୧୨ରେ ପୁଣି ଟାଟା ଗେଟ୍ ଘେରିବ ଭୀମ ଆର୍ମି

ଯାଜପୁର,୧୦/୦୩/୨୦୨୪ (ଓଡ଼ିଶା ସମାଚାର)- ଗୁଳିକାଣ୍ଡକୁ ୧୮ ବର୍ଷ ବିତିଯାଇଥିଲେସୁଦ୍ଧା କଳିଙ୍ଗନଗର ସମନ୍ୱିତ ଶିଳ୍ପାଂଚଳରେ ବାସଚୁ୍ୟତଙ୍କ ସମସ୍ୟା ସମାଧାନ ହୋଇ ପାରିନାହିଁ । ବାରମ୍ବାର ପ୍ରଶାସନକୁ ଗୁହାରୀ କଲେ ମଧ୍ୟ କିଛି ସୂଫଳମିଳୁ ନାହିଁ । ଏ ନେଇ ଭୀମ ଆର୍ମି ପକ୍ଷରୁ ଗତ ଅକ୍ଟୋବର ୧୬ ତାରିଖରେ ଟାଟା ଗେଟ୍ ବନ୍ଦ କରାଯାଇ ୧୧ଦଫା ଦାବିପତ୍ର ଟାଟା କର୍ତୃପକ୍ଷ ଓ ଜିଲା ପ୍ରଶାସନକୁ ପ୍ରଦାନ କାରାଯାଇ ଥିଲା । ସମସ୍ୟା ସମାଧାନ ତ ଦୂରର କଥା ଦୀର୍ଘ ୫ ମାସ ପରେ ମଧ୍ୟ ସରକାରଙ୍କ ପକ୍ଷରୁ କିମ୍ବା ଟାଟା ତରଫରୁ କିଛି ବି ଉତର ମିଳି ନାହିଁ । ତେଣୁ ବାଧ୍ୟ ହୋଇ ଟାଟା ବିସ୍ଥାପିତ ପରିବାର ଭୀମ ଆର୍ମି ଜରିଆରେ ଆସନ୍ତା ୧୨ ତାରିଖରୁ ଦାବି ପୂରଣ ହେବା ପର୍ଯ୍ୟନ୍ତ ଟାଟା ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିବେ ବୋଲି ରାଜ୍ୟ ସଚିବ ଭୈରବ ବେହେରା ଏକ ପ୍ରେସ୍ ବିବୃତିରେ ପ୍ରକାଶ କରିଛନ୍ତି ।
ଦାବିଗୁଡିକ ମଧ୍ୟରେ ଆର୍ ଆର୍ କମିଶନ ଗଠନ, ସହିଦ ପରିବାରଙ୍କୁ ସୁବିଧା ସୁଯୋଗ, ଆଦିବାସୀଙ୍କ ଉପରେ ଥିବା ମିଥ୍ୟା ମାମଲା ପ୍ରତ୍ୟାହାର, ଜମି କ୍ଷତିପୂରଣ ୧ କୋଟିକୁ ବୃଦ୍ଧି, ୨୦ ବର୍ଷିଆ ଲିଜ୍ ପଟ୍ଟା ବଦଳରେ ସ୍ଥାୟୀ ପଟ୍ଟା, ପୂର୍ଣ୍ଣଭାବେ ପୁନର୍ବାସ ଓ ଥଇଥାନ ନୀତି କାର୍ଯ୍ୟକାରୀ କରିବା, ଗାଡପୁର ଗାଁକୁ ବନ୍ଦ ଥିବା ରାସ୍ତା ଖୋଲିବା, ବେଆଇନ ଭାବେ ବାଦ ପଡିଥିବା ବିସ୍ଥାପିତ ପରିବାରକୁ ବିସ୍ଥାପନ ତାଲିକାରେ ସାମିଲ କରିବା, ସହିଦଙ୍କର କଟା ଅଙ୍ଗକୁ ପରିବାରକୁ ଅନ୍ତିମ ସଂସ୍କାର ପାଇଁ ହସ୍ତାନ୍ତର କରିବା, ୦୧.୦୧.୨୦୦୫ ସର୍ଭେ କଟ୍ ଅଫ ତାରିଖକୁ ୦୧.୦୧.୨୦୧୫ ପର୍ଯ୍ୟନ୍ତ ବୃଦ୍ଧି କରିବା, ବର୍ଷକୁ ଦୁଇ ଥର ଆରପିଡିଏସି ବୈଠକ ବସାଇବା ଆଦି ସ୍ଥାନ ପାଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ବିସ୍ଥାପିତ ଚାକିରୀଆଙ୍କୁ କମ୍ ପେ ସ୍କେଲ୍ ରେ ନିଯୁକ୍ତି, ଠିକ ସମୟରେ ପଦନ୍ନୋତି ନ ଦେବା, କାର୍ଯ୍ୟକ୍ଷେତ୍ରରେ ମାନସିକ ନିର୍ଯାତନା, ଚତୁରତାସହ ଚାକିରୀରୁ ବିଦା କରିବା ଆଦି ସମସ୍ୟା ରହିଛି । ଏସବୁ ସମସ୍ୟାର ତୁରନ୍ତ ସମାଧାନ ସହ ଗତ ଅକ୍ଟୋବର ୧୬ ତାରିଖରେ ଭୀମ ଆର୍ମି ପକ୍ଷରୁ ପ୍ରଦାନ କରାଯାଇଥିବା ଦାବିର ଉତର ଦେବାକୁ ଦାବିହୋଇଛି ।

Leave a Reply

Your email address will not be published. Required fields are marked *