ଚିତ୍ରୋତ୍ପଳା ମହୋତ୍ସବର ୩ୟ ସନ୍ଧ୍ୟା

ପାଇକ ଆଖଡ଼ା ଓ ଇରା ମହାନ୍ତିଙ୍କ ସଙ୍ଗୀତରେ ବିଭୋର ଦର୍ଶକ
ଗରଦପୁର, ୨୧/୦୨/୨୦୨୫(ଓଡ଼ିଶା ସମାଚାର)- ଗରଦପୁର ମୁଖ୍ୟାଳୟ ନିକଟରେ ତିନିଦିନ ଧରି ରାଜ୍ୟ ସ୍ତରୀୟ ଚିତ୍ରୋତ୍ପଳା ମହୋତ୍ସବ ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ଲାଗି ରହିଛି । ଆଜି ଏହାର ୩ୟ ସନ୍ଧ୍ୟାରେ ଖୋର୍ଦ୍ଧାର ପାଇକ ଆଖଡ଼ା ଓ ଇରା ମହାନ୍ତି ଙ୍କ ସଙ୍ଗୀତ ଓ ଗୃପ୍ ଡ଼୍ୟାନ୍ସରେ ଦର୍ଶକ ଝୁମିଛନ୍ତି । ସନ୍ଧ୍ୟା ନଇଁ ଆସିବା ପରେ ପରେ ଦର୍ଶକ ଗ୍ୟାଲେରିରେ ମହିଳା, ପୁରୁଷ, ଯୁବକ ଯୁବତୀମାନେ ଖଚାଖଚ ଭର୍ତି ହୋଇଥିଲେ ।

ଆୟୋଜିତ ସଂକ୍ଷିପ୍ତ ଉତ୍ସବରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ତଥା ବିଜେପି ନେତା ତେଜେଶ୍ୱର ପରିଡ଼ା ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ପୁଲିସ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ ଯୋଗଦେଇ ଏଭଳି ଉତ୍ସବ ଜନ ସମ୍ପର୍କ ରକ୍ଷା କରିବାରେ ସାହାଯ୍ୟ କରିଥାଏ ବୋଲି ମନ୍ତବ୍ୟ ଦେବା ସହିତ ଏବେ ମାତ୍ରାଧିକ ଭାବରେ ଘଟୁଥିବା ସାଇବର କ୍ରାଇମ୍ କୁ ରୋକିବା ପାଇଁ ଜନସାଧାରଣ ଯଥେଷ୍ଟ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଉତ୍ସବରେ ସମ୍ମାନୀତ ଅତିଥି ଭାବେ ପାରାଦୀପ ପୋର୍ଟ ଟ୍ରଷ୍ଟ ର ସୁପରିଟେଣ୍ଡେଣ୍ଟ୍ଟ ଦିଲିପ ବେହେରା ଯୋଗ ଦେଇଥିବାବେଳେ ମହୋତ୍ସବର ସଭାପତି ସୁରେନ୍ଦ୍ରନାଥ ପାଣି ଓ ସମ୍ପାଦକ ପ୍ରତାପ କୁମାର ପ୍ରଧାନ ପ୍ରମୁଖ ମଂଚାସୀନ ଥିଲେ ।

ପରେ ପରେ ଦର୍ଶକଙ୍କ ବହୁ ଆକାଂକ୍ଷିତ ଖୋର୍ଦ୍ଧାରୁ ଆସିଥିବା ପାଇକ ଆଖଡ଼ା ଟ୍ରୁପ୍ ତାଙ୍କର ପ୍ରଦର୍ଶନ ଆରମ୍ଭ କରିଥିଲେ । ପାଇକ ଆଖଡ଼ା ଦଳ ମଂଚ ଉପରେ ତୁହାକୁ ତୁହା ଉତ୍କଳୀୟ ସମର କଳା ପ୍ରଦର୍ଶନ କରି ଉଚ୍ଚ ପ୍ରସଂଶିତ ହୋଇଥିଲେ । ଗୃପ୍ ର ସମର କଳାରେ ରୋମାଂଚିତ ହୋଇ ବହୁ ଦର୍ଶକ ମଧ୍ୟ ସେମାନଙ୍କୁ ପୁରସ୍କୃତ କରିବାକୁ ଭୁଲି ନଥିଲେ । ଉତ୍ସବର ୨ୟ ସୋପାନରେ ସଙ୍ଗୀତ ଓ ନୃତ୍ୟର ପସରା ମେଲାଇଥିଲେ ଚଳଚିତ୍ର ଜଗତର ପ୍ରଖ୍ୟାତ ସଙ୍ଗୀତଜ୍ଞ ଇରା ମହାନ୍ତି ଓ ଏହାର ଟିମ୍ । ଚଳଚିତ୍ରର ବିଭିନ୍ନ ମନଛୁଆଁ ସଙ୍ଗୀତ ପରିବେଷଣ କରି ହଜାର ହଜାର ଦର୍ଶକଙ୍କ ହୃଦୟ କିଣି ନେଇଥିଲେ ଇରା ମହାନ୍ତି ।

ସଙ୍ଗୀତର ମୁର୍ଛନାରେ ଦର୍ଶକମାନେ ମତୁଆଲା ହୋଇଥିଲେ । ଏହି ଅବସରରେ ଆଜି ପୂର୍ବାହ୍ନରେ ମେହେନ୍ଦିନଗରର ସ୍ଥିତ ଡ଼ିଫେନ୍ସ ଏକାଡ଼େମିର ୭୦ଜଣ ବିଦ୍ୟାର୍ଥି ୧୦ କିମି ବ୍ୟାପି ମିନି ମାରାଥନ୍ ଜରିଆରେ ଜନ ସାଧାରଣଙ୍କୁ ମହୋତ୍ସବର ସନ୍ଦେସ ବାନ୍ଟିଥିଲେ । ପରିଶେଷରେ ଦର୍ଶକମାନେ ଓରମାସ ଷ୍ଟଲ ଗୁଡ଼ିକରୁ ଘରକରଣା ଜିନିଷମାନ କିଣାକିଣି କରିବା ସହିତ ବିଭିନ୍ନ ଷ୍ଟଲ ରୁ ଫାଷ୍ଟ ଫୁଡ଼ ଖାଇ ମଜା ଉଠାଇଥିଲେ । ପାଟକୁରା ଥାନା ଆଇଆଇସି ସୟଦ ଜାମସେଦ ମହମ୍ମଦ ସଦଳବଳେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।

Leave a Reply

Your email address will not be published. Required fields are marked *