ଏସ୍‌.ଆଇ.ଆର.ଡିର ନୂତନ ଛାତ୍ରାବାସ ଏବଂ  ଓରମାସ ପ୍ରଶାସନିକ ଭବନର ଶିଳାନ୍ୟାସ କଲେ ମନ୍ତ୍ରୀ ଶ୍ରୀ ଅମାତ

ଭୁବନେଶ୍ୱର,୦୫/୦୩/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ତଥା ପଞ୍ଚାୟତିରାଜ ଓ ଲୋକସେବା ଦିବସ ଅବସରରେ ଭୁବନେଶ୍ୱର ୟୁନିଟ-୮ ସ୍ଥିତ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ (ଏସ୍‌.ଆଇ.ଆର.ଡି) ପରିସରରେ ଏସ୍‌.ଆଇ.ଆର.ଡିର ନୂତନ ଛାତ୍ରାବାସ ଓ ଭୋଜନାଳୟ ଏବଂ ଓରମାସର ପ୍ରଶାସନିକ ଭବନ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏହି ଅବସରରେ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନି, ଓରମାସର ନିର୍ଦ୍ଦେଶିକା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁହା ପୁନମ ତାପସ କୁମାର, ଏସ.ଆଇ.ଆର.ଡିର ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ର କୁମାର ମୀନା ଏବଂ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

          ଦୁଇ ମହଲା ବିଶିଷ୍ଟ ଏସ୍‌.ଆଇ.ଆର.ଡିର ତଳ ମହଲାରେ ନିର୍ମିତ ହେବାକୁ ଥିବା ୧୦୦ କକ୍ଷ ବିଶିଷ୍ଟ ଏହି ଛାତ୍ରାବାସରେ ୨୦୦ ପ୍ରଶିକ୍ଷାର୍ଥୀଙ୍କ ରହିପାରିବେ । ସେହିପରି ଭୋଜନାଳୟରେ ଏକକାଳୀନ ଶହେରୁ ଅଧିକ ପ୍ରଶିକ୍ଷାର୍ଥୀ ଭୋଜନ କରିପାରିବେ । ଏହି ନିର୍ମାଣ କାର୍ଯ୍ୟ ପାଇଁ ମୋଟ୍‌ ୧୫ କୋଟି ୪୫ ଲକ୍ଷ ୯୧ ହଜାର ଟଙ୍କା ବ୍ୟୟ ଅଟକଳ ରଖାଯାଇଛି । ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇସାରିଛି । ସେହିପରି ୮ କୋଟି ୩୦ ଲକ୍ଷ ୩୯ ହଜାର ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଓରମାସର ପ୍ରଶାସନିକ ଭବନର କାର୍ଯ୍ୟ ଆସନ୍ତା ଏକ ବର୍ଷ ମଧ୍ୟରେ ଶେଷ କରିବାକୁ ସ୍ଥିର କରାଯାଇଛି ।

                                                                                -0-

Leave a Reply

Your email address will not be published. Required fields are marked *