ଭୁବନେଶ୍ୱର,୨୩/୧୧/୨୦୨୩ (ଓଡ଼ିଶା ସମାଚାର)-ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ମହାନ ଦେଶପ୍ରେମୀ, ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ୧୨୩ତମ ଜୟନ୍ତୀ ସ୍ଥାନୀୟ ବିଧାନସଭା ନିକଟରେ ଥିବା ପ୍ରତିମୂର୍ତିସ୍ଥଳରେ ଶ୍ରଦ୍ଧାଞ୍ଜଳି ସହିତ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅଭିଯାନର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ ଶତପଥୀ ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ ଯେ, ନବବାବୁ ଥିଲେ ଦରିଦ୍ର, ନିଷ୍ପେସିତ, ଖଟିଖିଆ ତଥା ସାଧାରଣ ବ୍ୟକ୍ତିଙ୍କର ସୁଖ ଦୁଃଖର ସାଥୀ । ଏହା ସହିତ ଭୂସଂସ୍କାର ଆଇନ, ଜମିଦାରୀ ପ୍ରଥା ଉଚ୍ଛେଦ, ଓଡ଼ିଆଭାଷାକୁ ସରକାରୀ ମାନ୍ୟତା, ମଦ ବିରୁଦ୍ଧରେ ଆନ୍ଦୋଳନ, କୃଷକମାନଙ୍କ ପାଇଁ ପଦକ୍ଷେପ ପ୍ରମୁଖ ତାଙ୍କର ବହୁମୁଖୀ ବ୍ୟକ୍ତିତ୍ୱକୁ ଦର୍ଶାଇଥାଏ । ଏଥିସହିତ ତାଙ୍କ ସାମ୍ୟବାଦ ଜୀବନ ଦର୍ଶନ, ସରଳତାର ଆଜିବି ପ୍ରାସଙ୍ଗିକତା ରହିଛି ବୋଲି କହିବା ସହିତ ଆଜିର ଯୁବପିଢୀ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ କହିଥିଲେ । ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଶିକ୍ଷାବିତ୍ ନିରଞ୍ଜନ ପଣ୍ଡା, ସାରସ୍ୱତ ସାଧିକା ସୁମିତ୍ରା ଜେନା, ସୁଜାତା ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ମ୍ମୃତିଚାରଣ କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।