ନିଶା ଉଜାଡ଼ି ଦେଲା ପରିବାର – ସ୍ତ୍ରୀ ମଦ ପିଉଥିଲା ବୋଲି ମାରିଦେଲା ସ୍ୱାମୀ

ଭୁବନେଶ୍ୱର,୧୪/୦୩/୨୦୨୪ (ଓଡ଼ିଶା ସମାଚାର)- ରାଜଧାନୀ ଭୁବନେଶ୍ୱରର ମୈତ୍ରୀ ବିହାରରେ ଘଟିଥିବା ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟଣାର ବିଳମ୍ବରେ ପର୍ଦ୍ଦାଫାଶ ହୋଇଛି। ସ୍ୱାମୀ ନିଜ ସ୍ତ୍ରୀକୁ ପିଟିପିଟି ହତ୍ୟା କରିିଥିବା ଘଟଣା ୩ ଦିନ ପରେ ଜଣାପଡ଼ିଛି । ପୁଲିସ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।
ଭୁବନେଶ୍ୱର ମୈତ୍ରୀ ବିହାର ତାରିଣୀ ନଗର ଅଞ୍ଚଳରେ ମହିଳାକୁ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ସ୍ତ୍ରୀ କୁ ହତ୍ୟା କରିବା ପରେ ତାର ମୃତଦେହକୁ ଘର ଭିତରେ ରଖିଥିଲା ସ୍ୱାମୀ । ସେହି ଘରେ ସ୍ତ୍ରୀ ମୃତଦେହ ସହ ଅଭିଯୁକ୍ତ ସ୍ୱାମୀ ତିନି ଦିନ ସମୟ ବିତାଇଥିଲା । ଘର ଭିତରୁ ପ୍ରବଳ ଦୁର୍ଗନ୍ଧ ବାହାରିବା ପରେ ପଡ଼ୋଶୀ ପୋଲିସକୁ ଖବର ଦେଇଥିଲେ । ଏହାପରେ ମାମଲା ଉପରୁ ପରଦା ହଟିଛି । ନିଶା ଅନେକ ଜୀବନ ନେଇଛି । କିନ୍ତୁ ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ୟ୍ୟ ଚକିତ କରିଛି ।
ସବୁବେଳେ ସ୍ୱାମୀ ମଦ ପିଇ ଘରେ ବିଶୃଙ୍ଖଳା କରିବା ଦେଖି ଆସିଥିବା ବେଳେ ଏହି ଘଟଣା କିନ୍ତୁ ଅଲଗା । ଏଠାରେ ସ୍ତ୍ରୀ ଅତ୍ୟଧିକ ମଦ ପିଉଥିବାରୁ ସ୍ୱାମୀ ଗୋଲଖ ଜେନା ଓରଫ ବାବୁଲି ଏକ ଧାରୁଆ ଅସ୍ତ୍ର ଓ ପଥରରେ ଛେଚି ସ୍ତ୍ରୀକୁ ହତ୍ୟା କରିଛି । ଗଞ୍ଜାମରୁ ଆସି ୧୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସାଲିଆସାହି ତାରିଣୀ ନଗର ସ୍ଥିତ ଏକ ଘରେ ଗୋଲଖ ନିଜ ସ୍ତ୍ରୀ ଓ ୩ଟି ପିଲାଙ୍କ ସହ ରହୁଥିଲେ । ସ୍ତ୍ରୀ ପ୍ରବଳ ମଦ ପିଉଥିବାରୁ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଝଗଡା ଲାଗିରହୁଥିଲା । ୩ ଦିନ ତଳେ ଅଭିଯୁକ୍ତ ନିଜେ ପିଇବା ସହ ରାଗରେ ଜର୍ଜରିତ ହୋଇ ନିଜ ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କରିବା ଘଟଣା ରାଜଧାନୀରେ ଚହଳ ସୃଷ୍ଟି କରିଛି । ଆଶ୍ଚର୍ୟ୍ୟର କଥା ହେଉଛି ସ୍ତ୍ରୀକୁ ମାରିବା ପରେ ଅଭିଯୁକ୍ତ ସ୍ୱାମୀ ସେହି ଘର ବନ୍ଦ କରି ତିନି ଦିନ ରହିଥିଲା । ଜୋର ଜବରଦସ୍ତ ୩ ଛୁଆଙ୍କୁ ମଧ୍ୟ ସେହି ଘରେ ରଖିଥିଲା । ଆଜି ସକାଳୁ ପଚା ସଢା ଗନ୍ଧ ହେବାରୁ ସ୍ଥାନୀୟ ଲୋକମାନେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଁଚି ଅଭିଯୁକ୍ତକୁ କାବୁ କରିଥିଲା । କିନ୍ତୁ ଅଭିଯୁକ୍ତ ମନରେ ସ୍ତ୍ରୀକୁ ମାରିବା ନେଇ ସାମାନ୍ୟତମ ପଶ୍ଚାତାପ ନଥିଲା । ସେ ଯାହା କରିଛି ଠିକ କରିଛି ବୋଲି ପୋଲିସ ଆଗରେ ବୟାନ ଦେଇଛି । ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *