ଥାନ ପାଇବା ସମସ୍ତ ବୁଥ୍‌ସ୍ତରୀୟ ଅଧିକାରୀ ତଥା ସମଗ୍ର ରାଜ୍ୟ ପାଇଁ ଏକ ଗର୍ବ ଓ ଗୌରବର ବିଷୟ । ଏହା ସମସ୍ତ ବୁଥ୍‌ସ୍ତରୀୟ ଅଧିକାରୀଙ୍କୁ ନିଜର ଦାୟିତ୍ୱ ନିର୍ବାହ କରିବା ପାଇଁ ଅଧିକ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ମତବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *