କେନ୍ଦ୍ରାପଡ଼ା, ୨୯/୦୨/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ୫ଟି ୱାର୍ଡର ଅଧିବାସୀଙ୍କ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସୁଦ୍ଧ ପାନୀୟ ଜଳ ପ୍ରକଳ୍ପର ଆଭାସୀ ମାଧ୍ୟମରେ ଲୋକାର୍ପଣ କରିଛନ୍ତି । ଏହି ଉପଲକ୍ଷେ ପୌରସଂସ୍ଥା ଟାଉନହଲ ପରିସରରେ ୫-ଟି ରୂପାନ୍ତରଣ କାର୍ଯ୍ୟକ୍ରମର ଅଧାରରେ ମୁଖ୍ୟମନ୍ତ୍ରୀ ନବୀନ ଶ୍ରୀ ପଟ୍ଟନାୟକ ଆଭାସୀ ଜରିଆରେ ରାଜ୍ୟର ସହରବାସୀଙ୍କ ପାଇଁ ବିଭିନ୍ନ ସୁବିଧା ଓ ସେବା ମୂଳକ କାର୍ଯ୍ୟକ୍ରମର ଲୋକାର୍ପଣ କରି କହିଲେ ଯେ ସହରର ଗରୀବଲୋକମାନଙ୍କ ପାଇଁ ଜାଗା ମିଶନ ବହୁତ ବଡ ସଫଳତା ଆଣିଦେଇଥିବା ବେଳେ ଏହି ଯୋଜନା ଅଧିନରେ ସେମାନଙ୍କୁ ସ୍ଥାୟି ଜମି ପଟ୍ଟା ଯୋଗାଇ ଦିଆଯାଉଛି । ଏହାବ୍ୟତିତ ସହରବାସୀଙ୍କୁ ୨୪ଘଂଟା ବିଷୁଦ୍ଧ ପାନୀୟ ଜଳ ଯୋଗାଣ, ଉନ୍ନତି ଓ ମୁକ୍ତା ଯୋଜନା ଦ୍ୱାରା ସହରୀ ବିକାଶ ଧାରା ଜାରି ରହିଛି । ଏହି ଅବସରରେ ପୈାରାଳର ୧ରୁ ୫ନମ୍ବର ପର୍ଯ୍ୟନ୍ତ ୫ଟି ୱାର୍ଡର ଅଧିବାସୀମାନଙ୍କ ପାଇଁ ସୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୩୬. ୮୨ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଆଭାସୀ ମାଧ୍ୟମରେ ଶିଳାନ୍ୟାସ କରିଥିଲେ । ଏହି ପ୍ରକଳ୍ପ ଦ୍ୱାରା କେନ୍ଦ୍ରାପଡା ସହରର ୫ଟି ୱାର୍ଡର ୧୯୮୦ ପରିବାରର ୧୭ହଜାର ଲୋକଙ୍କ ସମେତ ଭବିଷ୍ୟତରେ ଏହି ପ୍ରକଳ୍ପରୁ ୩୬ହଜାର ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଇପାରିବ । ଏହି କାର୍ଯ୍ୟକ୍ରମରେ ଜିଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ, ପୌରାଧ୍ୟକ୍ଷା ସରିତା ସାହୁ, ଉପାଧ୍ୟକ୍ଷା ଆକବରୀ ଖାତୁନ, କାଉନସିଲର ରଶ୍ମିତା ସିଂହ, ସ୍ମୃତିରେଖା ଶତପଥୀ, ଅସିମା ନାୟକ, ଅଭୟ ବେହେରା, ଉମେଶ ଚନ୍ଦ୍ର ନାୟକ, ସେକ ଅସଲମ୍, ନିରାକାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ପୌର କର୍ମଚାରୀ ସଞ୍ଜୀବ ମହାନ୍ତି, ଅଶୋକ ସାହୁ, ସୁପରଭାଇଜର ମଧୁସ୍ମିତା ସିଂ ଏବଂ ସ୍ୱଛସାଥି ମମତା ସେଠୀଙ୍କ ସମେତ ଶତାଧିକ ସ୍ୱୟଂ ସହାୟିକା ଗୋଷ୍ଠିର କର୍ମକର୍ତା, ବସ୍ତିବାସିନ୍ଦା ଓ ପୌରାଂଚଳବାସୀ ଉପସ୍ଥିତ ଥିଲେ ।